ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ବେଆଇନ ମଦ ବିକ୍ରି ଓ ଚାଲାଣ ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ନାଚୁଣୀ ଥାନା ପୋଲିସକୁ ସଫଳତା ମିଳିଛି।
ଗତକାଲି ନାଚୁଣୀ ଥାନା ପୋଲିସ ପକ୍ଷରୁ ବିଞ୍ଝଳା ଅଞ୍ଚଳରେ ଚଢ଼ାଉ କରାଯାଇ ୨୭ ଲିଟର ବେଆଇନ ବିୟର ଜବତ କରାଯାଇଛି। ଏନେଇ ନାଚୁଣୀ ଥାନାରେ କେସ୍ ନଂ-୩୮୬/୨୦୨୬ ରେ ମାମଲା ରୁଜୁ ହୋଇଛି।
ସେହିପରି, ଅନ୍ୟ ଏକ ମାମଲାରେ କେସ୍ ନଂ-୩୮୭/୨୦୨୬ ଅନୁଯାୟୀ ପୋଲିସ ବିଞ୍ଝଳା ଗ୍ରାମର ସୁମନ ସ୍ୱାଇଁ (୨୧)ଙ୍କୁ ଗିରଫ କରିଛି। ସେ ମୁକୁନ୍ଦ ସ୍ୱାଇଁଙ୍କ ପୁଅ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଜଣକ ଦୀର୍ଘଦିନ ଧରି ଅଞ୍ଚଳରେ ବେଆଇନ ଭାବେ ବିୟର ବିକ୍ରି କରୁଥିବା ଅଭିଯୋଗ ରହିଥିଲା।
ପୋଲିସ ଅଭିଯୁକ୍ତଙ୍କ ନିକଟରୁ ବେଆଇନ ମଦ ଜବତ କରି ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଛି। ଅଞ୍ଚଳରେ ବେଆଇନ ମଦ ବିକ୍ରି ଓ ଚାଲାଣ ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ନାଚୁଣୀ ଥାନା ଅଧିକାରୀ କହିଛନ୍ତି।