53

ବ୍ଲକରେ ସୂଚନା ଲୁଚାଇବାର ‘ଅଘୋଷିତ ସଂସ୍କୃତି’ ଆରଟିଆଇ ଆବେଦନକାରୀଙ୍କୁ ହଇରାଣ, ଦୁର୍ନୀତିର ଗନ୍ଧ!

ଖୋର୍ଦ୍ଧା (ରିପୋର୍ଟର – ଦୀପକ କୁମାର ଭୂୟାଁ): ‘ସ୍ୱଚ୍ଛ ଶାସନ’ର ଢୋଲ ପିଟୁଥିବା ବେଳେ ବ୍ଲକ କାର୍ଯ୍ୟାଳୟର କେତେକ ପ୍ରମୁଖ ବିଭାଗରେ ସୂଚନା ଅଧିକାର ଆଇନ (RTI)କୁ ବୁଢ଼ା ଆଙ୍ଗୁଠି ଦେଖାଇବା ଏକ ନିୟମ ପାଲଟିଯାଇଛି। ସାଧାରଣ ନାଗରିକ ନିଜ ଅଧିକାର ବଳରେ ତଥ୍ୟ ମାଗିଲେ, ତାହା ପ୍ରଦାନ କରିବା ପରିବର୍ତ୍ତେ ଅଧିକାରୀମାନେ ଅଯଥା ହଇରାଣ କରିବା ସହ ‘ପ୍ରଥମ ଅପିଲ୍’ ପର୍ଯ୍ୟନ୍ତ ଦୌଡ଼ାଇବାକୁ ରଣନୀତି ପ୍ରସ୍ତୁତ କରି ରଖିଛନ୍ତି।ବ୍ଲକର କୃଷି, ଗ୍ରାମ ଉନ୍ନୟନ, ଉଦ୍ୟାନ କୃଷି ଓ ଯୋଗାଣ ବିଭାଗରେ ଏବେ ସୂଚନା ଲୁଚାଇବାର ଏକ ଅଘୋଷିତ ସଂସ୍କୃତି ଗଢ଼ିଉଠିଛି। ଏହି ବିଭାଗଗୁଡ଼ିକରେ ହୋଇଥିବା କାମ ଓ ଖର୍ଚ୍ଚ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ହିସାବ ମାଗିଲେ କାଳେ ବଡ଼ଧରଣର ଦୁର୍ନୀତି ପଦାକୁ ଆସିବ, ସେହି ଭୟରେ ଅଧିକାରୀମାନେ ନିରବତା ଅବଲମ୍ବନ କରୁଛନ୍ତି।

ରାସାୟନିକ ସାର, ବିହନ ଓ ଯନ୍ତ୍ରପାତି ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ଫର୍ଜି ହିତାଧିକାରୀଙ୍କ ନାମରେ ସରକାରୀ ଅର୍ଥ ହେରଫେର ହେଉଥିବା ସନ୍ଦେହ କରାଯାଉଛି। ତଥ୍ୟ ମାଗିଲେ ମଧ୍ୟ ବିଭାଗୀୟ ଅଧିକାରୀ ଚୁପ୍।ଦଲାଲମାନଙ୍କ ସହ ଅସାଧୁ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ହାତେଇଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ତଥାପି, ଏ ସମ୍ପର୍କୀୟ ସୂଚନା କାହିଁକି ଗୋପନ ରଖାଯାଉଛି, ତାହା ଏବେ ବଡ଼ ପ୍ରଶ୍ନ।ଏହି ବିଭାଗରେ ମଧ୍ୟ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।

ଆରଟିଆଇ ଆଇନର ଧାରା ୭ ଅନୁସାରେ, ନିର୍ଦ୍ଧାରିତ ସମୟ ମଧ୍ୟରେ ତଥ୍ୟ ପ୍ରଦାନ କରିବା ସମ୍ପୃକ୍ତ ପିଆଇଓ (PIO)ଙ୍କ ବାଧ୍ୟତାମୂଳକ କର୍ତ୍ତବ୍ୟ। ମାତ୍ର ବ୍ଲକସ୍ତରୀୟ ଅଧିକାରୀମାନେ ଏହାକୁ ଅବମାନନା କରି ଯେଉଁଭଳି ଭାବେ ଆବେଦନକାରୀଙ୍କୁ ଅପିଲ୍ ପାଇଁ ବାଧ୍ୟ କରୁଛନ୍ତି, ତାହା ସମ୍ପୂର୍ଣ୍ଣ ବେଆଇନ। ଏହା କେବଳ ସାଧାରଣ ଲୋକଙ୍କ ସମୟ ଓ ଅର୍ଥର ଅପବ୍ୟୟ ନୁହେଁ, ବରଂ ଦୁର୍ନୀତିଖୋର ଅଧିକାରୀଙ୍କୁ ସୁରକ୍ଷା ଦେବାର ଏକ ସୁଚିନ୍ତିତ କୌଶଳ।

​ଜନସାଧାରଣଙ୍କ ଟଙ୍କାରେ ଚାଲୁଥିବା ଏହି ବିଭାଗଗୁଡ଼ିକ ଜନସାଧାରଣଙ୍କ ପ୍ରତି ଜବାବଦେହି ରହିବାକୁ ବାଧ୍ୟ। ଯଦି ଆଗାମୀ ଦିନରେ ଏହି ବ୍ଲକ ପ୍ରଶାସନ ସ୍ୱଚ୍ଛତା ଅବଲମ୍ବନ ନ କରେ, ତେବେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଏହାର ଦୃଢ଼ ଅଭିଯୋଗ କରାଯିବ ବୋଲି ସଚେତନ ନାଗରିକମାନେ ଚେତାବନୀ ଦେଇଛନ୍ତି।

Spread the love