49

ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ!

ଭୁବନେଶ୍ୱର: ସମ୍ବେଦନଶୀଳତା, ସହାନୁଭୂତି ଓ ମାନବିକତା ହେଉଛି ସୁଶାସନର ମୂଳ ଆଧାର। ଲୋକଙ୍କ ସମସ୍ୟା ଶୁଣି ତାହାର ସମାଧାନ କରିବା ଓଡ଼ିଶା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ସୋମବାର ଭୁବନେଶ୍ୱର ୟୁନିଟ୍-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଆୟୋଜିତ ୨୦ତମ ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣିରେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହି ଅବସରରେ ମୋହନ କହିଥିଲେ, ଲୋକଙ୍କ ସୁଖ ଓ ଦୁଃଖରେ ସରକାର ସର୍ବଦା ସାଥୀ ହୋଇ ରହିଛି। ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାର ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଆସିଛି। ବର୍ତ୍ତମାନର ବନ୍ୟା ପରିସ୍ଥିତି ପାଇଁ ମଧ୍ୟ ସହାୟତା ପ୍ୟାକେଜ୍ ଘୋଷଣା କରାଯାଇଥିବା ସେ କହିଛନ୍ତି।

ସରକାରୀ ସୂଚନା ଅନୁସାରେ, ପୂର୍ବରୁ ହୋଇଥିବା ୧୯ଟି ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣିରେ ମୋଟ ୧୫,୩୨୭ଟି ଅଭିଯୋଗ ମିଳିଥିବା ବେଳେ ୧୪,୫୧୯ଟି ଅର୍ଥାତ୍ ପ୍ରାୟ ୯୫ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି।

ଜିଲ୍ଲା, ତହସିଲ ଓ ବ୍ଲକ୍ ସ୍ତରରେ ମଧ୍ୟ ନିୟମିତ ଅଭିଯୋଗ ଶୁଣାଣି ଚାଲିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଜୁଲାଇ ଶେଷ ସୁଦ୍ଧା ଜିଲ୍ଲାସ୍ତରରେ ୨ ଲକ୍ଷ ୬୯ ହଜାର ୩୯୪ଟି ଅଭିଯୋଗ ଶୁଣାଯାଇଥିବା ବେଳେ ୮୭ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି।

ସୋମବାରର ଅଭିଯୋଗ ଶୁଣାଣିରେ ୬୦୦ରୁ ଅଧିକ ଅଭିଯୋଗ ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ଗ୍ରହଣ କରାଯାଇଥିଲା। ଗୁରୁତର ରୋଗରେ ପୀଡ଼ିତ ୧୬ ଜଣଙ୍କୁ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍ ଜରିଆରେ ମୋଟ ୧୪ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

ଅଭିଯୋଗ ଶୁଣାଣି ପୂର୍ବରୁ ମୁଖ୍ୟମନ୍ତ୍ରୀ ଦିବ୍ୟାଙ୍ଗ ଓ ଗୁରୁତର ରୋଗୀମାନଙ୍କ ସହ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ ଏବଂ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

 

Spread the love