24

ଶାନ୍ତି ପୂର୍ଣ୍ଣ ଗଣେଶ ପୂଜା ପାଇଁ ବାଲୁଗାଁ ପୋଲିସର ଫ୍ଲାଗ ମାର୍ଚ୍ଚ

ଖୋର୍ଦ୍ଧା: ଆସନ୍ନ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନେଇ ସୋମବାର ବାଲୁଗାଁ ପୋଲିସ ପକ୍ଷରୁ ସହରରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି।

ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖିବା, ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସୁରକ୍ଷାର ଭାବନା ସୃଷ୍ଟି କରିବା ପାଇଁ ଏହି ଫ୍ଲାଗ୍ ମାର୍ଚ୍ଚ ଆୟୋଜନ କରାଯାଇଥିଲା। ଏହି ମାର୍ଚ୍ଚ ବାଲୁଗାଁ ଥାନାରୁ ବାହାରି ମୁଖ୍ୟ ବଜାର, ଗାନ୍ଧୀ ଛକ, ଚିଲିକା ରୋଡ୍ ସମେତ ବିଭିନ୍ନ ଗହଳିପୂର୍ଣ୍ଣ ଅଞ୍ଚଳ ପରିକ୍ରମା କରିଥିଲା।

ଏହି ଅବସରରେ ଗଣେଶ ପୂଜା କିପରି ଶାନ୍ତିଶୃଙ୍ଖଳାର ସହ ପାଳନ ହେବ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହେବ ସେ ନେଇ ବିଭିନ୍ନ ପୂଜା କମିଟିର ସଦସ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ଉକ୍ତ ଫ୍ଲାଗ୍ ମାର୍ଚ୍ଚରେ ବାଲୁଗାଁ ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକଙ୍କ ନେତୃତ୍ୱରେ SI ଜଗନ୍ନାଥ ସେଠୀ, ASI ମନୋରଞ୍ଜନ ସ୍ୱାଇଁଙ୍କ ସମେତ ସମସ୍ତ ଅଧିକାରୀ ଓ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ସାମିଲ ହୋଇଥିଲେ।

ଏହି ଅବସରରେ ଥାନା ଅଧିକାରିଣୀ ଶ୍ରୀମତୀ ନାୟକ କହିଛନ୍ତି, ପାର୍ବଣ ସମୟରେ ଭିଡ଼ର ସୁଯୋଗ ନେଇ କେହି ଯେପରି ଅଶାନ୍ତି ସୃଷ୍ଟି ନ କରନ୍ତି ସେଥିପାଇଁ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଅସାମାଜିକ କାର୍ଯ୍ୟକଳାପ ନଜରକୁ ଆସିଲେ ତୁରନ୍ତ ପୋଲିସକୁ ଜଣାଇବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏଭଳି ଫ୍ଲାଗ୍ ମାର୍ଚ୍ଚ ଜାରି ରହିବ ବୋଲି ସେ କହିଛନ୍ତି।

Spread the love