କଟକ: କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ସଉରୀ ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଜଣେ ପରିବାର ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ପାଣି ନିଷ୍କାସନର ସୁବିଧା ନଥିବାରୁ ବଳରାମ ବେହେରାଙ୍କ ଘର ଭିତରେ ଆଣ୍ଠୁଏ ପାଣି ଜମି ରହିଥିବା ଅଭିଯୋଗ ହୋଇଛି। ଫଳରେ ପରିବାର ଲୋକେ ଘର ଭିତରେ ରହିବା ସହ ଦୈନନ୍ଦିନ କାର୍ଯ୍ୟକଳାପ ଚଳାଇବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବଳରାମ ବେହେରାଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ତାଙ୍କ ଘର ସମ୍ମୁଖ ଦେଇ ବର୍ଷା ପାଣି ଏକ ନାଳ ମାଧ୍ୟମରେ ବିଲକୁ ନିଷ୍କାସନ ହେଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେହି ସ୍ଥାନରେ ଜଣେ ବ୍ୟକ୍ତି ଘର ନିର୍ମାଣ କରିବା ଫଳରେ ପାଣି ଯିବା ରାସ୍ତା ବନ୍ଦ ହୋଇଯାଇଛି। ଘର ନିର୍ମାଣ ସମୟରେ ପାଣି ନିଷ୍କାସନ ପାଇଁ ବାଟ ଛାଡ଼ିଦେବେ ବୋଲି କହିଥିଲେ ମଧ୍ୟ ପରେ ତାହା କରିନଥିବା ସେ ଅଭିଯୋଗ କରିଛନ୍ତି।
ଏହି ସମସ୍ୟା ନେଇ ସମ୍ପୃକ୍ତ ବ୍ୟକ୍ତି, ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିବା ବଳରାମ ବେହେରା କହିଛନ୍ତି। ଏହାଫଳରେ ପ୍ରତ୍ୟେକ ବର୍ଷା ଋତୁରେ ଏହି ସମସ୍ୟା ଉପୁଜୁଥିବାରୁ ପରିବାର ଅସୁବିଧାରେ ଜୀବନଯାପନ କରୁଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ବର୍ଷା ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।