ସାଲେପୁର: ବାପାଙ୍କ ମୃତ୍ୟୁକୁ ବର୍ଷେ ପୂରିନଥିବା ବେଳେ ମୋବାଇଲ ଦେଖିବାକୁ କେନ୍ଦ୍ରକରି ଦଶମ ଶ୍ରେଣୀର ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପୁଅର ମୃତ୍ୟୁ ଖବର ଶୁଣି ମାଆ ବିଷ ପିଇ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଯାଉଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଜଗତପୁର ଥାନା ତ୍ରିଲୋଚନପୁର ପଞ୍ଚାୟତ ହାତିଖାନା ଗ୍ରାମରେ। ମୃତ ନାବାଳକ ଛାତ୍ର ଜଣକ ହେଲେ ହାତିଖାନା ଗ୍ରାମର ସ୍ବର୍ଗତ ସୁବାସ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ଆୟୁଷ୍ମାନ ସାହୁ। ସ୍ଥାନୀୟ ପୂର୍ବକଛ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚଳିତ ବର୍ଷ ୧୦ମ ଶ୍ରେଣୀର ଛାତ୍ର ବୋଲି ଜଣାଯାଉଛି
ସୂଚନାଯୋଗ୍ୟ ଯେ, ବାପାଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧ ଥିବାରୁ ଆୟୁଷ୍ମାନ ସ୍କୁଲ ନଯାଇ ଘରେ ଥିଲେ। ଘରେ ମୋବାଇଲ ଦେଖୁଥିବାରେ ବ୍ୟସ୍ତ ଥିବାରୁ ମାଆ ବାରଣ କରିଥିଲେ। ଏଥିରେ ଆୟୁଷ୍ମାନ ବିରକ୍ତି ପ୍ରକାଶ କରିବା ସହ ଘରେ ଥିବା ଏକ କୀଟନାଶକ ଔଷଧ ଦେଇଥିଲେ। ପରିବାର ଲୋକେ ଆୟୁଷ୍ମାନଙ୍କୁ ଘରେ ପଡ଼ିଥିବା ଦେଖି ପ୍ରଥମେ ଜଗତପୁର ସ୍ଥିତ ଘରୋଇ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।