32

ସମବାୟ ସମିତି ସମ୍ପାଦକଙ୍କ ବିରୋଧରେ ଚାଷୀଙ୍କ ଅଭିଯୋଗ; ତଦନ୍ତରେ ଅସନ୍ତୁଷ୍ଟ ଚାଷୀ, ଉଚ୍ଚସ୍ତରୀୟ ତଦନ୍ତ ଦାବି!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ଜାଗୁଳେଇଗଡ଼ିଆ ସେବା ସମବାୟ ସମିତିର ସମ୍ପାଦକଙ୍କ ବିରୋଧରେ ଜଣେ ଚାଷୀ ଆଣିଥିବା ଅଭିଯୋଗକୁ ନେଇ ଆଜି ଏଆରସିଏସ୍ (ARCS) ପକ୍ଷରୁ ତଦନ୍ତ କରାଯାଇଛି। ତେବେ ତଦନ୍ତ ପ୍ରକ୍ରିୟାରେ ସମ୍ପାଦକ ଅନୁପସ୍ଥିତ ରହିଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ପୁନଃ ତାଙ୍କ ଉପସ୍ଥିତିରେ ତଦନ୍ତ କରିବାକୁ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ, ସମିତିର ଚାଷୀ ଶତ୍ରୁଘ୍ନ ପଣ୍ଡା ଓ ତାଙ୍କ ପୁଅ ଧାନ ଟୋକନ ଜରିଆରେ ସରକାରୀ କ୍ରୟ କେନ୍ଦ୍ରରେ ଧାନ ବିକ୍ରୟ କରିବାକୁ ଯାଇଥିବା ବେଳେ ସମ୍ପାଦକ ସେମାନଙ୍କୁ ବିଭିନ୍ନ ପ୍ରକାରରେ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ଧାନ କ୍ରୟ ପ୍ରକ୍ରିୟାରେ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ଅନାବଶ୍ୟକ ହଇରାଣ କରାଯାଉଥିବା ନେଇ ସେମାନେ ଅଭିଯୋଗ ଉଠାଇଛନ୍ତି।

ଚାଷୀ ଶତ୍ରୁଘ୍ନ ପଣ୍ଡାଙ୍କ କହିବା ଅନୁସାରେ, ତାଙ୍କ ନାମରେ ପୂର୍ବରୁ ପ୍ରାୟ ଏକ ଲକ୍ଷ ଟଙ୍କା ଋଣ ଥିବାବେଳେ କୌଣସି ପୂର୍ବ ସୂଚନା କିମ୍ବା ସମ୍ମତି ବିନା ତାହାକୁ ପ୍ରାୟ ଏକ ଲକ୍ଷ ୬୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପଚାରିବାରୁ ସମ୍ପାଦକ ତାଙ୍କୁ ଧମକ ଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ସେହିପରି ରବି ଧାନ ଟୋକନ ଅନୁଯାୟୀ ନିର୍ଦ୍ଧାରିତ ପରିମାଣର ଧାନ ଦେଇପାରିନଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି।

ଏହି ସମସ୍ତ ଅଭିଯୋଗକୁ ନେଇ ଶ୍ରୀ ପଣ୍ଡା ଜିଲ୍ଲାପାଳଙ୍କ ନିକଟରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଥିବା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ମଧ୍ୟ ନ୍ୟାୟ ପାଇଁ ଅଭିଯୋଗ କରିଥିଲେ। ଏହାପରେ ଆଜି ଏଆରସିଏସ୍ ଅଧିକାରୀ ସମିତିରେ ପହଞ୍ଚି ତଦନ୍ତ କରିଥିଲେ।

ତେବେ ତଦନ୍ତ ପୂର୍ବରୁ ସମିତିର ସମ୍ପାଦକ ନିଜର ସୁଗାର ସମସ୍ୟା ବଢ଼ିଯାଇଥିବା ଦର୍ଶାଇ ସଭାପତିଙ୍କ ନିକଟରେ ଛୁଟି ଆବେଦନ ଦାଖଲ କରି ଅନୁପସ୍ଥିତ ରହିଥିଲେ। ଫଳରେ ତଦନ୍ତ ସମୟରେ ଉପସ୍ଥିତ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ଦେଖିବାକୁ ମିଳିଥିଲା।

ଚାଷୀମାନଙ୍କ କହିବା ଅନୁଯାୟୀ, ସମ୍ପାଦକଙ୍କ ଅନୁପସ୍ଥିତିରେ ହୋଇଥିବା ଏହି ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହନ୍ତି। ତେଣୁ ସମ୍ପାଦକଙ୍କ ଉପସ୍ଥିତିରେ ପୁନର୍ବାର ନିରପେକ୍ଷ ତଦନ୍ତ କରାଯିବା ସହ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସେମାନେ ଦାବି କରିଛନ୍ତି |

 

Spread the love