କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ବାଲୁଗାଁ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୁଣ୍ଡୁରୁପୁର ସାହିରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ଦେବଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ପ୍ରତିପଦା ଶନିବାର ଦିନ ପ୍ରାତଃ କାଳରେ ଜଳଯାତ୍ରା ସହ ରତ୍ନମୁଦ ପ୍ରତିଷ୍ଠା କରାଯାଇଥିବା ବେଳେ ରବିବାର ଦିନ ମହାପ୍ରଭୁଙ୍କ ସ୍ନାନ ସାରି ସୂର୍ଯ୍ୟପୂଜା,ଶାଲାସଂସ୍କାର,ଅଗ୍ନିସ୍ଥାପନ ସହ ମୂର୍ତ୍ତି ଧ୍ୟାନାଧିବାସ କରାଯାଇଥିଲା।ସୋମବାର ଦିନ ପୂର୍ବାହ୍ନରେ ଶାଲାପୂଜା ହୋମଯଜ୍ଞ ହୋଇଥିଲା।
ଅପରାହ୍ନରେ ଯଜ୍ଞ ପୂର୍ଣ୍ଣାହୁତି କରି ଶ୍ରୀଜୀଉଙ୍କୁ ନଗର ପରିକ୍ରମା କରି ମନ୍ଦିର ପ୍ରବେଶ କରାଯାଇଥିଲା।ଗ୍ରାମବାସୀ ଓ ଆଖପାଖ ଅଞ୍ଚଳ ଦାତାଙ୍କ ସହାୟତାରେ ବହୁ ଆଡମ୍ବରରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।ଭକ୍ତଙ୍କ ନିମିତ୍ତ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା.