11

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ପୂର୍ବତଟ ରେଳପଥର ପ୍ରସ୍ତୁତି, ନିୟନ୍ତ୍ରିତ ହେବ ଟ୍ରେନ୍ ଚଳାଚଳ!

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଅକ୍ଟୋବର ୨୭ରୁ ୨୯ ତାରିଖ ମଧ୍ୟରେ ଏହି ବାତ୍ୟା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରେଳଯାତ୍ରୀଙ୍କ ସୁରକ୍ଷା, ରେଳପଥର ସୁରକ୍ଷା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି।

ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ବାତ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ଅଞ୍ଚଳଗୁଡ଼ିକ ମଧ୍ୟରୁ ରାୟଗଡ଼ା ରେଳ ଡିଭିଜନ୍ ଅଧୀନରେ ଥିବା ରେଳପଥର କିଛି ଅଂଶ ଅଧିକ ବିପଦପ୍ରବଣ ଭାବେ ଚିହ୍ନଟ ହୋଇଛି।

ବାତ୍ୟାର ମୁକାବିଲା ପାଇଁ ଭୁବନେଶ୍ୱରସ୍ଥିତ ରେଳ ସଦନରେ ବିପର୍ଯ୍ୟୟ ପରିଚାଳନା ସେଲ୍‌କୁ ସକ୍ରିୟ କରାଯାଇଛି। ଏଥିସହ ବିଭିନ୍ନ ଡିଭିଜନ୍ ମୁଖ୍ୟାଳୟରେ ୨୪ ଘଣ୍ଟିଆ ୱାର୍ ରୁମ୍ କାର୍ଯ୍ୟ କରୁଛି। ବିପଦପ୍ରବଣ ରେଳପଥରେ ଅଧିକ ପାଟ୍ରୋଲିଂ ବ୍ୟବସ୍ଥା କରାଯିବା ସହ ଅତିରିକ୍ତ ପାଟ୍ରୋଲମ୍ୟାନ୍ ଓ ୱାଚ୍‌ମ୍ୟାନ୍‌ଙ୍କୁ ନିୟୋଜିତ କରାଯାଇଛି। ସମ୍ବେଦନଶୀଳ ରେଳଖଣ୍ଡଗୁଡ଼ିକର ତଦାରଖ ପାଇଁ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।

ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର ଓ ମରାମତି କାର୍ଯ୍ୟ କରିବା ପାଇଁ ମୌସୁମୀକାଳୀନ ସଂରକ୍ଷିତ ଟ୍ରେନ୍, ଡିଜେଲ୍ ଇଞ୍ଜିନ୍, ଟାୱାର ୱାଗନ୍, ଭାରୀ ଯନ୍ତ୍ରପାତି, ଇଞ୍ଜିନିୟରିଂ ଉପକରଣ ଓ ମରାମତି ସାମଗ୍ରୀକୁ ବିଭିନ୍ନ ରଣନୈତିକ ସ୍ଥାନରେ ପ୍ରସ୍ତୁତ ରଖାଯାଇଛି। ଏହାସହ ଦୁର୍ଘଟଣା ରିଲିଫ୍ ଟ୍ରେନ୍, ଡାକ୍ତରୀ ଦଳ, ଆମ୍ବୁଲାନ୍ସ ଓ ପ୍ରାଥମିକ ଚିକିତ୍ସା ସୁବିଧା ମଧ୍ୟ ପ୍ରସ୍ତୁତ ରହିଛି।

ବାତ୍ୟାର ଗତିବିଧି ଓ ପାଣିପାଗ ସ୍ଥିତି ଉପରେ ନଜର ରଖିବା ପାଇଁ ପାଣିପାଗ ବିଭାଗ ଏବଂ ଓଡ଼ିଶା ସରକାରଙ୍କ ସହ ନିରନ୍ତର ସମନ୍ୱୟ ରଖାଯାଉଛି। ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ ହେଲେ ଯାତ୍ରୀମାନଙ୍କୁ ଷ୍ଟେସନ୍‌ଗୁଡ଼ିକରେ ଘୋଷଣା ବ୍ୟବସ୍ଥା ମାଧ୍ୟମରେ ସୂଚନା ଦେବାକୁ ଷ୍ଟେସନ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ଭାବ୍ୟ ଖରାପ ପାଗକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଭାବେ ଟ୍ରେନ୍ ଚଳାଚଳକୁ ନିୟନ୍ତ୍ରଣ କରାଯିବ। ପାଣିପାଗର ସ୍ଥିତି ଓ ସୁରକ୍ଷା ସମୀକ୍ଷା ଆଧାରରେ ଆବଶ୍ୟକ ହେଲେ ଅଧିକ ପଦକ୍ଷେପ ନିଆଯିବ।

ପୂର୍ବତଟ ରେଳପଥ ପକ୍ଷରୁ ସମଗ୍ର ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ବାତ୍ୟା ସମୟରେ ରେଳଯାତ୍ରୀ ଓ ରେଳ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ରେଳ ସମ୍ପତ୍ତିର ସୁରକ୍ଷା କରିବା ଏବଂ ବାତ୍ୟା ପରେ ଯଥାଶୀଘ୍ର ସ୍ୱାଭାବିକ ଟ୍ରେନ୍ ଚଳାଚଳ ଆରମ୍ଭ କରିବା ଏହି ପ୍ରସ୍ତୁତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।

 

Spread the love