13

କଂଗ୍ରେସ ମିଶ୍ରଣ ପର୍ବରେ ସମ୍ବଲପୁରର ଦୁଇଶହ ନେତା!

ଭୁବନେଶ୍ୱର: ଗତ ଜୁନ୍-୧୦ ତାରିଖରେ ସମ୍ବଲପୁରଠାରେ ଦେଶର ଲୋକପ୍ରିୟ ଯୁବନେତା କହ୍ନେୟା କୁମାରଙ୍କ ବିଶାଳ ଆକ୍ରୋଶ ସମାବେଶର ଐତିହାସିକ ସଫଳତା ଦଳର ନେତା ଓ କର୍ମୀଙ୍କ ମନରେ ଅଫୁରନ୍ତ ଉତ୍ସାହ ଓ ଉଦ୍ଦୀପନା ଭରିଦେଇଛି। ସୁଦୂର ସମ୍ବଲପୁରରୁ ସୋମବାର ଭୁବନେଶ୍ବର ଆସି ଦୁଇଶତାଧିକ ଯୁବନେତା ଓ କର୍ମୀ ଦଳରେ ଯୋଗଦେବା ତା’ର ଏକ ଛୋଟ ପ୍ରମାଣ। ଆଗକୁ ଦଳରେ ମିଶ୍ରଣ ପର୍ବ ନିୟମିତ ଭାବେ ଚାଲିବ। ଏହି କ୍ରମରେ ସମ୍ବଲପୁରରେ ଅଗଷ୍ଟ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ସହସ୍ରାଧିକ ଲୋକଙ୍କର ଏକ ମିଶ୍ରଣ ପର୍ବ ଆୟୋଜନ ହେବ ବୋଲି ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସ ସୂଚନା ଦେଇଛନ୍ତି।

ପିସିସି ମିଡିଆ ବିଭାଗର ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଭକ୍ତ ଆହୁରି କହିଥିଲେ, ଦଳର ଅଗଣିତ ନେତା ଓ କର୍ମୀଙ୍କ ସକ୍ରିୟ ସଂପୃକ୍ତି ଯୋଗୁଁ ଗୋଟିଏ ପରେ ଗୋଟିଏ ଆନ୍ଦୋଳନ ସଫଳ ହୋଇଛି। ଓଡ଼ିଶାର ପାଠ୍ୟପୁସ୍ତକରେ ୨୨ ଶହରୁ ଅଧିକ ତ୍ରୁଟି ପରି ଗୁରୁତର ଅସଙ୍ଗତି ବିରୋଧରେ ଦଳର ଆନ୍ଦୋଳନ ଆଗକୁ ଆହୁରି ତୀବ୍ରତର ହେବ। ଉତ୍ତରଦାୟିତ୍ବ ନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆସନ୍ତା ସାତଦିନ ମଧ୍ୟରେ ଇସ୍ତଫା ନ ଦେଲେ ଓଡ଼ିଶା ବନ୍ଦ ପରି ଚରମ ନିଷ୍ପତ୍ତି ନେବାକୁ ଦଳ ବାଧ୍ୟ ହେବ ବୋଲି ଏହି ଅବସରରେ ଶ୍ରୀ ଦାସ ଦୋହରାଇଥିଲେ।

ଉକ୍ତ ମିଶ୍ରଣ ପର୍ବରେ ସମ୍ବଲପୁରର ଯୁବନେତା ସୁଧୀର ପଣ୍ଡା, ମହମ୍ମଦ ହାସିମ, ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ମଂଚାସୀନ ହୋଇ ବକ୍ତବ୍ୟ ରଖିଥିଲେ। ସମ୍ବଲପୁରରେ ଏକ ଐତିହାସିକ ରାଲି ପିସିସି ଆୟୋଜନ କରିଥିବାରୁ ଉଭୟେ ସଭାପତି ଶ୍ରୀ ଦାସଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ମିଶ୍ରଣ ସମାବେଶରେ ପିସିସିର ସଂଗଠନ ଉପସଭାପତି ସନ୍ତୋଷ ସିଂହ ସାଲୁଜା, ଏଆଇସିସି ମୁଖପାତ୍ର ଡ.ହମିଦ ହୁସେନ ମଧ୍ୟ ମଂଚାସୀନ ଥିଲେ।

Spread the love