93

ଗାଡ଼କଣ ସ୍ଥିତ ଅଳିଆ ଗଦାର ସ୍ଥାନାନ୍ତରଣ ଦାବିରେ ଆମ୍ ଆଦ୍‌ମୀ ପାର୍ଟିର ବିକ୍ଷୋଭ

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଆମ୍ ଆଦ୍‌ମୀ ପାର୍ଟି ଭୁବନେଶ୍ୱର ସଂଗଠନର ଶତାଧିକ କାର୍ଯ୍ୟକର୍ତ୍ତା ଆଜି ସ୍ମାର୍ଟ ସିଟି ପ୍ରକଳ୍ପ ଓ ଭୁବନେଶ୍ବର ମ୍ୟୁନିସିପାଲିଟି ଅନ୍ତର୍ଗତ ସୈନିକ ସ୍କୁଲ ନିକଟସ୍ଥ ଅଳିଆ ଗଦା ସ୍ଥାନାନ୍ତରଣ ଦାବିରେ ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରୁ ଲୋୱର ପିଏମଜି ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା କରି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରେ ଆମ୍ ଆଦ୍‌ମୀ ପାର୍ଟି ତରଫରୁ ଅଳିଆ ଗଦାରୁ ସୃଷ୍ଟ ପୂତ୍ତିଗନ୍ଧମୟ ପରିବେଶ ଦ୍ବାରା ପ୍ରଭାବିତ ହେଉଥିବା ଲକ୍ଷାଧିକ ଜନତାଙ୍କ ହକ୍ ନିମନ୍ତେ ଲୋୱର ପିଏମଜି ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ଆପ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଏହି ବିଶାଳ ପ୍ରତିବାଦ ସଭାକୁ ସମ୍ବୋଧିତ କରି ଗାଡ଼କଣ ସ୍ଥିତ ଅଳିଆ ଗଦାକୁ ତୁରନ୍ତ ହଟାଇବା ସହ ସୈନିକ ସ୍କୁଲ ବଞ୍ଚାଇବା ପାଇଁ ଆହ୍ବାନ ଜଣାଇଥିଲେ। ରାଜ୍ୟ ସଂଗଠନ ସମ୍ପାଦକ ସନ୍ଦୀପ୍ତ ଦାସଙ୍କ ସଂଯୋଜନା ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ଜୟସୂର୍ଯ୍ୟ କାନୁନଗୋଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ କାର୍ଯ୍ୟକର୍ତ୍ତା ଅଳିଆଗଦାକୁ ଲାଗି ଗଢି ଉଠିଥିବା ସୈନିକ ସ୍କୁଲ ସମେତ ଅନେକ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଏହାର ଦୂଷିତ ପରିବେଶ ଯୋଗୁଁ ବାରମ୍ବାର ରୋଗାକ୍ରାନ୍ତ ହେଉଥିବାର ଗଭୀର ଚିନ୍ତା ପ୍ରକଟ କରିଥିଲେ।

ସବୁଠୁ ଦୁଃଖ ଓ ପରିତାପର ବିଷୟ ଏହା ଯେ ଏହି ଅଳିଆ ଗଦାର ପ୍ରଭାବରେ ଅନେକ ବ୍ୟକ୍ତିଙ୍କର ଶ୍ୱାସ ଓ ହୃଦୟ ରୋଗ ଯୋଗୁଁ ଜୀବନହାନି ହୋଇସାରିଛି। ଆପାତତଃ ଏ ଅଞ୍ଚଳରେ ବସବାସ କରୁଥିବା ପ୍ରତ୍ୟେକ ପରିବାରର ସଦସ୍ୟ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ଭୋଗୁଛନ୍ତି। ବିଗତ ଦିନରେ ଭାଜପା ଦଳ ଏହି ଅଳିଆଗଦାକୁ ହଟାଇବା ପାଇଁ ଦୀର୍ଘ ଦିନ ଧରି ଅନଶନରେ ବସି ରହିଥିଲେ। ଦୁର୍ଭାଗ୍ୟର କଥା ସେମାନେ ସରକାରକୁ ଆସିବାର ୧୮ ମାସ ହୋଇ ଯାଇଥିଲେ ସୁଦ୍ଧା ଅଳିଆ ଗଦାକୁ ଉଠେଇନେବା ତ ଦୂରର କଥା ସେ ସମ୍ପର୍କରେ ମୌନତା ଅବଲମ୍ବନ କରିବା ଜନସାଧାରଣଙ୍କୁ ବ୍ୟଥିତ କରିଛି। ଏହି ଅଳିଆ ଗଦାକୁ ଭୁବନେଶ୍ୱରର ଭୌଗଳିକ ପରିଧି ବାହାରକୁ ସ୍ଥାନାନ୍ତରଣ କରିବା ନିମନ୍ତେ ଜନସାଧାରଣ ବାରମ୍ବାର ଅଭିଯୋଗ ଓ ଆବେଦନ ଓ ଆନ୍ଦୋଳନ କରିବା ସତ୍ତ୍ୱେ ରାଜ୍ୟ ସରକାର ଏଥି ନେଇ କର୍ଣ୍ଣପାତ କରୁନାହାନ୍ତି ଯାହା ସରକାରର ଅନ୍ଧ ଓ ବଧିର ମନୋଭାବକୁ ପ୍ରତିଫଳିତ କରୁଛି।

ଆମ୍ ଆଦ୍‌ମୀ ପାର୍ଟି ଜନସାଧାରଣଙ୍କ ଅଧିକାର ଓ ସୁବିଧା ପାଇଁ ସର୍ବଦା ସ୍ୱର ଉଠାଇଛି। ସୈନିକ ସ୍କୁଲ ପରିସରକୁ ଲାଗି ରହିଥିବା ଅଳିଆ ଗଦା ଅନେକ ପରିବାରଙ୍କ ଜୀବନ ଜୀବିକା ଓ ସାମାଜିକ ସ୍ଥିତିକୁ ପ୍ରଭାବିତ କରୁଛି। ଏହି ବିକ୍ଷୋଭ ମାଧ୍ୟମରେ ଦଳର ନେତୃବୃନ୍ଦ କହିଥିଲେ ଯେ ସେମାନେ ସରକାରଙ୍କୁ ଚେତାଇ ଦେବାକୁ ଚାହୁଁଛନ୍ତି ଯେ ଏ ସଂକ୍ରାନ୍ତରେ ତୁରନ୍ତ ଧ୍ୟାନ ନ ଦେଲେ ସରକାରର ଦୋଗଲା ନୀତିକୁ ସେମାନେ ଉଜାଗର କରିବାକୁ ବାଧ୍ୟ ହେବେ। ଏଥି ସହିତ ଅଳିଆ ଗଦା ଦ୍ବାରା ପ୍ରଭାବିତ ସମସ୍ତ ପରିବାରକୁ ଚିହ୍ନଟ କରି ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ବିଏମସି ଓ ରାଜ୍ୟ ସରକାରଙ୍କ ନିକଟରେ ଆମ୍ ଆଦ୍‌ମୀ ପାର୍ଟିର କାର୍ଯ୍ୟକର୍ତ୍ତା ଏବଂ ନେତୃବୃନ୍ଦ ଦାବି ଜଣାଇବା ସହ ଜନସାଧାରଣଙ୍କ ନାର୍ଯ୍ୟ ଦାବୀ ନିମନ୍ତେ ଦୃଢତାର ସହ ଲଢ଼େଇ ଜାରି ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପାଣି, ମନୋଜ ମହାନ୍ତି, ଶୁଭାଶିଷ ସ୍ବାଇଁ, ସୁନୀଲ ଷଡ଼ଙ୍ଗୀ, ରୁଚିର ରୁଦ୍ର ରଥ, ଲଳିତ ମୋହନ ଦାସ ଅଧିକାରୀ, ଅମିୟ ଶର୍ମା, ସଞ୍ଜୟ କେତନ ନାୟକ, ଶାରଦା ପ୍ରସାଦ ଦାଶ, ଶୈଳେନ୍ଦ୍ର ସ୍ବାଇଁ, ଲଲାଟ ଜେନା, ଜୟରାମ ମଲ୍ଲିକ, ସୁପ୍ରାଜ୍ ଦିଗାଲ, ଜିପ୍ରାସ୍ ଦିଗାଲ, ସମ୍ବିତ ସାମନ୍ତରାୟ, ସରୋଜିନୀ ଖୁଣ୍ଟିଆ, ଜ୍ୟୋତିର୍ମୟୀ ଖଟୁଆ ପ୍ରମୁଖ ଉପସ୍ଥିତ ରହି ଏହି ବିକ୍ଷୋଭକୁ ସଫଳ କରିଥିଲେ।

Spread the love