22

ବାଣପୁରରେ ମହାଆଡମ୍ବରରେ ଗଣେଶ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ-୬, ଦାସଘର ସାହି ଠାରେ ଓଁ ଶ୍ରୀ ଶ୍ରୀ ବିଘ୍ନେଶ୍ୱରାୟ ପୂଜା କମିଟି ପକ୍ଷରୁ ଶ୍ରୀଗଣେଶ ପୂଜା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ସନ୍ଧ୍ୟାରେ ଏକ ଭବ୍ୟ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା। ପୂଜା କମିଟିର ସଭାପତି ଶ୍ରୀକାନ୍ତ ଦାସ, ଉପସଭାପତି ନୀଳକଣ୍ଠ ସାହୁ, ସମ୍ପାଦକ ପ୍ରୟାସ ଦାସ, ପରିଚାଳକ ଅଶୋକ ପ୍ରଧାନ ଓ ସିପୁ ପ୍ରଧାନ, ସଂଯୋଜକ ବିଶ୍ୱଜିତ ମଙ୍ଗରାଜ ଏବଂ ଉପଦେଷ୍ଟା ଶିବକାନ୍ତ ଦାସଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଶ୍ରୀ ଜିତେନ୍ଦ୍ର କୁମାର ବସ୍ତି ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ଓ ନଡ଼ିଆ ଭାଙ୍ଗି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀ ବସ୍ତି ଛାତ୍ରଛାତ୍ରୀ ଓ ଛୋଟ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ପ୍ରଭୁ ଗଣେଶଙ୍କୁ କେବଳ ପୂଜା କରିବା ନୁହେଁ, ତାଙ୍କର ନୀତି, ଆଦର୍ଶ, ଜ୍ଞାନ, ଏକାଗ୍ରତା ଓ ଶୃଙ୍ଖଳାକୁ ଜୀବନରେ ଅନୁସରଣ କରିବା ଆବଶ୍ୟକ। ନିଷ୍ଠା ଓ ପରିଶ୍ରମ ସହ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିବ ବୋଲି ସେ ମତ ଦେଇଥିଲେ। ସଦସ୍ୟମାନଙ୍କୁ ପରିବେଶ ସୁରକ୍ଷା, ସ୍ୱଚ୍ଛତା ଓ ସାମାଜିକ ଦାୟିତ୍ୱ ପ୍ରତି ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଗ୍ରାମର ଏକଲବ୍ୟ ଟ୍ୟୁସନ୍ ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଟ୍ୟୁସନ୍ ର ମୁଖ୍ୟା ଶ୍ରୀମତୀ ସୁଲଚନା ଦାସଙ୍କ ନେତୃତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ସମାପନ ହୋଇଥିଲା।

ଏହି ପୂଜା କମିଟିରେ ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ରହିଛନ୍ତି। ଦାସଘର ସାହି ସମେତ ଆଖପାଖ ଗ୍ରାମର ବହୁ ଲୋକ କାର୍ଯ୍ୟକ୍ରମରେ ଯୋଗଦେଇ ଉପଭୋଗ କରିଥିଲେ। ଶେଷରେ ସଭାପତି ଶ୍ରୀକାନ୍ତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପନ ଘୋଷଣା କରିଥିଲେ।

Spread the love