54

୧୯ ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରୀ, ୧୦,୬୬୧ ନିଯୁକ୍ତି ସମ୍ଭାବନା!

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ଓ ନିବେଶ କ୍ଷେତ୍ରକୁ ଆଉ ଏକ ବଡ଼ ପ୍ରୋତ୍ସାହନ ମିଳିଛି। ରାଜ୍ୟ ସରକାର ୧୯ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ମୋଟ ୩,୨୮୦.୫୮ କୋଟି ଟଙ୍କାର ନିବେଶ ହେବା ସହ ପ୍ରାୟ ୧୦,୬୬୧ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫୦ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ମିଳିଛି।

ବସ୍ତ୍ର ଓ ପୋଷାକ, ଟେକ୍ନିକାଲ୍ ଟେକ୍ସଟାଇଲ୍, ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟିଲ୍ ଡାଉନଷ୍ଟ୍ରିମ୍, ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର, ବାୟୋଫ୍ୟୁଏଲ୍, ରସାୟନ, ସର୍କୁଲାର ଇକୋନୋମି, ପ୍ଲାଷ୍ଟିକ୍ ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରରେ ଏହି ପ୍ରକଳ୍ପ ହେବ। ଅନୁଗୁଳ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କଟକ, ଖୋର୍ଦ୍ଧା, କୋରାପୁଟ, ପୁରୀ ଓ ସୁନ୍ଦରଗଡ଼ ସମେତ ବିଭିନ୍ନ ଜିଲ୍ଲାରେ ଏଗୁଡ଼ିକ ପ୍ରତିଷ୍ଠା ହେବ।

ଖୋର୍ଦ୍ଧାରେ ଡଲାର ଇଣ୍ଡଷ୍ଟ୍ରିଜ୍ ୧୨୫ କୋଟି ଟଙ୍କା ବ୍ୟୟରେ ଏକୀକୃତ ହୋଜିଆରୀ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏଥିରେ ୧,୧୮୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପୁରୀରେ ସାଇ ୱର୍କୱେୟାର ପ୍ରାଇଭେଟ୍ ଲିମିଟେଡ୍ ୫୯ କୋଟି ଟଙ୍କାରେ ଟେକ୍ନିକାଲ୍ ଟେକ୍ସଟାଇଲ୍ ୟୁନିଟ୍ କରିବ, ଯେଉଁଥିରେ ୩,୬୫୦ ଜଣଙ୍କୁ ନିଯୁକ୍ତି ମିଳିବା ସମ୍ଭାବନା ରହିଛି।

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଖୋର୍ଦ୍ଧାରେ ଜିଓଫାଷ୍ଟ ଇଣ୍ଡଷ୍ଟ୍ରିଜ୍ ୧୨୦ କୋଟି ଟଙ୍କାରେ ସ୍ନାକ୍ସ, ସାଭୋରିଜ୍ ଓ ନମକିନ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏଥିରେ ୩୫୦ଟି ନିଯୁକ୍ତି ସୁଯୋଗ ହେବ। କଟକରେ ଜୟ ଭବାନୀ ଫୁଡ୍ସ ୧୦୦ କୋଟି ଟଙ୍କାରେ ଫୁଡ୍ ଓ କନଫେକ୍ସନାରୀ କୋ-ପ୍ୟାକେଜିଂ ୟୁନିଟ୍ କରିବ, ଯାହା ୫୫୦ଟି ଚାକିରି ସୃଷ୍ଟି କରିବ।

ଷ୍ଟିଲ୍ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ଦେବଗଡ଼ରେ ଏସପିଏସ ଅରିହାନ୍ତ ଷ୍ଟିଲ ଷ୍ଟ୍ରକ୍ ଚର୍ସ ୧୪୦ କୋଟି ଟଙ୍କା ନିବେଶ କରିବ। ଏଥିରେ ୫୯୫ଟି ନିଯୁକ୍ତି ସୁଯୋଗ ରହିଛି। ସୁନ୍ଦରଗଡ଼ରେ ଷ୍ଟିଲେଡ଼ଜ ଫବ୍ରିକେସନ ୧୦୮.୮୨ କୋଟି ଟଙ୍କାରେ ଫ୍ୟାବ୍ରିକେସନ୍ ଓ ମେସିନିଂ ୟୁନିଟ୍ ସ୍ଥାପନ କରିବ। କଟକରେ ଭୁବନେଶ୍ୱର ଉଦ୍ୟୋଗ ୧୦୧.୯୯ କୋଟି ଟଙ୍କାରେ କଲର କୋଟେଡ୍ ଓ ଜିଆଇ ସିଟ୍ ଏବଂ ଷ୍ଟ୍ରକ୍ଚରାଲ୍ କମ୍ପୋନେଣ୍ଟ ଉତ୍ପାଦନ ୟୁନିଟ୍ କରିବ।

ଖୋର୍ଦ୍ଧାରେ ଟାଟା ପାୱାର ୫୪.୩୧ କୋଟି ଟଙ୍କା ନିବେଶରେ ଏକ ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର ସ୍ଥାପନ କରିବ। ଏଥିରେ ୧୧୦ଟି ନିଯୁକ୍ତି ସୁଯୋଗ ରହିବ।

ବାୟୋଫ୍ୟୁଏଲ୍ କ୍ଷେତ୍ରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOC) ୯୬୦ କୋଟି ଟଙ୍କା ନିବେଶରେ ୮ଟି ଜିଲ୍ଲାରେ ୩୯,୬୦୦ TPA କ୍ଷମତାର କମ୍ପ୍ରେସ୍ଡ ବାୟୋଗ୍ୟାସ୍ (CBG) ପ୍ଲାଣ୍ଟ ସ୍ଥାପନ କରିବ। ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରରେ ଏହି ପ୍ରକଳ୍ପ ହେବ। ଏଥିରେ ୭୬୦ଟି ନିଯୁକ୍ତି ସମ୍ଭାବନା ରହିଛି। ଗଞ୍ଜାମରେ କୈନେଟାଗ୍ଲୋବାଲ ୧୭୦ କୋଟି ଟଙ୍କାରେ ୮,୨୫୦ ଟିପିଏ ପ୍ଲାଣ୍ଟ କରିବ।

ଅନ୍ୟପକ୍ଷରେ, କଟକରେ ଅକୁଆପ୍ରୁଫ ୱାଲ୍ କେୟାର ଲାଇଣ୍ଡିଆ ୬୨.୬୪ କୋଟି ଟଙ୍କାରେ କନଷ୍ଟ୍ରକ୍ସନ୍ କେମିକାଲ୍ସ ୟୁନିଟ୍ ଏବଂ ଜଗତସିଂହପୁରରେ ଆସିପିୟା କେମିକାଲସ ଆଣ୍ଡ ସୋଲଭେଣ୍ଟ ୬୦ କୋଟି ଟଙ୍କାରେ ପେଟ୍ରୋଲିୟମ୍ ଓ ପେଟ୍ରୋକେମିକାଲ୍ ସଲଭେଣ୍ଟ ଡିଷ୍ଟିଲେସନ୍ ୟୁନିଟ୍ ସ୍ଥାପନ କରିବ।

ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ୫ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଗଞ୍ଜାମରେ ବିବିବି ହୋଟେଲ ୨୦୮.୦୪ କୋଟି ଟଙ୍କାରେ ୫-ତାରକା ହୋଟେଲ୍ ନିର୍ମାଣ କରିବ। ପୁରୀରେ ହୋଟେଲ ସି ପିଆର୍ଲ ଓରିଶା, ଅକୋର ସହଭାଗିତାରେ ୧୮୦ କୋଟି ଟଙ୍କାରେ ୫-ତାରକା ବିଚ୍ ରିସର୍ଟ ସ୍ଥାପନ କରିବ। ଏହି ଦୁଇ ପ୍ରକଳ୍ପରୁ ଯଥାକ୍ରମେ ୩୦୦ ଓ ୬୩୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଝାରସୁଗୁଡ଼ାରେ ହାଇଲାଣ୍ଡ ହୋଟେଲସ & ରେସର୍ଟସ ୧୫୦ କୋଟି ଟଙ୍କାରେ ୪-ତାରକା ରିସର୍ଟ, ପୁରୀରେ ପୁରୀ ଇକୋ ଟୁରିଯିମ ଆଣ୍ଡ ରେସର୍ଟସ ୧୨୪ କୋଟି ଟଙ୍କାରେ ଏବଂ କୋରାପୁଟରେ ଓଡିସସେୟ ଲେଈସୁରେ ୧୦୫ କୋଟି ଟଙ୍କାରେ ୪-ତାରକା ରିସର୍ଟ ସ୍ଥାପନ କରିବ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ଏହି ଅନୁମୋଦନ ଓଡ଼ିଶାରେ ବଢ଼ୁଥିବା ନିବେଶର ବିବିଧତାକୁ ଦର୍ଶାଉଛି। ଉତ୍ପାଦନମୂଳକ ନିଯୁକ୍ତି, ଭ୍ୟାଲୁ ଆଡିସନ୍, ସପ୍ଲାଏ ଚେନ୍ ବିକାଶ ଓ ଅଞ୍ଚଳଭିତ୍ତିକ ସନ୍ତୁଳିତ ଶିଳ୍ପ ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛି।

ସରକାରଙ୍କ ଅନୁସାରେ, ଏହି ନିବେଶଗୁଡ଼ିକ ‘ସମୃଦ୍ଧ ଓଡ଼ିଶା ୨୦୩୬’ ଲକ୍ଷ୍ୟ ସହ ସମନ୍ୱିତ। ଏହା ମାଧ୍ୟମରେ ଭ୍ୟାଲୁ ଆଡେଡ୍ ମ୍ୟାନୁଫ୍ୟାକ୍ଚରିଂ, ନିଯୁକ୍ତି ସୃଷ୍ଟି, ଶକ୍ତିଶାଳୀ ଶିଳ୍ପ ପରିବେଶ ଓ ସ୍ଥାୟୀ ଆର୍ଥିକ ବିକାଶକୁ ଆଗକୁ ନେବା ଲକ୍ଷ୍ୟ ରହିଛି।

 

Spread the love