60

ବନ୍ୟା ପ୍ରପୀଡ଼ିତଙ୍କୁ ତ୍ୱରିତ ସହାୟତା ପାଇଁ ଜିଲ୍ଲା ପ୍ରଶାସନକୁ ଦାବି ଜଣାଇଲେ ସନ୍ଦୀପ୍ତ!

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳବନ୍ଦୀ ପରିବାରଙ୍କୁ ତ୍ୱରିତ ଓ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଛି ଆମ୍ ଆଦମୀ ପାର୍ଟି (ଆପ୍), କେନ୍ଦ୍ରାପଡ଼ା ଜିଲ୍ଲା ସଂଗଠନ।

ଦଳର ଏକ ଟିମ୍ ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଭାବିତ ପରିବାରଙ୍କୁ ଦଳ ପକ୍ଷରୁ ସାଧ୍ୟମତେ ସହଯୋଗ କରିଥିବା ଜଣାପଡ଼ିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳର ବାଲିପାଟଣା, ତନୁପୁର, ବଙ୍ଗାଳଦିଆ, ବାଛରା, ଅଣ୍ଡରା ସମେତ ବନ୍ୟା ପ୍ରଭାବିତ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ବନ୍ୟାଜଳ ଯୋଗୁଁ ଲୋକଙ୍କ ଜୀବନଯାପନ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଦଳ ଅଭିଯୋଗ କରିଛି।

ଆପ୍‌ର ଅଭିଯୋଗ ଅନୁସାରେ, ପ୍ରଭାବିତ ପରିବାରଙ୍କୁ ଘର ପିଛା ମାତ୍ର ଏକ କେଜି ଚୁଡ଼ା ଓ କିଛି ବିସ୍କୁଟ ଯୋଗାଇ ପ୍ରଶାସନ ନିଜ ଦାୟିତ୍ୱ ସାରିଦେଇଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହାସହ ବନ୍ୟା ପରେ ଦୂଷିତ ପରିବେଶ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ବଢ଼ିବାର ଆଶଙ୍କା ଥିଲେ ମଧ୍ୟ ଅନେକ ସ୍ଥାନରେ ଡାକ୍ତରୀ ଟିମ୍ ଓ ଔଷଧ ପହଞ୍ଚିନଥିବା ଦଳ ପକ୍ଷରୁ କୁହାଯାଇଛି।

ବନ୍ୟା ପ୍ରଭାବିତ ଅଞ୍ଚଳରେ ଖାଦ୍ୟ ସଙ୍କଟ ଗୁରୁତର ହେଉଥିବା ବେଳେ ଦୀର୍ଘଦିନ ଧରି ଜଳବନ୍ଦୀ ଥିବା ଲୋକଙ୍କ ଗମନାଗମନ ପାଇଁ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇନଥିବା ଆପ୍ ଅଭିଯୋଗ କରିଛି ଦଳ |

ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ତୁରନ୍ତ ଶୁଖିଲା ଓ ରନ୍ଧା ଖାଦ୍ୟ ସହ ଶିଶୁ ଖାଦ୍ୟ ଯୋଗାଣ, ଜଳବନ୍ଦୀ ଲୋକଙ୍କ ଗମନାଗମନ ଏବଂ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ପାଇଁ ଯାତାୟାତ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଡାକ୍ତରୀ ଟିମ୍ ପଠାଇବାକୁ ଦଳ ଦାବି କରିଛି।

ଏହାସହ ବନ୍ୟା ପରବର୍ତ୍ତୀ ଦୂଷିତ ପରିବେଶ ନିୟନ୍ତ୍ରଣ ପାଇଁ ବ୍ଲିଚିଂ ପାଉଡର ଓ ଆବଶ୍ୟକ ରାସାୟନିକ ଦ୍ରବ୍ୟ ପ୍ରୟୋଗ, ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ, ଚିକିତ୍ସା ଓ ସୁରକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଛି।

ଏହି ଦାବିଗୁଡ଼ିକ ନେଇ ଆମ୍ ଆଦମୀ ପାର୍ଟିର ରାଜ୍ୟ ସଂଗଠନ ସମ୍ପାଦକ ସନ୍ଦୀପ୍ତ ଦାସଙ୍କ ନେତୃତ୍ୱରେ** ଏକ ପ୍ରତିନିଧି ଦଳ ଗତକାଲି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେବା ସହ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

ଏଭଳି ସଙ୍କଟମୟ ସମୟରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଜିଲ୍ଲାର ଜଳବନ୍ଦୀ ଲୋକଙ୍କ ସମସ୍ୟା ଉପରେ ସିଧାସଳଖ ନଜର ରଖିବା ସହ ବନ୍ୟା ପ୍ରଭାବିତଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ଆମ୍ ଆଦମୀ ପାର୍ଟି ଅନୁରୋଧ କରିଛି।

 

Spread the love