ଖୋର୍ଦ୍ଧା: ବାଣପୁର ବ୍ଲକ ଅନ୍ତର୍ଗତ ଗାଲୁଆ ଗ୍ରାମ ପଞ୍ଚାୟତ ସଭାଗୃହରେ ଶୁକ୍ରବାର ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥିରାଜ ହରିଚନ୍ଦନ ଯୋଗ ଦେଇଥିଲେ।
ଏହି ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳ ଯୋଗାଣ ଓ ପରିମଳ, ମହିଳା ଓ ଶିଶୁ କଲ୍ୟାଣ, ମତ୍ସ୍ୟ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଉଠା ଜଳସେଚନ, ବିଦ୍ୟୁତ୍, ମିଶନ ଶକ୍ତି, କ୍ଷୁଦ୍ର ଜଳସେଚନ, ଭି.ବି-ଜି ରାମ୍-ଜି, ଖାଉଟି ଯୋଗାଣ, ସାମାଜିକ ସୁରକ୍ଷା, ଜଙ୍ଗଲ ଓ ପ୍ରାଣୀ ସମ୍ପଦ ବିଭାଗ ସମେତ ବ୍ଲକର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା।
ବିଭିନ୍ନ ପଞ୍ଚାୟତରେ ଚାଲୁଥିବା ଉନ୍ନୟନ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସ୍ୱଚ୍ଛତା ଓ ଗୁଣବତ୍ତା ବଜାୟ ରଖି ଶେଷ କରିବାକୁ ମନ୍ତ୍ରୀ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ବିଡିଓ, ତହସିଲଦାର, ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟଗଣ ଓ ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।