39

ରାହୁଲ ଗାନ୍ଧୀଙ୍କ ଆର୍ଥିକ ଭବିଷ୍ୟବାଣୀକୁ ଜୟଶଙ୍କର ଦୋହରାଇଛନ୍ତି: କଂଗ୍ରେସ

ଭୁବନେଶ୍ୱର: ଭାରତ ଏକ ଗୁରୁତର ଆର୍ଥିକ ସଙ୍କଟ ଆଡ଼କୁ ଗତି କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଏହି ପ୍ରସଙ୍ଗରେ ସୋମବାର ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।

ସମ୍ମିଳନୀରେ ଯୋଗଦେଇ ଏଆଇସିସି ମୁଖପାତ୍ର ଡ. ହମିଦ ହୁସେନ କହିଥିଲେ ଯେ, ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଦେଶର ଆର୍ଥିକ, କୃଷି ଓ ଅର୍ଥନୈତିକ ସଙ୍କଟ ନେଇ ଦୀର୍ଘଦିନ ଧରି ଚେତାବନୀ ଦେଇଆସୁଛନ୍ତି। ଏବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ବକ୍ତବ୍ୟରେ ମଧ୍ୟ ସମାନ ପ୍ରସଙ୍ଗ ଉଠିଥିବାରୁ ରାହୁଲ ଗାନ୍ଧୀଙ୍କ ପୂର୍ବ ଚେତାବନୀ ସତ୍ୟ ହେବାକୁ ଯାଉଛି ବୋଲି କଂଗ୍ରେସ ଦାବି କରିଛି।

ଡ. ହୁସେନଙ୍କ କହିବାନୁସାରେ, ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ନୀତି ଯୋଗୁଁ ଦେଶରେ ଏକ ଆର୍ଥିକ ‘ବାତ୍ୟା’ କିମ୍ବା ‘ସୁନାମି’ ଆସିବାର ଆଶଙ୍କା ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ, ଜାତିସଂଘ ସାଧାରଣ ସଭାର ୮୧ତମ ଅଧିବେଶନରେ ଏସ୍. ଜୟଶଙ୍କର ‘ଗ୍ଲୋବାଲ ସାଉଥ୍’ ସମେତ ଭାରତ ଉପରେ ଖାଦ୍ୟ, ଇନ୍ଧନ, ଅର୍ଥ ଓ ସାର—ଏହି ଚାରିଟି ‘F’ର ସଙ୍କଟ ଆସିପାରେ ବୋଲି ଉଲ୍ଲେଖ କରିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।

ଡ. ହୁସେନ ଡ. ଦୀପକ ଯାଦବଙ୍କ ପୁସ୍ତକ ‘ରାହୁଲ ଗାନ୍ଧୀଜ୍ ଇଣ୍ଡିଆ’କୁ ଉଦ୍ଧୃତ କରି କହିଥିଲେ ଯେ, ବଡ଼ ଶିଳ୍ପପତିଙ୍କ ପ୍ରତି ସରକାରଙ୍କ ପକ୍ଷପାତିତା ଏବଂ ଗରିବ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପ୍ରତି ବିରୋଧୀ ନୀତି ଯୋଗୁଁ ଆର୍ଥିକ ସଙ୍କଟ ଗଭୀର ହେଉଛି। ସବସିଡି ପ୍ରତ୍ୟାହାର, ଆଇନସମ୍ମତ MSP ନୀତିର ଅଭାବ, କୋଲ୍ଡ ଷ୍ଟୋରେଜ୍ ଓ କୃଷି ପ୍ରକ୍ରିୟାକରଣ ୟୁନିଟ୍‌ର ଅଭାବ, ସାରର ମୂଲ୍ୟବୃଦ୍ଧି ଓ ଅନୁପଲବ୍ଧତା ଚାଷୀଙ୍କ ସମସ୍ୟାକୁ ବଢ଼ାଇଛି।

ସେ ଆହୁରି କହିଥିଲେ ଯେ, ଆସାମ, ବିହାର, ଉତ୍ତରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ପ୍ରତିବର୍ଷ ବନ୍ୟା ଯୋଗୁଁ ବହୁ ପରିମାଣର କୃଷିଜମି ଓ ଫସଲ କ୍ଷତିଗ୍ରସ୍ତ ହେଉଛି। ବନ୍ୟା ନିୟନ୍ତ୍ରଣ ପାଇଁ ନୂଆ ହ୍ରଦ, ଜଳାଶୟ, ବନ୍ଧ, ବାରେଜ୍‌ ଓ ନଦୀବନ୍ଧ ନିର୍ମାଣ ଭଳି ପଦକ୍ଷେପର ଅଭାବ ରହିଛି ବୋଲି ସେ ଅଭିଯୋଗ କରିଥିଲେ।

କ୍ରମାଗତ ମୂଲ୍ୟବୃଦ୍ଧି, ଟଙ୍କାର ଅବମୂଲ୍ୟାୟନ, ବେକାରୀ ଏବଂ ଜିଏସ୍‌ଟି ନୀତି ଯୋଗୁଁ ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ୁଥିବା କଂଗ୍ରେସ ଅଭିଯୋଗ କରିଛି। ବଡ଼ କର୍ପୋରେଟ୍‌ ସଂସ୍ଥାଗୁଡ଼ିକୁ ଟିକସ ରିହାତି ଦିଆଯାଉଥିବା ବେଳେ ଚାଷୀଙ୍କ ଋଣଛାଡ଼ ପାଇଁ ସମାନ ପଦକ୍ଷେପ ନିଆଯାଉନାହିଁ ବୋଲି ଦଳ କହିଛି।

ସେହିପରି, ଦେଶରୁ ପୁଞ୍ଜି ପ୍ରବାହ, ବେକାରୀ ଓ ଜୀବିକା ହରାଇବା ଭଳି ସମସ୍ୟା ଅର୍ଥନୀତି ପାଇଁ ଚିନ୍ତାଜନକ ବୋଲି ଡ. ହୁସେନ କହିଥିଲେ। ଭାରତର ମୁଣ୍ଡପିଛା GDP, ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (MPI) ଓ ମାନବ ବିକାଶ ସୂଚକାଙ୍କ (HDI)ର ସ୍ଥିତିକୁ ନେଇ ମଧ୍ୟ ସେ ଉଦ୍‌ବେଗ ପ୍ରକାଶ କରିଥିଲେ।

ଇନ୍ଧନ ସଙ୍କଟ ସମ୍ପର୍କରେ ସେ କହିଥିଲେ ଯେ, ଆନ୍ତର୍ଜାତିକ ପରିସ୍ଥିତି ସହିତ ଦେଶର ତୈଳ ଓ ଗ୍ୟାସ୍‌ ଅନୁସନ୍ଧାନ କ୍ଷେତ୍ରରେ ନୀତିଗତ ଅଭାବ ମଧ୍ୟ ଏହାର ଏକ କାରଣ। ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସକୁ ନେଇ ମଧ୍ୟ ସେ ଚିନ୍ତା ପ୍ରକାଶ କରିଥିଲେ।

ଏଭଳି ନୀତି ଓ ପରିସ୍ଥିତି ଜାରି ରହିଲେ ଦେଶର ଅର୍ଥନୈତିକ ଭବିଷ୍ୟତ ଗୁରୁତର ଭାବେ ପ୍ରଭାବିତ ହେବ। ତେଣୁ ଦେଶର ଆର୍ଥିକ ନୀତିରେ ବ୍ୟାପକ ସଂରଚନାତ୍ମକ ଓ କାର୍ଯ୍ୟାତ୍ମକ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଡ. ହୁସେନ କହିଥିଲେ।

ସମ୍ମିଳନୀରେ କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟ ଓ କଂଗ୍ରେସ ମୁଖପାତ୍ର ଜୟଶ୍ରୀ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ସେମାନେ କହିଥିଲେ ଯେ, ରାହୁଲ ଗାନ୍ଧୀ ଦେଶରେ ଆର୍ଥିକ ସୁନାମୀ ଆସିବା ନେଇ ଦୀର୍ଘଦିନ ଧରି ଚେତାବନୀ ଦେଇଆସୁଛନ୍ତି। ଏବେ କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀଙ୍କ ବକ୍ତବ୍ୟରେ ‘4F Crisis’ ପ୍ରସଙ୍ଗ ଉଠିବା ଏହି ଆଶଙ୍କାକୁ ଆହୁରି ଗୁରୁତ୍ୱ ଦେଉଛି ବୋଲି ସେମାନେ କହିଥିଲେ।

ଜୟଶ୍ରୀ ପାତ୍ର ଅଭିଯୋଗ କରିଥିଲେ ଯେ, ଖାଦ୍ୟ ସୁରକ୍ଷାକୁ ବଳି ଦେଇ ଇନ୍ଧନ ସୁରକ୍ଷାର କଥା କହିବା ସୁଶାସନର ଉଦାହରଣ ହୋଇପାରେ ନାହିଁ। ଇଥାନଲ୍‌ ମିଶ୍ରିତ ପେଟ୍ରୋଲ ବ୍ୟବହାର ସତ୍ତ୍ୱେ ପେଟ୍ରୋଲ ଦର ହ୍ରାସ ପାଇନଥିବା ବେଳେ ଚିନି, ଚାଉଳ ଓ ଅଣ୍ଡା ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିଛି ବୋଲି ସେ କହିଥିଲେ।

ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିଲେ ମଧ୍ୟ ତାହାର ଲାଭ ସାଧାରଣ ଲୋକଙ୍କୁ ମିଳୁନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି। ପେଟ୍ରୋଲ ଓ ଡିଜେଲ ଉପରେ ସେସ୍‌ ଏବଂ ଏକ୍ସାଇଜ୍‌ ଡ୍ୟୁଟି ମାଧ୍ୟମରେ କେନ୍ଦ୍ର ସରକାର ବିପୁଳ ରାଜସ୍ୱ ସଂଗ୍ରହ କରୁଥିବା ମଧ୍ୟ ସେ କହିଥିଲେ।

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଏବଂ ଦେଶର ଋଣଭାର ବୃଦ୍ଧିକୁ ନେଇ ମଧ୍ୟ କଂଗ୍ରେସ ନେତାମାନେ ପ୍ରଶ୍ନ ଉଠାଇଥିଲେ। ୨୦୧୪ରେ ଦେଶର ମୋଟ ସରକାରୀ ଋଣଭାର ପ୍ରାୟ ୫୫ ଲକ୍ଷ କୋଟି ଟଙ୍କା ଥିବା ବେଳେ ଏହା ବର୍ତ୍ତମାନ ୨୦୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିବା ସେମାନେ ଦାବି କରିଥିଲେ।

ଦେଶ ଏକ ଆର୍ଥିକ ସଙ୍କଟ ଦିଗରେ ଗତି କରୁଥିବା ବେଳେ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପୂର୍ବ ପ୍ରସ୍ତୁତି କ’ଣ ରହିଛି ଏବଂ ସରକାର କେତେ ପ୍ରସ୍ତୁତ ଅଛନ୍ତି, ତାହା ନେଇ ସିଦ୍ଧାର୍ଥ ରାଉତରାୟ ଓ ଜୟଶ୍ରୀ ପାତ୍ର ପ୍ରଶ୍ନ ଉଠାଇଥିଲେ।

 

Spread the love