ଖୋର୍ଦ୍ଧା: ହଜିଯାଇଥିବା ମୋବାଇଲ୍ ଫୋନ୍କୁ ଟେକ୍ନିକାଲ୍ ଟ୍ରାକିଂ ମାଧ୍ୟମରେ ଉଦ୍ଧାର କରି ଅସଲି ମାଲିକଙ୍କୁ ଫେରାଇ ମାନବିକତାର ପରିଚୟ ଦେଇଛି ବାଲୁଗାଁ ପୋଲିସ। ପୋଲିସର ଏହି ତ୍ୱରିତ ଓ ପ୍ରଶଂସନୀୟ ପଦକ୍ଷେପକୁ ସ୍ଥାନୀୟ ଲୋକେ ସାଧୁବାଦ ଜଣାଇଛନ୍ତି।
ସୂଚନା ଅନୁଯାୟୀ, ବାଲୁଗାଁ ଥାନା ଅଧୀନ ଗୋବର୍ଦ୍ଧନପୁର ଗ୍ରାମର ଲଲାତେନ୍ଦୁ ସାହୁ (୩୧), ପିତା–ପୂର୍ଣ୍ଣଚନ୍ଦ୍ର ସାହୁଙ୍କର Oppo F19 Pro Plus ମୋବାଇଲ୍ ଫୋନ୍ ଗତ ୧୦ ଜାନୁଆରୀ ୨୦୨୫ରେ ହଜିଯାଇଥିଲା। ହଜିଥିବା ମୋବାଇଲ୍ର IMEI ନମ୍ବର 861932057848071 ଓ 861932057848063 ଥିବା ଜଣାପଡ଼ିଛି।
ଏନେଇ ବାଲୁଗାଁ ପୋଲିସ ପକ୍ଷରୁ ଟେକ୍ନିକାଲ୍ ଟ୍ରାକିଂ ମାଧ୍ୟମରେ ମୋବାଇଲ୍ ଫୋନ୍ର ସନ୍ଧାନ ଆରମ୍ଭ କରାଯାଇଥିଲା। ଦୀର୍ଘ ଦିନର ତଦନ୍ତ ପରେ ପୋଲିସ ୬ ଅଗଷ୍ଟ ୨୦୨୬ରେ ମୋବାଇଲ୍ ଫୋନ୍ଟିକୁ ଉଦ୍ଧାର କରିଥିଲା। ଉଦ୍ଧାର ସମୟରେ ସୁଜିତ୍ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ୍ଟି ମିଳିଥିବା ଜଣାପଡ଼ିଛି।
ମୋବାଇଲ୍ ଉଦ୍ଧାର ପରେ ପୋଲିସ ଲଲାତେନ୍ଦୁ ସାହୁଙ୍କୁ ଥାନାକୁ ଡାକି ଆବଶ୍ୟକ ଯାଞ୍ଚ ଓ ପ୍ରମାଣପତ୍ର ଯାଞ୍ଚ ପରେ ମୋବାଇଲ୍ଟି ତାଙ୍କୁ ହସ୍ତାନ୍ତର କରିଥିଲା। ଦୀର୍ଘ ଦିନ ପରେ ନିଜ ମୋବାଇଲ୍ ଫେରିପାଇ ଲଲାତେନ୍ଦୁ ବାଲୁଗାଁ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।
ବାଲୁଗାଁ ଥାନା ଅଧିକାରିଣୀ କହିଛନ୍ତି ଯେ, ସାଧାରଣ ଲୋକଙ୍କ ହଜିଯାଇଥିବା ମୂଲ୍ୟବାନ ସାମଗ୍ରୀ ଉଦ୍ଧାର କରି ସେମାନଙ୍କୁ ଫେରାଇବା ପାଇଁ ପୋଲିସ ସର୍ବଦା ପ୍ରୟାସରତ ରହିଛି।