ଭୁବନେଶ୍ୱର: ଓଡ଼ିଶାର ଉପକୂଳ ଅଞ୍ଚଳ ପାଇଁ ମାଙ୍ଗ୍ରୋଭ ଜଙ୍ଗଲ କେବଳ ପ୍ରାକୃତିକ ସମ୍ପଦ ନୁହେଁ, ବରଂ ବାତ୍ୟା, ସାମୁଦ୍ରିକ ଜୁଆର, ଉପକୂଳ କ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ବିପଦରୁ ସୁରକ୍ଷା ଦେଉଥିବା ଏକ ପ୍ରାକୃତିକ କବଚ। ଏହା ସହିତ ମତ୍ସ୍ୟଜୀବୀ ସମୁଦାୟର ଜୀବିକା ଏବଂ ସମୃଦ୍ଧ ଜୈବ ବିବିଧତାର ସଂରକ୍ଷଣରେ ମଧ୍ୟ ମାଙ୍ଗ୍ରୋଭର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏହି ପରିପ୍ରେକ୍ଷୀରେ ଇଣ୍ଡୋ ଗ୍ଲୋବାଲ୍ ସୋସିଆଲ୍ ସର୍ଭିସ୍ ସୋସାଇଟି (IGSSS), ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍ (USL) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ ଆଣ୍ଡ କେୟାର (IIEC) ର ମିଳିତ ଆନୁକୂଲ୍ୟରେ ‘ମାଙ୍ଗ୍ରୋଭ ୱାରିଅର୍ସ କନକ୍ଲେଭ୍ ଓଡ଼ିଶା-୨୦୨୬’ ଆୟୋଜିତ ହୋଇଯାଇଛି। ଜୁଲାଇ ୨୭ ଓ ୨୮ ତାରିଖରେ ଭୁବନେଶ୍ୱରସ୍ଥିତ ହୋଟେଲ୍ ପ୍ରେସିଡେନ୍ସିରେ ଅନୁଷ୍ଠିତ ଏହି ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ମାଙ୍ଗ୍ରୋଭ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟରତ ୧୫ରୁ ଅଧିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସରକାରୀ ଅଧିକାରୀ, ଗବେଷକ, ପରିବେଶବିତ୍, ଗଣମାଧ୍ୟମ ପ୍ରତିନିଧି ଏବଂ ଉପକୂଳ ସମୁଦାୟର ସଦସ୍ୟମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ବିଶିଷ୍ଟ ଅତିଥି ଭାବେ ଶ୍ରୀଲଙ୍କାର ଜନତକ୍ଷଣ ଗ୍ୟାରେଣ୍ଟି ଲିମିଟେଡ୍ଡର ସିଇଓ ଓ ଏକ୍ସିକ୍ୟୁଟିଭ୍ ଡାଇରେକ୍ଟର ଡ଼ ଜନକ ହେମଥିଲକା ଯୋଗ ଦେଇଥିଲେ । ସମ୍ମିଳନୀରେ ଅର୍ଥନାରୀ ପେରୁମାଲ, ଆଇଏଫଏସ୍ ଡ଼ ସୁଦର୍ଶନ ପଣ୍ଡା, ଆଇଏଫଏସ୍ ଡ଼. ଦେବବ୍ରତ ସ୍ୱାଇଁ, ଆଇଏଫଏସ୍ ପ୍ରଫୁଲ୍ଲ କୁମାର ମଲ୍ଲିକ, ଅକ୍ଷୟ କୁମାର ସାହୁ, ଷ୍ଟେଟ୍ ହେଡ୍, ଦି ଏସିଆନ୍ ଏଜ୍ ଓ ଡେକାନ୍ କ୍ରୋନିକଲ୍, ଡ଼. ଶିଶିର କୁମାର ଦାସ, ନିର୍ଦ୍ଦେଶକ, IIEC; ଡ଼. ଅମ୍ବିକା ନନ୍ଦ, ଡ଼. ମାଧବ ଚନ୍ଦ୍ର ମିଶ୍ର ଏବଂ ଶ୍ରୀ ସୁବ୍ରତ କ୍ଷେତ୍ରିୟ, ପ୍ରୋଗ୍ରାମ ମ୍ୟାନେଜର, IGSSS ଓଡ଼ିଶା ଉପସ୍ଥିତ ଥିଲେ।

ଦୁଇ ଦିନ ଧରି ଆୟୋଜିତ ବୈଷୟିକ ଅଧିବେଶନ, ଆଲୋଚନା ଓ ଅଭିଜ୍ଞତା ବିନିମୟ କାର୍ଯ୍ୟକ୍ରମକୁ ଡ଼. ଶିଶିର କୁମାର ଦାସ ପରିଚାଳନା କରିଥିଲେ। ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ଥିଲା ସମୁଦାୟଭିତ୍ତିକ ମାଙ୍ଗ୍ରୋଭ ସଂରକ୍ଷଣ ପ୍ରୟାସକୁ ସୁଦୃଢ଼ କରିବା, ବିଭିନ୍ନ ଅଞ୍ଚଳର ସଫଳ ଅନୁଭୂତିର ଆଦାନପ୍ରଦାନ କରିବା ଏବଂ ଭବିଷ୍ୟତ ପାଇଁ ଏକ ସାମୂହିକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା।
ବୈଷୟିକ ଅଧିବେଶନରେ ଆଇଜିଏସଏସଏସ୍, ନୂଆଦିଲ୍ଲୀର ଜଳବାୟୁ ପରିବର୍ତ୍ତନ ବିଭାଗର ଲିଡ୍ ଶ୍ରୀ ପ୍ରୋଶିନ୍ ଘୋଷ ସମୁଦାୟଭିତ୍ତିକ ମାଙ୍ଗ୍ରୋଭ ପୁନରୁଦ୍ଧାର, ଜଳବାୟୁ ସହନଶୀଳତା ଓ ଉପକୂଳ ପରିବେଶ ସଂରକ୍ଷଣ କ୍ଷେତ୍ରରେ IGSSS ର ବିଭିନ୍ନ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ଉପକୂଳ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ ମାଙ୍ଗ୍ରୋଭ ପୁନରୁଦ୍ଧାର, ଜୈବ ବିବିଧତା ସଂରକ୍ଷଣ ଓ ସ୍ଥାନୀୟ ସମୁଦାୟର ସହଭାଗିତା ମାଧ୍ୟମରେ ଜୀବିକାର ବିକାଶ ସମ୍ପର୍କିତ ନିଜସ୍ୱ ଅନୁଭୂତି ବାଣ୍ଟିଥିଲେ।

ଏହି ଅବସରରେ ମାଙ୍ଗ୍ରୋଭ ସଂରକ୍ଷଣ ଉପରେ ପ୍ରସ୍ତୁତ ଦୁଇଟି ଜ୍ଞାନଭିତ୍ତିକ ପ୍ରକାଶନ ଉନ୍ମୋଚନ କରାଯାଇଥିଲା। ଏଥିରେ କ୍ଷେତ୍ରସ୍ତରୀୟ ଅନୁଭୂତି, ସମୁଦାୟଭିତ୍ତିକ ସଂରକ୍ଷଣ ମଡେଲ୍ ଏବଂ ଶ୍ରେଷ୍ଠ ଅଭ୍ୟାସଗୁଡ଼ିକୁ ସ୍ଥାନ ଦିଆଯାଇଛି, ଯାହା ଗବେଷକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ପରିବେଶପ୍ରେମୀଙ୍କ ପାଇଁ ଉପଯୋଗୀ ହେବ।
କନକ୍ଲେଭର ଅନ୍ୟତମ ଆକର୍ଷଣ ଥିଲା ‘ମାଙ୍ଗ୍ରୋଭ ୱାରିଅର୍ସ ସମ୍ମାନ’ ପ୍ରଦାନ। ମାଙ୍ଗ୍ରୋଭ ସଂରକ୍ଷଣ, ଜୈବ ବିବିଧତାର ସୁରକ୍ଷା ଓ ସମୁଦାୟକୁ ସଂଗଠିତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସମୁଦାୟର ମାଙ୍ଗ୍ରୋଭ ୱାରିଅର୍ସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ଶ୍ରୀ ସୁବ୍ରତ କ୍ଷେତ୍ରିୟ, ପ୍ରୋଗ୍ରାମ ମ୍ୟାନେଜର, IGSSS ଓଡ଼ିଶା କହିଥିଲେ ଯେ, ଏହି କନକ୍ଲେଭ୍ ମାଧ୍ୟମରେ ସମୁଦାୟ, ସରକାରୀ ବିଭାଗ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ମଧ୍ୟରେ ଜ୍ଞାନ ବିନିମୟ ଓ ସହଯୋଗର ଏକ ସଶକ୍ତ ମଞ୍ଚ ସୃଷ୍ଟି ହୋଇଛି। ବିଶେଷକରି ମହିଳା ଓ ମତ୍ସ୍ୟଜୀବୀ ସମୁଦାୟଙ୍କ ସକ୍ରିୟ ସହଭାଗିତା ବିନା ମାଙ୍ଗ୍ରୋଭ ସଂରକ୍ଷଣ ଏବଂ ଜଳବାୟୁ ସହନଶୀଳ ଉପକୂଳ ଗଠନ ସମ୍ଭବ ନୁହେଁ ବୋଲି ସେ ମତ ପ୍ରକାଶ କରିଥିଲେ।
ଦୁଇ ଦିନିଆ ଏହି ରାଜ୍ୟସ୍ତରୀୟ ସମ୍ମିଳନୀର ଶେଷରେ ଅଂଶଗ୍ରହଣକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସରକାରୀ ବିଭାଗ ଓ ସମୁଦାୟ ପ୍ରତିନିଧିମାନେ ଓଡ଼ିଶାରେ ସମୁଦାୟଭିତ୍ତିକ ମାଙ୍ଗ୍ରୋଭ ସଂରକ୍ଷଣ ପ୍ରୟାସକୁ ଆହୁରି ବ୍ୟାପକ କରିବା ଏବଂ ଜଳବାୟୁ ସହନଶୀଳ ସବୁଜ ଉପକୂଳ ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ