ଖୋର୍ଦ୍ଧା: ବାଲୁଗାଁ ଏନଏସି ଅନ୍ତର୍ଗତ ପୁରୁଣା ଏସଡିପିଓ କାର୍ଯ୍ୟାଳୟ ପଛପଟ ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ପର୍ଯ୍ୟନ୍ତ ପାଣି ଜମି ରହୁଛି। ପାଣି ନିଷ୍କାସନ ପାଇଁ ଆବଶ୍ୟକ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷା ପାଣି ଦିନ ଦିନ ଧରି ଜମି ରହୁଛି।
ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ସ୍ଥାନୀୟ ଲୋକ, ଛାତ୍ରଛାତ୍ରୀ ଓ କଲେଜ ପଢ଼ୁଆମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜମା ପାଣି ଯୋଗୁଁ ଅନେକ ସମୟରେ ଛାତ୍ରଛାତ୍ରୀ ଖସିପଡ଼ି ବହି, ଖାତା ଓ ପୋଷାକ ଓଦା ହେଉଥିବା ଅଭିଯୋଗ ହୋଇଛି।
ତେବେ ସମସ୍ୟା ଏତିକିରେ ସୀମିତ ନୁହେଁ। ରାସ୍ତାକୁ ଲାଗି ରହିଛି ଏକ ହନୁମାନ ମନ୍ଦିର। ରାସ୍ତାର ଦୁରବସ୍ଥା ସାଙ୍ଗକୁ ଏହି ଅଞ୍ଚଳରେ ଆଲୋକ ବ୍ୟବସ୍ଥା ନଥିବାରୁ କିଛି ଅସାମାଜିକ ବ୍ୟକ୍ତି ମନ୍ଦିର ନିକଟସ୍ଥ ସ୍ଥାନକୁ ପରିସ୍ରା କରିବା ପାଇଁ ବ୍ୟବହାର କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଫଳରେ ସମଗ୍ର ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ସୃଷ୍ଟି ହେଉଛି।
ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ, ମହିଳା ଓ ସାଧାରଣ ଲୋକେ ଦୁର୍ଗନ୍ଧରେ ଅତିଷ୍ଠ ହୋଇ ନାକ ବନ୍ଦ କରି ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ମନ୍ଦିର ନିକଟରେ ଏଭଳି ଅପରିଷ୍କାର ପରିବେଶ ଧାର୍ମିକ ଭାବନାକୁ ମଧ୍ୟ ଆଘାତ ପହଞ୍ଚାଉଥିବା ଅଭିଯୋଗ ହୋଇଛି। ଏହାସହ ଜମା ପାଣି ଓ ଅପରିଷ୍କାର ପରିବେଶ ଯୋଗୁଁ ମଶାମାଛିଙ୍କ ପ୍ରାଦୁର୍ଭାବ ବଢ଼ିବା ସହ ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ବାଲୁଗାଁର ପ୍ରାୟ ସମସ୍ତ ସାହି ଓ ଗଳିରେ ସରକାରୀ ଅନୁଦାନରେ ପକ୍କା ରାସ୍ତା ଓ ଡ୍ରେନ୍ ନିର୍ମାଣ ହୋଇସାରିଛି। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାଟି ଏବେ ବି ଅବହେଳିତ ହୋଇ ରହିଛି। ରାସ୍ତା ନିର୍ମାଣ, ଡ୍ରେନେଜ୍ ବ୍ୟବସ୍ଥା ଓ ସଫେଇ ନେଇ ବାଲୁଗାଁ ଏନଏସି ଓ ପ୍ରଶାସନକୁ ବାରମ୍ବାର ଲିଖିତ ଓ ମୌଖିକ ଭାବେ ଜଣାଇଥିଲେ ମଧ୍ୟ ଏଯାଏଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ସେମାନେ କହିଛନ୍ତି।
ଏଭଳି ସ୍ଥିତିରେ ପ୍ରଶାସନ ନୀରବଦ୍ରଷ୍ଟା ନହୋଇ ତୁରନ୍ତ ରାସ୍ତା ନିର୍ମାଣ, ଡ୍ରେନେଜ୍ ବ୍ୟବସ୍ଥା, ନିୟମିତ ସଫେଇ ଏବଂ ମନ୍ଦିର ନିକଟରେ ଆଲୋକ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଏହାଦ୍ୱାରା ଅଞ୍ଚଳବାସୀଙ୍କ ଯାତାୟାତ ସମସ୍ୟା ଦୂର ହେବା ସହ ମନ୍ଦିର ପରିବେଶ ମଧ୍ୟ ସ୍ୱଚ୍ଛ ଓ ସୁରକ୍ଷିତ ହୋଇପାରିବ।