83

ଶିକ୍ଷାନୁଷ୍ଠାନ ନିକଟରେ ଚାଲିଛି ଅବାଧ ନିଶା କାରବାର, ନିରବ ପ୍ରଶାସନ!

ଖୋର୍ଦ୍ଧା (ରିପୋର୍ଟର – ଦୀପକ କୁମାର ଭୂୟାଁ): ଶିକ୍ଷାନୁଷ୍ଠାନର ପବିତ୍ରତା ବଜାୟ ରଖିବା ଓ ଛାତ୍ରଛାତ୍ରୀଙ୍କୁ ନିଶାର କରାଳ ଗ୍ରାସରୁ ରକ୍ଷା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଓ ଜାତୀୟ ନାର୍କୋ କୋଅର୍ଡିନେସନ୍ ସେଣ୍ଟର ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। କଲେଜ ପରିସରର ୫୦୦ ମିଟର ପରିଧି ମଧ୍ୟରେ ମଦ, ଗଞ୍ଜେଇ ଓ ତମାଖୁ ସମେତ ସମସ୍ତ ପ୍ରକାର ନିଶାଦ୍ରବ୍ୟ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଆସନ୍ତା ଜୁଲାଇ ୧୫ ସୁଦ୍ଧା ଏହାର ରିପୋର୍ଟ ଦାଖଲ କରିବାକୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ନିର୍ଦ୍ଦେଶନାମା କେବଳ କାଗଜପତ୍ରରେ ସୀମିତ ରହିବ ନା ଧରାପୃଷ୍ଠରେ ପ୍ରତିଫଳିତ ହେବ, ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

​ନିୟମକୁ ବେଖାତିର, ଥାନା ନିକଟରେ ଚାଲିଛି ନିଶା କାରବାର
ସୂଚନାଯୋଗ୍ୟ ଯେ, କୋଟପା (COTPA)-୨୦୦୩ ଆଇନ ଅନୁସାରେ ଶିକ୍ଷାନୁଷ୍ଠାନର ୧୦୦ ୟାର୍ଡ (୯୧ ମିଟର) ଭିତରେ ତମାଖୁ ବିକ୍ରି ନିଷେଧ। ମାତ୍ର ବର୍ତ୍ତମାନର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ସହରର ଗଳିକନ୍ଦିରୁ ଆରମ୍ଭ କରି ଖୋଦ୍ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବି ଗୁଟଖା ଓ ପାନ ଦୋକାନରେ ଖୁଲମଖୁଲା ବେପାର ଚାଲିଛି। ରାଜଧାନୀ ଉପକଣ୍ଠ ବାଲିପାଟଣା ଅଂଚଳରେ ଥିବା ଅଧିକାଂଶ ସରକାରୀ ବିଦ୍ୟାଳୟ ନିକଟରେ ଦିବାଲୋକରେ ତମାଖୁ, ସିଗାରେଟ ସହ ଲୁଚାଛପାରେ ବ୍ରାଉନସୁଗାର ଓ ଚୋରା ମଦ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।

​ଶିଶୁ ଅନନ୍ତ ମହାବିଦ୍ୟାଳୟ ନିକଟସ୍ଥ ଆମ୍ବ ତୋଟା ପାଲଟିଛି ନିଶାଡ଼ିଙ୍କ ଆଡ୍ଡା ବିଶେଷ କରି ବାଲିପାଟଣା ସ୍ଥିତ ଶିଶୁ ଅନନ୍ତ ମହାବିଦ୍ୟାଳୟକୁ ଲାଗି ରହିଥିବା ଆମ୍ବ ତୋଟା ଏବେ ନିଶାଡ଼ିଙ୍କ ଚରାଭୂଇଁ ପାଲଟିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଅଞ୍ଚଳଟି ଥାନାର ମାତ୍ର ୪୦୦ ମିଟର ପରିଧି ମଧ୍ୟରେ ଅବସ୍ଥିତ। ଏହାସତ୍ତ୍ୱେ ନିଶା ସେବନ ଓ କାରବାର ନିର୍ବିଘ୍ନରେ ଚାଲିଛି। ପୋଲିସ ମଧ୍ୟ ମଝିରେ ମଝିରେ କେବଳ ଲୋକ ଦେଖାଣିଆ ଚଢ଼ାଉ କରି ଚୁପ୍ ବସିଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

​ପ୍ରଶାସନିକ ଇଚ୍ଛାଶକ୍ତି ଉପରେ ନିର୍ଭର କରୁଛି ସଫଳତା | ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଖୋଲା ଉଲ୍ଲଂଘନକୁ ନୀରବଦ୍ରଷ୍ଟା ସାଜି ଦେଖୁଛନ୍ତି। ବିଶେଷଜ୍ଞଙ୍କ ମତରେ, କେବଳ ଏଚ୍‌ଆଇଏସ୍‌ଏସ୍ (HISS) ପୋର୍ଟାଲରେ ତଥ୍ୟ ଅପଲୋଡ୍ କରିଦେଲେ କିମ୍ବା ରିପୋର୍ଟ ଦାଖଲ କରିଦେଲେ କଲେଜ ପରିବେଶ ନିଶାମୁକ୍ତ ହୋଇଯିବ ନାହିଁ। ଏଥିପାଇଁ କେବଳ କାଗଜ କଲମ ନୁହେଁ, ବରଂ ଫିଜିକାଲ୍ ଯାଞ୍ଚ ସହିତ ପ୍ରଶାସନିକ ଦୃଢ଼ ଇଚ୍ଛାଶକ୍ତି ଏବଂ ନିରନ୍ତର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଯଦି ସ୍ଥାନୀୟ ପ୍ରଶାସନ କଠୋର ପଦକ୍ଷେପ ନ ନିଏ, ତେବେ ୫୦୦ ମିଟର ପରିଧିର ଏହି ନୂଆ ନିୟମ ପୂର୍ବ କୋଟପା ଆଇନ ଭଳି କେବଳ ଏକ ସରକାରୀ ବିଜ୍ଞପ୍ତିରେ ସୀମିତ ରହିଯିବ।

Spread the love