40

ଦକ୍ଷତା ବିକାଶକୁ ସୁଦୃଢ଼ କରିବାକୁ ଓଡ଼ିଶା ସରକାରଙ୍କ ରଣନୀତିକ ଏମ୍‌ଓୟୁ ସ୍ୱାକ୍ଷର

ଭୁବନେଶ୍ୱର: ଓଡ଼ିଶାରେ ଭବିଷ୍ୟତମୁଖୀ ଦକ୍ଷ ମାନବ ସମ୍ବଳ ସୃଷ୍ଟି ଏବଂ ଶିଳ୍ପ ଓ ବୈଷୟିକ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଭିନ୍ନ ରଣନୀତିକ ସହଯୋଗୀ ସଂସ୍ଥା ସହ ଏମ୍‌ଓୟୁ ବିନିମୟ ହୋଇଛି। ଭୁବନେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଏହି ଚୁକ୍ତି ସମ୍ପାଦିତ ହୋଇଛି।

ଏହି ସହଯୋଗ ମାଧ୍ୟମରେ ଶିଳ୍ପ ଆବଶ୍ୟକତା ଅନୁଯାୟୀ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା, ସେଣ୍ଟର୍ସ ଅଫ୍ ଏକ୍ସିଲେନ୍ସ, ନବସୃଜନ ଏବଂ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ।

ସମାରୋହରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ, ଏହି ଚୁକ୍ତିଗୁଡ଼ିକ ମାନବ ସମ୍ବଳରେ ଏକ ଗୁରୁତ୍ୱପୂର୍ଣ୍ଣ ନିବେଶ। ଓଡ଼ିଶାର ବିସ୍ତାରିତ ଶିଳ୍ପ ବ୍ୟବସ୍ଥା ପାଇଁ ଆବଶ୍ୟକ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ କରିବା ସହ ଯୁବକ-ଯୁବତୀଙ୍କୁ ଗୁଣାତ୍ମକ ପ୍ରଶିକ୍ଷଣ, ନିଯୁକ୍ତି ଓ କ୍ୟାରିୟର ବିକାଶର ସୁଯୋଗ ମିଳିବ।

ଏହି ସହଯୋଗରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ସାଇବର ସିକ୍ୟୁରିଟି, ରୋବୋଟିକ୍ସ, ସେମିକଣ୍ଡକ୍ଟର, ଆଡଭାନ୍ସଡ୍ ମ୍ୟାନୁଫାକ୍ଚରିଂ, ଗ୍ରୀନ୍ ଜବ୍ସ ଏବଂ ଅଟୋମୋଟିଭ୍ ଟେକ୍ନୋଲୋଜି ଭଳି ଉଚ୍ଚ ଚାହିଦା ଥିବା କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ।

ଏମ୍‌ଓୟୁ ଅଧୀନରେ ସେଣ୍ଟର୍ସ ଅଫ୍ ଏକ୍ସିଲେନ୍ସକୁ ସହାୟତା, ଶିଳ୍ପଭିତ୍ତିକ ପ୍ରଶିକ୍ଷଣ, ପାଠ୍ୟକ୍ରମରେ ସଂସ୍କାର, ପ୍ରଶିକ୍ଷକଙ୍କ ଦକ୍ଷତା ବୃଦ୍ଧି, ଜ୍ଞାନ ଆଦାନପ୍ରଦାନ, ଆପ୍ରେଣ୍ଟିସ୍‌ସିପ୍ ଓ ପ୍ଲେସମେଣ୍ଟ ଭଳି କାର୍ଯ୍ୟକ୍ରମ ଆଗେଇ ନିଆଯିବ। ଫଳରେ ଛାତ୍ରଛାତ୍ରୀମାନେ ନୂଆ ପ୍ରଯୁକ୍ତି ଓ ଶିଳ୍ପର ସର୍ବଶେଷ ପ୍ରଚଳନ ସମ୍ପର୍କରେ ଅଧିକ ଅଭିଜ୍ଞତା ହାସଲ କରିପାରିବେ।

ମହିଳା ଏବଂ ବଞ୍ଚିତ ବର୍ଗର ଯୁବପିଢ଼ିଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତାଭିତ୍ତିକ ନିଯୁକ୍ତିରେ ଅଧିକ ସୁଯୋଗ ପ୍ରଦାନ କରିବା ଉପରେ ମଧ୍ୟ ଏହି ସହଯୋଗରେ ବିଶେଷ ଗୁରୁତ୍ୱ ରହିଛି।

ଏହି ଏମ୍‌ଓୟୁରେ ୱାନ ଏମ ୱାନ ବି ଫାଉଣ୍ଡେସନ , କାଲଡେରିସ (ଫ୍ରାନ୍ସ), ସି ଆଇ ଇ ଏଲ ଏଚ ଆର ସସର୍ଭିସେସ ଏଲ ଟି ଡ଼ି, କ୍ଲୁସ ଇଣ୍ଡିଆ (ଜର୍ମାନୀ), ଡେଲ୍ଫି – ଟି ଭି ଏସ ଟେକ୍ନୋଲୋଜିସ ଏଲ ଟି ଡ଼ି, ଏଫ ୫ ଇଣ୍ଡିଆ (ୟୁ ଏସ ଏ), ଗଡ଼ରେଜ କଞ୍ଜ୍ୟୁମର ପ୍ରଡକ୍ଟସ ଏଲ ଟି ଡ଼ି, ହେଟ୍ଟୀଚ ପୋଡ଼ର ଉଡ଼ ୱର୍କିଙ୍ଗ ଇନ୍ଷ୍ଟିଚୁଟ, ଆଇଫୋରେଷ୍ଟ , ମହିନ୍ଦ୍ରା ହଲିଡେଜ ଆଣ୍ଡ ରେସର୍ଟସ ଇଣ୍ଡିଆ ପି ଭି ଟି ଏଲ ଟି ଡ଼ି, ଓ ଏସ ଏମ ଇ, ସେମାଣ୍ଟିକସ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ, ଟି ଏଚ କେ ଇଣ୍ଡିଆ (ଜାପାନ) ଏବଂ ଉତ୍କଳ ବିଶ୍ୱ ବିଦ୍ୟାଳୟ ପରି ସଂସ୍ଥା ସାମିଲ ହୋଇଛନ୍ତି।

କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର-କମ୍-ସଚିବ ଭୂପେନ୍ଦ୍ର ସିଂହ ପୁନିଆ, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ସିଂହ ରାଠୋର, ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ସିଇଓ ରଶ୍ମି ରଞ୍ଜନ ମହାପାତ୍ରଙ୍କ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧି ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

 

Spread the love