କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଜଙ୍ଗଲ ଅଧିକାର ଆଇନକୁ ଉପେକ୍ଷା କରି ସରକାର କିପରି ଜିନ୍ଦଲକୁ ଜମି ଅଧିଗ୍ରହଣ କରିବା ପାଇଁ ସେଠାରେ ଅନୁମତି ପ୍ରଦାନ କଲେ ସେଥିନିମନ୍ତେ ସିଧାସଳଖ ଆମ୍ ଆଦ୍ମୀ ପାର୍ଟି ସରକାରଙ୍କ ଠାରୁ ଏହାର ସ୍ପଷ୍ଟିକରଣ ମାଗୁଛି ? ବିନା ଗ୍ରାମ ସଭାର ଅନୁମୋଦନରେ ରାଜ୍ୟ ସରକାର ମୂଲ୍ୟବାନ ଜମିକୁ ଜିନ୍ଦଲ ହାତକୁ ଟେକି ଦେଇ ସ୍ଥାନୀୟ ବାସିନ୍ଦାଙ୍କର ପାନ, ମୀନ ଓ ଧାନ ଚାଷର ରୋଜଗାରକୁ କାହା ସ୍ୱାର୍ଥରେ ଜଳାଞ୍ଜଳି ଦେଲେ ବୋଲି ଆମ୍ ଆଦମୀ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଗଭୀର ଉଦବେଗ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତରେ ଜିନ୍ଦଲ କମ୍ପାନୀ ଦ୍ଵାରା ପ୍ରସ୍ତାବିତ ଇସ୍ପାତ କାରଖାନାର ଶିଳାନ୍ୟାସ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବା ଅବସରରେ ସେଠାକାର ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ଏବଂ ଗ୍ରାମବାସୀ ମାନେ ମୁଣ୍ଡରେ କଳାପଟି ପିନ୍ଧି ହାତରେ ଜିନ୍ଦଲ ଗୋ ବ୍ୟାକର ପ୍ଲାକାର୍ଡ ଧରି ପ୍ରବଳ ବିରୋଧ କରିଥିଲେ। କିଛିବର୍ଷ ତଳେ ପୋସ୍କୋ କମ୍ପାନୀ ଦ୍ଵାରା ଜମି ଅଧିଗ୍ରହଣ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ତାଙ୍କର ବାସ ଓ ବେଉସା ହରାଇଥିଲେ। ସମଗ୍ର ଅଞ୍ଚଳରେ ପୋଲିସ ଓ ପ୍ରଶାସନର ଅକଥନୀୟ ନିର୍ଯାତନା ଏ ଯାଏଁ ଅଞ୍ଚଳବାସୀଙ୍କ ମନରୁ ନ ଲିଭୁଣୁ ପୁଣିଥରେ ଜିନ୍ଦଲ୍ କମ୍ପାନୀର ସ୍ବାର୍ଥ ପାଇଁ ସମଗ୍ର ଅଞ୍ଚଳ ପୋଲିସ୍ ଛାଉଣୀରେ ଭର୍ତ୍ତି କରି ପ୍ରଶାସନ ଏକ ଭୟର ବାତାବରଣ ତିଆରି କରିଛି। ଜିନ୍ଦଲର ପ୍ରସ୍ତାବିତ ଶିଳ୍ପାଞ୍ଚଳକୁ ବିରୋଧ କରି ଜନ ସାଧାରଣ ପ୍ରବଳ ଖରାରେ ବିରୋଧ ପ୍ରଦର୍ଶନ କରୁଥିଲା ବେଳେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ ଉତ୍ସବରେ ଯୋଗଦାନ କରିବାକୁ ଆମ୍ ଆଦମୀ ପାର୍ଟି କଡ଼ା ଭାଷାରେ ସମାଲୋଚନା କରିଛି।
ଜଙ୍ଗଲ ଜମି ଅଧିକାର ଏବଂ ପରିବେଶ ସଂରକ୍ଷଣ ପାଇଁ ଅହିତ ସାଧନ ଉଦ୍ଦିଷ୍ଟରେ ପ୍ରସ୍ତାବିତ ଏହି ପ୍ରକଳ୍ପକୁ ତୁରନ୍ତ ବନ୍ଦ କରିବା ପାଇଁ ଆମ୍ ଆଦମୀ ପାର୍ଟି ତରଫରୁ ଶ୍ରୀ ମହାପାତ୍ର ଦାବୀ ଜଣାଇବା ସହ ସରକାର ଯଦି ଢ଼ିଙ୍କିଆ ବାସୀଙ୍କର ସ୍ବାର୍ଥ ଅପେକ୍ଷା ଜିନ୍ଦଲର ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦିଅନ୍ତି ତେବେ ଆମ୍ ଆଦମୀ ପାର୍ଟି ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି କଡ଼ା ଚେତାବନୀ ପ୍ରଦାନ କରିଛନ୍ତି |