53

ମହାପ୍ରଭୁଙ୍କ AI ଚିତ୍ର ବନେଇବା ପଡିବ ମହଙ୍ଗା!, ଚେତାବନୀ ଦେଲେ ପୁରୀ ଏସପି!

ଭୁବନେଶ୍ୱର: ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଶ୍ରୀଜିଉଙ୍କ ସମ୍ପର୍କିତ ଆପତ୍ତିଜନକ ଏଆଇ (AI) ଦ୍ୱାରା ପ୍ରସ୍ତୁତ ୯୭ଟି ଚିତ୍ରକୁ ହଟାଇ ଦେଇଛି। ଏହି ଚିତ୍ରଗୁଡ଼ିକରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଅସୁସ୍ଥ ଅବସ୍ଥାରେ ଦର୍ଶାଯାଇଥିଲା, ଯାହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ସୋସିଆଲ ମିଡିଆରେ ଭାଇଭଉଣୀ ଠାକୁରଙ୍କ ମୁହଁରେ ଥର୍ମୋମିଟର ଓ କପାଳରେ ଓଦା ପଟି ବାନ୍ଧିଥିବା ଭଳି ଡିଜିଟାଲ୍ ଭାବେ ପ୍ରସ୍ତୁତ ଚିତ୍ର ବ୍ୟାପକ ଭାବେ ଭାଇରାଲ୍ ହୋଇଥିଲା। ଏହାକୁ ନେଇ ଧାର୍ମିକ ଭାବନାରେ ଆଘାତ ଲାଗିଥିବା ଅଭିଯୋଗ ପରେ ପୋଲିସ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା।

ପୁରୀ ଏସ୍‌ପି ପ୍ରତୀକ ସିଂହ କହିଛନ୍ତି ଯେ, ଶ୍ରୀଜିଉଙ୍କ ଏଭଳି ବିକୃତ ଚିତ୍ରଣକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ସୋସିଆଲ ମିଡିଆରେ ଏପରି ଆପତ୍ତିଜନକ ବିଷୟବସ୍ତୁ ପ୍ରସାରଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି, ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଭାଇଭଉଣୀ ଠାକୁରଙ୍କ ସମ୍ପର୍କିତ ବହୁ ଆପତ୍ତିଜନକ ଫଟୋ ଓ ଭିଡିଓ ଅପସାରଣ କରାଯାଇଛି। ଯଦି ଏଭଳି କାର୍ଯ୍ୟ ଜାରି ରହେ, ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ।

ଉଲ୍ଲେଖଯୋଗ୍ୟ ଯେ, ଦେବସ୍ନାନ ପୂର୍ଣ୍ଣିମା ପରେ ପରମ୍ପରା ଅନୁଯାୟୀ ଶ୍ରୀଜିଉମାନେ ‘ଅଣସର ଘର’ରେ ବିରାଜମାନ ରହନ୍ତି। ଏହି ସମୟରେ ଠାକୁରମାନେ ଜ୍ୱରାକ୍ରାନ୍ତ ଥିବାର ପ୍ରତୀକାତ୍ମକ ବିଶ୍ୱାସ ରହିଥାଏ ଏବଂ ପ୍ରାୟ ୧୫ ଦିନ ଧରି ବିଶ୍ରାମ ନେବା ପରେ ନବଯୌବନ ଦର୍ଶନ ଦେଇଥାନ୍ତି।

ସେବାୟତ ଶ୍ୟାମା ମହାପାତ୍ର କହିଛନ୍ତି ଯେ, ଏଆଇ ଦ୍ୱାରା ପ୍ରସ୍ତୁତ ଏଭଳି ଭିଜୁଆଲ୍ ପବିତ୍ର ପରମ୍ପରାକୁ ବିକୃତ କରିବା ସହ ଲକ୍ଷ ଲକ୍ଷ ଭକ୍ତଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ପହଞ୍ଚାଇଛି।

ପୁରୀ ପୋଲିସ ସ୍ପଷ୍ଟ କରିଛି ଯେ, ସୋସିଆଲ ମିଡିଆରେ ଏଭଳି ଆପତ୍ତିଜନକ ବିଷୟବସ୍ତୁ ଉପରେ ନିରନ୍ତର ନଜର ରଖାଯାଉଛି ଏବଂ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ।

 

 

Spread the love