କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗ୍ରୀଷ୍ମ ତାପ। ଆଜି ଦିନ ୧ଟା ୩୦ରେ ତାପମାତ୍ରା ୪୨ ଡିଗ୍ରୀ ସେଲସିଅସ୍ ପହଞ୍ଚି ଯାଇଥିବା ସହିତ ସହରବାସୀଙ୍କୁ ଜାଳୁଛି ତିବ୍ରତାପ ତରଙ୍ଗ।
ସକାଳୁଠାରୁ ଧୀରେ ଧୀରେ ତାପମାତ୍ରା ବଢ଼ିବାରୁ ଦିନ ମଝିରେ ପରିସ୍ଥିତି ଅସହ୍ୟ ହୋଇଯାଇଛି। ବିମାନବନ୍ଦର ଅଞ୍ଚଳରେ ମଧ୍ୟ ସର୍ବାଧିକ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଲୋକମାନେ ଏହି ତାପକୁ “ତତଲା ତେଲର କଡାଇରେ ପୋଡି ହେବା ଭଳି” ବୋଲି ଅନୁଭବ କରୁଥିବା କହୁଛନ୍ତି ।
ଗତକାଲି ପଶ୍ଚିମ ଓଡ଼ିଶାରେ ତିବ୍ର ତାପ ଦେଖାଯାଇଥିଲା, ଯେଉଁଠାରେ ଝାରସୁଗୁଡାରେ ୪୫.୬ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇ ଦେଶର ସର୍ବାଧିକ ତାପମାତ୍ରା ଥିଲା। ଭୁବନେଶ୍ୱରରେ ଗତକାଲି ୪୧.୨ ଡିଗ୍ରୀ ଥିଲା।
ଏପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତିବ୍ର ତାପ ଚାଲିଥିବାବେଳେ, ବର୍ତ୍ତମାନ ଏହି ତାପତରଙ୍ଗ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାକୁ ମଧ୍ୟ ଆକ୍ରାନ୍ତ କରିଛି।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଏପ୍ରିଲ ୨୫ ପର୍ଯ୍ୟନ୍ତ ଏହି ତାପରୁ କୌଣସି ମୁକ୍ତି ମିଳିବା ସମ୍ଭାବନା ନାହିଁ। ତେବେ ଏପ୍ରିଲ ୨୬ ପରେ କିଛି ଅଞ୍ଚଳରେ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିପାରେ ବୋଲି ପୂର୍ବାନୁମାନ ରହିଛି। ଏହି ତିବ୍ର ତାପରେ ଦିନଚର୍ଯ୍ୟା ବିଘ୍ନିତ ହୋଇପଡ଼ିଛି। ଦ୍ବିପହର ସମୟରେ ଲୋକମାନେ ବାହାରକୁ ବାହାରିବାକୁ ବାକୁ ଏଡ଼ାଇବା ସହିତ ଘରେ ରହିବାକୁ ବାଧ୍ୟ ହେଉଛନ୍ତି।