କର୍ତ୍ତବ୍ୟ ବ୍ୟୁରୋ: ବାଲୁଗାଁର ପୂର୍ବତନ ଏସଡିପିଓ ତଥା ବର୍ତ୍ତମାନ ପୁରୀ ସଦର ଏସଡିପିଓ ଭାବେ କାର୍ଯ୍ୟରତ ଶ୍ରୀ ମାନସ ରଞ୍ଜନ ବାରିକଙ୍କ କାର୍ଯ୍ୟ ପାଇଁ ଆଜି ସାରା ଅଞ୍ଚଳରେ ପ୍ରଶଂସାର ସୁଅ ବହି ଯାଉଛି। ଖାକି ୟୁନିଫର୍ମ ଭିତରେ ଥିବା ଜଣେ ଅଧିକାରୀ ଯେତେବେଳେ ମାନବିକତାର ପରିଚୟ ଦିଅନ୍ତି, ସେତେବେଳେ ସେ କେବଳ ପୋଲିସ ଅଧିକାରୀ ହୋଇ ରୁହନ୍ତି ନାହିଁ, ଜଣେ ଜୀବନଦାତା ହୋଇଯାନ୍ତି।
ସୂଚନା ଅନୁସାରେ, ଏକ ଆଠ ବର୍ଷର ନାବାଳକ ଗୁରୁତର ଅବସ୍ଥାରେ ଚିକିତ୍ସା ଅଭାବରୁ ଛଟପଟ ହେଉଥିଲା। ପରିବାର ଅସହାୟ ହୋଇପଡିଥିବା ବେଳେ ଶ୍ରୀ ବାରିକ ଖବର ପାଇବା ମାତ୍ରେ ନିଜର କର୍ତ୍ତବ୍ୟର ସୀମା ଡେଇଁ ଆଗେଇ ଆସିଲେ। ତାଙ୍କ ତ୍ୱରିତ ହସ୍ତକ୍ଷେପ, ଉପଯୁକ୍ତ ସହଯୋଗ ଏବଂ ପ୍ରଶାସନିକ ସମନ୍ୱୟ ଯୋଗୁ ସେହି ପିଲାଟିକୁ ତୁରନ୍ତ ଡାକ୍ତରୀ ସହାୟତା ମିଳିଲା।
ଏଠାରେ ଡାକ୍ତର ମାନେ ମଧ୍ୟ ଦେବଦୂତ ସାଜିଲେ। ସେମାନଙ୍କ ନିଷ୍ଠାପର ଚିକିତ୍ସା ଏବଂ ଶ୍ରୀ ବାରିକଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଆଠ ବର୍ଷର ସେହି ନାବାଳକଟି ଆଜି ନୂଆ ଜୀବନ ପାଇଛି। ମୃତ୍ୟୁ ମୁହଁରୁ ଫେରି ଆସିଥିବା ପିଲାଟିର ହସ ଆଜି ଅନେକ ଲୋକଙ୍କ ଆଖିରେ ଲୁହ ଆଣି ଦେଇଛି।
ପୁରୀ ସଦର ଏସଡିପିଓ ମାନସ ରଞ୍ଜନ ବାରିକ ପ୍ରମାଣ କରି ଦେଖାଇଲେ ଯେ ପୋଲିସ କେବଳ ଆଇନ ଶୃଙ୍ଖଳା ରକ୍ଷା କରେ ନାହିଁ, ଆବଶ୍ୟକ ସମୟରେ ସେ ସାଧାରଣ ଲୋକଙ୍କ ପାଇଁ ଢାଲ ସାଜିପାରେ। ତାଙ୍କ ଏଭଳି ମାନବିକ ପଦକ୍ଷେପ ପାଇଁ ସମାଜର ବିଭିନ୍ନ ବର୍ଗରୁ ତାଙ୍କୁ ଅଢେଇ ପ୍ରଶଂସା ମିଳୁଛି.ଖାକି ଭିତରେ ଥିବା ଏଇ ହୃଦୟ, ଏଇ ସମ୍ବେଦନଶୀଳତା ହିଁ ପ୍ରକୃତ ସେବାର ପରିଚୟ। ଶ୍ରୀ ବାରିକଙ୍କ ଭଳି ଅଧିକାରୀ ଥିଲେ ସମାଜ ନିଶ୍ଚିତ ଭାବେ ନିରାପଦ ଏବଂ ସୁନ୍ଦର ହେବ.