ଭୁବନେଶ୍ୱର: ଆସନ୍ତାକାଲି ୮ ଅକ୍ଟୋବରରେ ଓଡ଼ିଶା ବନ୍ଦ। ବନ୍ଦକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ଗଣତାନ୍ତ୍ରିକ ଭାବେ ସଫଳ କରିବାକୁ ବନ୍ଦ ସମର୍ଥକଙ୍କୁ ଆହ୍ୱାନ ଦିଆଯାଇଛି। ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଘରୋଇ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସାଧାରଣ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ ରଖିବାକୁ ଶାନ୍ତିପୂର୍ଣ୍ଣ ଭାବେ ଅନୁରୋଧ କରାଯିବ।
ବନ୍ଦ ସମୟରେ ସରକାରୀ ଓ ବେସରକାରୀ ଅଫିସ୍, ଶିକ୍ଷାନୁଷ୍ଠାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନର ସାଧାରଣ କାର୍ଯ୍ୟକଳାପ ବନ୍ଦ ପାଇଁ ଗଣତାନ୍ତ୍ରିକ ଭାବେ ପ୍ରଚାର ଓ ପିକେଟିଂ କରାଯିବ। ବସ୍, ଅଟୋ, ଟ୍ରକ୍ ଓ ଅନ୍ୟାନ୍ୟ ବାଣିଜ୍ୟିକ ଯାତାୟାତ ବନ୍ଦ ରଖିବାକୁ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ଅନୁରୋଧ କରାଯିବ। ରାସ୍ତାରେ ଶାନ୍ତିପୂର୍ଣ୍ଣ ପିକେଟିଂ, ଧାରଣା ଓ ପ୍ରତିବାଦ କରାଯିବ।
ତେବେ ଜରୁରୀ ସେବାଗୁଡ଼ିକୁ ବନ୍ଦରୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି। ସରକାରୀ ଓ ବେସରକାରୀ ହସ୍ପିଟାଲ, ନର୍ସିଂହୋମ୍, କ୍ଲିନିକ୍, ଆପାତକାଳୀନ ଚିକିତ୍ସା କେନ୍ଦ୍ର, ଡାୟାଗ୍ନୋଷ୍ଟିକ୍ କେନ୍ଦ୍ର, ରକ୍ତ ଭଣ୍ଡାର ସହ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ସେବାରେ କୌଣସି ବାଧା ଦିଆଯିବ ନାହିଁ।
ଛାତ୍ରଛାତ୍ରୀଙ୍କ ସମସ୍ତ ପ୍ରକାର ପରୀକ୍ଷାରେ ମଧ୍ୟ କୌଣସି ବାଧା ସୃଷ୍ଟି କରାଯିବ ନାହିଁ। ୧୦୮, ୧୦୨ ସମେତ ସମସ୍ତ ଆମ୍ବୁଲାନ୍ସକୁ ଅଟକାଯିବ ନାହିଁ। ରୋଗୀଙ୍କୁ ନେଇ ଯାଉଥିବା ଯେକୌଣସି ଗାଡ଼ିକୁ ତୁରନ୍ତ ରାସ୍ତା ଦିଆଯିବ।
ସେହିପରି ଅଗ୍ନିଶମ ବାହିନୀ, ଉଦ୍ଧାରକାରୀ ଦଳ ଓ ଅନ୍ୟାନ୍ୟ ଜରୁରୀ ସେବାର ଯାନବାହନକୁ ସମ୍ପୂର୍ଣ୍ଣ ମୁକ୍ତ ରାସ୍ତା ଦିଆଯିବ। ଔଷଧ ଦୋକାନ, ଜନ ଔଷଧି କେନ୍ଦ୍ର, ଜରୁରୀ ଚିକିତ୍ସା ସାମଗ୍ରୀର ଯୋଗାଣ ଏବଂ ଦୁଧ ବିତରଣ କେନ୍ଦ୍ର, ଦୁଧ ଗାଡ଼ି ଓ ଆବଶ୍ୟକ ଦୁଧ ଯୋଗାଣକୁ ମଧ୍ୟ ବନ୍ଦରୁ ବାହାରେ ରଖାଯାଇଛି।
ଜରୁରୀ ଉଦ୍ଧାର କାର୍ଯ୍ୟ, ବିପର୍ଯ୍ୟୟ ପରିଚାଳନା, ଜରୁରୀ ପୋଲିସ୍ ସେବା, ଅଗ୍ନିଶମ ସେବା, ଚିକିତ୍ସା ସେବା, ଜରୁରୀ ଔଷଧ ଯୋଗାଣ ଏବଂ ବିଦ୍ୟୁତ୍ ଓ ଜଳ ସେବା ପୁନରୁଦ୍ଧାର କାର୍ଯ୍ୟରେ କୌଣସି ବାଧା ନଦେବାକୁ କୁହାଯାଇଛି।
ବନ୍ଦ ସମୟରେ ସାଧାରଣ ଲୋକଙ୍କ ସହିତ ନମ୍ର, ଭଦ୍ର ଓ ସଂଯମୀ ବ୍ୟବହାର କରିବାକୁ ବନ୍ଦ କର୍ମୀଙ୍କୁ ଆହ୍ୱାନ ଦିଆଯାଇଛି। ଜରୁରୀ ଆବଶ୍ୟକତାରେ ଯାଉଥିବା ରୋଗୀ, ବୃଦ୍ଧ, ଶିଶୁ ଓ ମହିଳାଙ୍କୁ ଯାତାୟାତରେ ସହଯୋଗ କରିବାକୁ କୁହାଯାଇଛି।
ଏଥିସହ ଗଣମାଧ୍ୟମ ପ୍ରତିନିଧି, ସାମ୍ବାଦିକ ଓ ଖବର ସଂଗ୍ରହ କରୁଥିବା ବ୍ୟକ୍ତିଙ୍କୁ କାର୍ଯ୍ୟ କରିବାରେ କୌଣସି ବାଧା ନଦେବାକୁ ସ୍ପଷ୍ଟ କରାଯାଇଛି। ବନ୍ଦର ଉଦ୍ଦେଶ୍ୟ ଗଣତାନ୍ତ୍ରିକ ପ୍ରତିବାଦ ମାଧ୍ୟମରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା, ଜନସାଧାରଣଙ୍କୁ ଅସୁବିଧାରେ ପକାଇବା ନୁହେଁ ବୋଲି କୁହାଯାଇଛି।
ତେଣୁ ଆସନ୍ତାକାଲିର ବନ୍ଦକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ଗଣତାନ୍ତ୍ରିକ ଭାବେ ପାଳନ କରିବା ସହ ଜରୁରୀ ସେବା ଏବଂ ଜରୁରୀ ଯାନବାହନକୁ ସର୍ବଦା ରାସ୍ତା ଦେବାକୁ ବନ୍ଦ କର୍ମୀଙ୍କୁ ଅନୁରୋଧ କରାଯାଇଛି।