60

ବାଲିଅନ୍ତା ପରେ ପୁଣି ନୟାଗଡ଼ରେ PCR ଫେଲ୍!, ଟିକ୍ ଟିକ୍ କରି କାଟିଦେଲେ ପୋଲିସ୍ ବନ୍ଧୁ ପଥର ମାଫିଆ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସମଗ୍ର ରାଜ୍ୟକୁ ଆତଙ୍କିତ କରିଛି। ଅବୈଧ ଚୋରା ମାଙ୍କଡ଼ା ପଥର ଖଣି ବିରୋଧରେ ପ୍ରତିବାଦ କରିଥିବା ଯୁବକ ଅଜିତ ସାହୁଙ୍କୁ ମାଫିଆମାନେ ଅତ୍ୟନ୍ତ ନିର୍ମମ ଭାବେ ହାଣି ହାଣି ଛୋଟ ଛୋଟ ଟୁକୁଡା କରି, ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ , ଓଡଗାଁ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ଅବୈଧ ପଥର ଖଣି ଚାଲିଥିବାକୁ ସ୍ଥାନୀୟ ଲୋକେ ବିରୋଧ କରୁଥିଲେ। କଦଳୀବନ୍ଧ ନିକଟରେ ପଥର ବୋଝେଇ ଗାଡ଼ିକୁ ଲୋକେ ଅଟକାଇ ପୋଲିସକୁ ଖବର ଦେଇଥିଲେ, କିନ୍ତୁ ଅଭିଯୋଗ ଅନୁସାରେ ପୋଲିସ ସମୟରେ ପହଞ୍ଚିନଥିଲା।ଏହାର ସୁଯୋଗକୁ ନେଇ ଖଣି ମାଫିଆମାନେ ଯୁବକମାନଙ୍କ ଉପରେ ଆକ୍ରମଣ କରିଥିଲେ। ଦୁଇ ଜଣ ଯୁବକ ଖସି ଯିବାରେ ସଫଳ ହେଲେ ମଧ୍ୟ, ଅଜିତ ସାହୁଙ୍କୁ ଘରୁ ଡାକି ନେଇ, ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି |ହତ୍ୟାକାରୀମାନେ ମୃତଦେହକୁ ଭୟଙ୍କର ଭାବେ କ୍ଷତବିକ୍ଷତ କରିଥିବା ଅଭିଯୋଗ ହୋଇଛି।

ତେବେ ଏହି ଘଟଣା ପରେ ଅଞ୍ଚଳରେ ତୀବ୍ର ଜନାକ୍ରୋଶ ଦେଖାଦେଇଛି। ଅଜିତଙ୍କୁ ନ୍ୟାୟ ଦାବିରେ ସ୍ଥାନୀୟ ଲୋକେ ନୟାଗଡ଼–ଭଞ୍ଜନଗର ରାସ୍ତାକୁ ଅବରୋଧ କରିଥିଲେ, ଯାହାଫଳରେ ଶତାଧିକ ଗାଡ଼ି ଅଟକି ରହିଥିଲା।ଖବର ପାଇ ଓଡଗାଁ ପୋଲିସ, ଅତିରିକ୍ତ ଏସପି, ତହସିଲଦାର ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଓ ଏକାଧିକ ପୋଲିସ ଟିମ୍ ଗଠନ କରାଯାଇଛି। ଏହି ମାମଲାରେ ଆଇଜି ସତ୍ୟଜିତ ନାୟକ କହିଛନ୍ତି— ଘଟଣାରେ ଯେଉଁମାନେ ଜଡିତ, ସେମାନଙ୍କୁ ଆଦୌ ଛଡ଼ା ଯିବ ନାହିଁ। ଅଭିଯୋଗ ମୁତାବକ ପୋଲିସ ଅଧିକାରୀମାନଙ୍କୁ ମୁଖ୍ୟାଳୟକୁ ବଦଳି କରାଯାଇଛି ଏବଂ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।

ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ରେଡ୍ କ୍ରସ ମାଧ୍ୟମରେ ତୁରନ୍ତ ସହାୟତା ଦିଆଯାଇଛି। ଦୋଷୀଙ୍କ ଗିରଫ, ଅବୈଧ ପଥର ଖଣି ବନ୍ଦ ଓ ପରିବାରକୁ ଯଥୋଚିତ କ୍ଷତିପୂରଣ ଦାବିରେ ଲୋକଙ୍କ ଆନ୍ଦୋଳନ ଜାରି ରହିଛି।

Spread the love