ଖୋର୍ଦ୍ଧା (ରିପୋର୍ଟର – ଆଦିତ୍ୟ ନାରାୟଣ ବେହେରା): ବାଲୁଗାଁ ଥାନା ଅଞ୍ଚଳରେ ପୁଲିସ ବଡ ଧରଣର ଅବକାରୀ ଚଢାଉ କରି ଜଣେ ବିହାରର ଯୁବକଙ୍କୁ ଗିରଫ କରିବା ସହ ପ୍ରାୟ ୩୩ ଲିଟର ବିଦେଶୀ ମଦ ଓ ଗୋଟିଏ ମୋଟରସାଇକେଲ ଜବତ କରିଛି।ଖୋର୍ଦ୍ଧା ଜିଲ୍ଲା ପୁଲିସ ଅଧୀକ୍ଷକ ପରମାର ସ୍ମିତ ପରଶୋତମଦାସ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ, OPS ଓ ବାଲୁଗାଁ ଥାନା ଅଧିକାରୀ ଶ୍ରଦ୍ଧା ନାୟକଙ୍କ ତତ୍ତ୍ୱାବଧାନରେ ଗତ ୧୪.୦୭.୨୦୧୬ ତାରିଖ ସନ୍ଧ୍ୟା ୮.୪୫ ମିନିଟରେ ଏହି ଚଢାଉ କରାଯାଇଥିଲା।ବାଲୁଗାଁ ଥାନା ଏଏସଆଇ ମନୋରଞ୍ଜନ ସ୍ୱାଇଁ, ହାବିଲଦାର ରାମଦାସ ମାଝି ଓ HG-303 ଆଶୀର୍ବାଦ ପାଇକରାୟ ସରାଳପଦର ଛକଠାରେ ସାନ୍ଧ୍ୟ ପେଟ୍ରୋଲିଂ ଓ ମଦ ଚୋରା ଚାଲାଣ ଚଢାଉ କରୁଥିବା ବେଳେ ଜଣେ ବ୍ୟକ୍ତି ମୋଟରସାଇକେଲରେ ମଦ ନେଇ ଆସୁଥିବା ଗୁପ୍ତ ସୂଚନା ପାଇଥିଲେ। ସେହି ସମୟରେ ଜଣେ ଯୁବକ ବାଲୁଗାଁ ବଜାର ପଟୁ ମୋଟରସାଇକେଲ ଯୋଗେ ୨ଟି ଝୋଲା ଧରି ଆସୁଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା।
ଖୋଜାଖୋଜି ପରେ ଝୋଲାରୁ ୪ଟି କାର୍ଟୁନରେ ବିଭିନ୍ନ ପ୍ରକାର ବିଦେଶୀ ମଦ ମିଳିଥିଲା। ଗିରଫ ଯୁବକ ଜଣକ ବିହାର ପାଟନା ଜିଲ୍ଲା ରାଣୀତାଲବ କାନପା ଥାନା ଅନ୍ତର୍ଗତ ସେଲଗଡ ଗ୍ରାମର ଚନ୍ଦେଶ୍ୱର ପ୍ରସାଦଙ୍କ ପୁତ୍ର ରାକେଶ କୁମାର(30) ବୋଲି ଜଣାପଡିଛି। ଅଭିଯୁକ୍ତ ଠାରୁ ଆଇକୋନିକ ହ୍ୱାଇଟ – 48 ବୋତଲ, ପ୍ରତି ୧୮୦ ମିଲି, ଏମସି ଡେୱେଲ ନଂ-୧ – ୪୮ ବୋତଲ, ପ୍ରତି ୧୮୦ ମିଲି କିଙ୍ଗଫିସର ବିୟର – ୨୪ ବୋତଲ, ପ୍ରତି ୬୫୦ ମିଲି ମୋଟ – ୩୨ ଲିଟର ୮୮୦ ମିଲି ମଦ, କଳା ଓ ଲାଲ ରଙ୍ଗର ପ୍ଲାଟିନା ୧୧୦ ମୋଟରସାଇକେଲ ନଂ OD-02-DS-5619,ଗୋଟିଏ ରବର ଦଉଡି ଜବତ୍ ହୋଇଛି।ଅଭିଯୁକ୍ତ ଜଣକ ଅନୁମତି ବିନା ସାଧାରଣ ଲୋକଙ୍କୁ ମଦ ବିକ୍ରି କରୁଥିବା ସ୍ୱୀକାର କରିଛି। ଏହି ଘଟଣାରେ ବାଲୁଗାଁ ଥାନାରେ ୩୨୭/୨୦୨୬ ନମ୍ବରରେ ଓଡ଼ିଶା ଅବକାରୀ ଆଇନ ଧାରା 52(a)(i) ଅନୁଯାୟୀ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ଭାର ଥାନା SI ରସ୍ନା ସାହୁ ନେଇଛନ୍ତି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।