91

ପୁଲିସକୁ ପୂର୍ବରୁ କୌଣସି ଦଳ ଏପରି ବ୍ୟବହାର କରି ନ ଥିଲେ: କଂଗ୍ରେସ

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ବିଜେଡିର ୨୪ ବର୍ଷର ଶାସନରେ ମଧ୍ୟ ‘ଆଇନର ଶାସନ’ ନ ଥିଲା। ପୁଲିସକୁ ଶାସକ ଦଳର ରାଜନେତାମାନେ ହାତବାରିସି କରି ଅନେକ ସ୍ଥାନରେ ଆତଙ୍କରାଜ କରୁଥିବାରୁ ଅଭିଯୋଗ ହେଉଥିଲା। ଅଥଚ ରାଜ୍ୟରେ ବିଜେପିର ମାତ୍ର ୨ ବର୍ଷର ଶାସନ ଏହାକୁ ଟପି ଏକ ତାଲିବାନୀ-ଶାସନରେ ପରିଣତ ହୋଇଯାଇଛି। ପୂର୍ବରୁ କୌଣସି ଶାସନରେ ବି ପୁଲିସକୁ ଶାସକ ଦଳର ନେତା ଓ କର୍ମୀ ଏପରି ଖୁଲ୍ଲମଖୁଲ୍ଲା ବ୍ୟବହାର କରି ନ ଥିଲେ ବୋଲି ପିସିସି ଗଣମାଧ୍ୟମର ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି।

ଏକ ପ୍ରେସ୍ ବିବୃତ୍ତିରେ ସେ କହିଛନ୍ତି, ଆଇନର ଶାସନ ବୋଲି ଆଉ କିଛି ନାହିଁ। ବର୍ବର ଭିଡ଼ହିଂସା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି। ସ୍ପଷ୍ଟ ଦିବାଲୋକରେ ବହୁତ ଲୋକ ମିଶି ଜଣେ ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ କରିବା ଧାରା ପୂର୍ବରୁ ବିଜେପି ଉତ୍ତରପ୍ରଦେଶ, ରାଜସ୍ଥାନ, ହରିଆନା ଭଳି ରାଜ୍ୟଗୁଡ଼ିକରେ କରୁଥିଲା। ତା’ର ପ୍ରଭାବ ଏବେ ଓଡ଼ିଶାରେ ପଡ଼ିଛି। ନିକଟ ଅତୀତରେ ଓଡ଼ିଶାରେ ସଂଘଟିତ ଏପରି ହିଂସାକାଣ୍ଡରେ ଶାସକ ଦଳର ନେତାମାନଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ସଂପୃକ୍ତି ରହୁଥିବାରୁ ସେଥିରେ କେହି ହାତ ମାରିବାକୁ ସାହସ କରୁନାହାନ୍ତି। ଆଇନ ତା’ବାଟରେ ଯାଉନାହିଁ। ଫଳରେ ବିଜେପି ନେତା ଓ କର୍ମୀମାନେ ପୁଲିସ ଅସହାୟତାର ସୁଯୋଗ ନେଇ ରକ୍ତମୁଖା ହୋଇଉଠିଛନ୍ତି। କଣାସ ଭିଡ଼ହିଂସା ହତ୍ୟାକାଣ୍ଡରେ ବିଧାୟକଙ୍କ ଲୋକମାନେ ସଂପୃକ୍ତ ଥିବାରୁ ଆଇନ ତା’ବାଟରେ ଯିବା ଏକରକମ ଅସମ୍ଭବ ବୋଲି ସମସ୍ତେ ଜାଣନ୍ତି। ସେହିପରି, ବାଲିଅନ୍ତାରେ ସୌମ୍ୟରଂଜନଙ୍କୁ ପୁଲିସ ସହାୟତାରେ ପିଟିପିଟି ମାରିଦେବାର ଆସ୍ପର୍ଦ୍ଧା ପଛରେ ଜଣେ ଏଡିଜି ପାହ୍ୟାର ପୁଲିସ ଅଧିକାରୀଙ୍କ ପ୍ରଚ୍ଛନ୍ନ ସଂପୃକ୍ତି ଉକ୍ତ ଅଭାବନୀୟ ଘଟଣାକୁ ଆହୁରି ରହସ୍ୟାବୃତ୍ତ କରିପକାଇଛି। ବ୍ରହ୍ମପୁର ଗିରିରୋଡ୍‌ ଆକ୍ରମଣ ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସାହୁ ଓରଫ୍‌ ମୋଗ୍ଲୀ ସତ୍ତାଧାରୀ ବିଜେପି ବିଧାୟକ କେ. ଅନିଲ କୁମାରଙ୍କ ପାଖ ଲୋକ ବୋଲି ସମସ୍ତେ ଜାଣନ୍ତି। ସେମାନଙ୍କର ଘନିଷ୍ଠତାର ଏକାଧିକ ଫଟୋ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ତେଣୁ ପୁଲିସ ଏହି ଘଟଣାରେ ନିରପେକ୍ଷ ଭାବେ ତଦନ୍ତ କରିବା ନେଇ ସନ୍ଦେହ ଉପୁଜିଛି।

ନେଡ଼ିଗୁଡ଼ କହୁଣୀକୁ ବହିଯିବା ପରେ ମୁଖ୍ୟମନ୍ତ୍ରୀ ଦୁଇଦୁଇ ଥର ସମୀକ୍ଷା ବୈଠକ କଲେ; ଅଥଚ ଫଳଘର ଶୂନ। ଏପରିକି ବାଉଲାଚାଉଳା ହୋଇ କିଛି ସ୍ଥାନରେ ପୁରୁଣା ଦାଗୀଙ୍କୁ ଏନ୍‌କାଉଣ୍ଟର କରିବା କୌଶଳ ମଧ୍ୟ ଆଉ କାମ ଦେଉନାହିଁ। ଅପରାଧୀ ଦମନରେ ସରକାରଙ୍କ ଆନ୍ତରିକତା ନ ଥିବା ସ୍ପଷ୍ଟ ହୋଇଥିବାରୁ କେହି ଆଉ ପୁଲିସକୁ ଡରୁନାହାନ୍ତି।

 

Spread the love