27

ମଠର ମୁଖ୍ୟ ଗେଟ୍ ସହ ଲାଗି ରୋଷେଇ ଘର ନିର୍ମାଣକୁ ବିରୋଧ, ତୀବ୍ର ଅସନ୍ତୋଷ ପ୍ରକାଶ କଲେ ଗ୍ରାମବାସୀ!

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୁହୁଡ଼ି ପଞ୍ଚାୟତର ବଘେଇସାହିସ୍ଥିତ ଶତାଧିକ ବର୍ଷର ପୁରାତନ ରାଧାମୋହନ ମଠର ମୁଖ୍ୟ ପ୍ରବେଶ ଦ୍ୱାର ସହ ଲାଗି ଏକ ସରକାରୀ ରୋଷେଇ ଘର ନିର୍ମାଣକୁ ନେଇ ଗ୍ରାମବାସୀ ଓ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଟାଙ୍ଗୀ ବ୍ଲକ୍ ପାଣ୍ଠିରୁ ଏହି ନିର୍ମାଣ କାର୍ଯ୍ୟ କରାଯାଉଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ମଠର ସମ୍ମୁଖ ଭାଗରେ ଥିବା ଖାଲି ସ୍ଥାନଟି ମଠର ସୌନ୍ଦର୍ଯ୍ୟକରଣ ସହ ଭକ୍ତଙ୍କ ଯାତାୟାତ ଏବଂ ବିଭିନ୍ନ ଧାର୍ମିକ କାର୍ଯ୍ୟ ପାଇଁ ଖୋଲା ରଖାଯାଇଥିଲା। ତେବେ ଏବେ ସେହି ସ୍ଥାନରେ ମଠର ମୁଖ୍ୟ ଗେଟ୍ ସହ ଲାଗି ରୋଷେଇ ଘର ନିର୍ମାଣ ପାଇଁ ଫାଉଣ୍ଡେସନ୍ କରାଯାଇଛି। ମଠର ପ୍ରବେଶ ଦ୍ୱାରକୁ ଲାଗି ଏଭଳି ନିର୍ମାଣ କରାଗଲେ ମଠର ପରିବେଶ, ପରମ୍ପରା ଓ ପବିତ୍ରତା ପ୍ରଭାବିତ ହେବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାଧାମୋହନ ମଠ କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ଏହା ଗ୍ରାମବାସୀଙ୍କ ଆସ୍ଥା ଓ ପରମ୍ପରାର ପ୍ରତୀକ। ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ମଠକୁ ଆସୁଥିବା ବେଳେ ମୁଖ୍ୟ ଗେଟ୍ ସମ୍ମୁଖରେ ରୋଷେଇ ଘର ନିର୍ମାଣ ହେଲେ ଭକ୍ତଙ୍କ ଯାତାୟାତରେ ବାଧା ସୃଷ୍ଟି ହେବ। ଏଥିସହ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନରେ ମଧ୍ୟ ସମସ୍ୟା ଉପୁଜିବ ବୋଲି ସେମାନେ କହିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗାଁ ଭିତରେ ଅନ୍ୟାନ୍ୟ ସରକାରୀ ଖାଲି ଜାଗା ଥିବା ସତ୍ତ୍ୱେ ମଠର ପ୍ରବେଶ ଦ୍ୱାର ସମ୍ମୁଖରେ ଏହି ନିର୍ମାଣ କରାଯାଉଛି। ଏନେଇ ଓଡ଼ିଶାର ମାନ୍ୟବର ଆଇନ ମନ୍ତ୍ରୀ, ଖୋର୍ଦ୍ଧା ବିଧାୟକ, ଟାଙ୍ଗୀ ବ୍ଲକ୍ ଅଧ୍ୟକ୍ଷା, ବିଡିଓ, ଏଇ/ଜେଇ, କୁହୁଡ଼ି ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟା ଓ ସମିତି ସଭ୍ୟାଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିବା ଗ୍ରାମବାସୀ କହିଛନ୍ତି।

ଗ୍ରାମବାସୀଙ୍କ ଦାବି ହେଉଛି, ମଠର ମୁଖ୍ୟ ଗେଟ୍ ସମ୍ମୁଖରେ ଚାଲିଥିବା ରୋଷେଇ ଘର ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯାଉ। ଏଥିସହ ରୋଷେଇ ଘରକୁ ମଠଠାରୁ ଦୂରରେ ଥିବା ଅନ୍ୟ ଏକ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ମଠର ପରିବେଶ, ପରମ୍ପରା ଓ ପବିତ୍ରତାର ସୁରକ୍ଷା କରାଯାଉ। ଏନେଇ ଟାଙ୍ଗୀ ବ୍ଲକ୍ ବିଡିଓ ତୁରନ୍ତ ହସ୍ତକ୍ଷେପ କରି ଉଚିତ ପଦକ୍ଷେପ ନେବେ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।

 

Spread the love