ଭୁବନେଶ୍ୱର: ଭୁବନେଶ୍ୱରରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସ୍ତରୀୟ ସାମାଜିକ ଗଣମାଧ୍ୟମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦଳୀୟ କାର୍ଯ୍ୟକର୍ତ୍ତା ଓ ପ୍ରଶିକ୍ଷାର୍ଥୀମାନେ ଏଥିରେ ଯୋଗଦେଇ ଡିଜିଟାଲ୍ ପ୍ରଚାର ଓ ସାମାଜିକ ଗଣମାଧ୍ୟମର ବିଭିନ୍ନ ଦିଗ ସମ୍ପର୍କରେ ପ୍ରଶିକ୍ଷଣ ନେଇଥିଲେ।
ପାର୍ଟିର ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ତଥା ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ଶିବିରକୁ ପରିଚାଳନା କରିଥିଲେ। ଦଳର ବିଚାରଧାରା, ନୀତି ଓ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ସାମାଜିକ ଗଣମାଧ୍ୟମ ଜରିଆରେ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଡିଜିଟାଲ୍ ପ୍ଲାଟଫର୍ମର ସଠିକ୍ ବ୍ୟବହାର ନେଇ ପ୍ରଶିକ୍ଷଣ ଦିଆଯାଇଥିଲା।
ଶିବିରର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ସାମାଜିକ ଗଣମାଧ୍ୟମରେ ଅଧିକ ସକ୍ରିୟ ଓ ସଜାଗ ରହିବାକୁ ଆହ୍ୱାନ ଦେଇଥିଲେ। ଡିଜିଟାଲ୍ ଯୁଗରେ ସାମାଜିକ ଗଣମାଧ୍ୟମ ଜନସାଧାରଣଙ୍କ ସହ ଯୋଡ଼ିହେବାର ଏକ ପ୍ରମୁଖ ମାଧ୍ୟମ ବୋଲି ସେ କହିଥିଲେ।
ଏଥିସହ ଦଳର କାର୍ଯ୍ୟକ୍ରମ, ଜନସମସ୍ୟା ଓ ଜନସ୍ୱାର୍ଥ ପ୍ରସଙ୍ଗକୁ ପୋଷ୍ଟର, ଫଟୋ, ଭିଡିଓ ଓ ଅନ୍ୟାନ୍ୟ ଡିଜିଟାଲ୍ ସାମଗ୍ରୀ ମାଧ୍ୟମରେ ସୁବ୍ୟବସ୍ଥିତ ଭାବେ ପ୍ରଚାର କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ବିଜେପି ସରକାରଙ୍କ ଶାସନକୁ ନେଇ ଦଳ ପକ୍ଷରୁ ଉଠାଯାଉଥିବା ‘ଭୋଟ୍ ଚୋରି’ ଓ MMDR ସଂଶୋଧନ ଭଳି ପ୍ରସଙ୍ଗ ସମ୍ପର୍କରେ ଜନସାଧାରଣଙ୍କୁ ତଥ୍ୟଭିତ୍ତିକ ଭାବେ ଅବଗତ କରାଇବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ।
ପ୍ରଶିକ୍ଷଣ ଶିବିରରେ ସାମାଜିକ ଗଣମାଧ୍ୟମ ପରିଚାଳନା, ଡିଜିଟାଲ୍ ପ୍ରଚାର, ପୋଷ୍ଟର ଡିଜାଇନ୍ ଓ ସଂଗଠନର କାର୍ଯ୍ୟକଳାପକୁ ଲୋକଙ୍କ ନିକଟରେ ପହଞ୍ଚାଇବାର ବିଭିନ୍ନ କୌଶଳ ଉପରେ ଆଲୋଚନା କରାଯାଇଥିଲା। ଲିଙ୍ଗରାଜ ପାତ୍ର, ସୂର୍ଯ୍ୟକାନ୍ତ ମହାପାତ୍ର ଓ ଜ୍ୟୋସ୍ନା ମହାନ୍ତି ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
ଏହି ଶିବିର ମାଧ୍ୟମରେ ଆମ୍ ଆଦମୀ ପାର୍ଟିର ଡିଜିଟାଲ୍ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ସାମାଜିକ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କ ସହ ନିରନ୍ତର ଯୋଗାଯୋଗ ସ୍ଥାପନ କରିବାରେ ଏହା ସହାୟକ ହେବ ବୋଲି ଦଳ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।