273

ମୃତ୍ୟୁପରେ ମଧ୍ୟ ଅମର କୁନ୍ତଳା!, ଅଙ୍ଗଦାନ କରି ବଂଚାଇଲେ ୩ଟି ଜୀବନ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଅଙ୍ଗଦାନ ହେଉଛି ଶ୍ରେଷ୍ଠ ଦାନ। ଏହାକୁ ପ୍ରମାଣ କରି ଦେଖାଇ ଦେଇଛନ୍ତି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୌରାଙ୍ଗପୁର ପଞ୍ଚାୟତର ଗଉଡ଼ିଆପଡ଼ା ଗାଁର ବାସିନ୍ଦା କୁନ୍ତଳା ନନ୍ଦ। ତେବେ ମୃତକ କୁନ୍ତଳାଙ୍କ ପରିବାରର ଉଦାର ମନୋଭାବ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଅଙ୍ଗ ପ୍ରତିରୋପଣ ହୋଇଥିବା ଲୋକଙ୍କ ମାଧ୍ୟମରେ ଏବେ ନିଜେ ମରି ବି ଜୀବିତ ରହିଛନ୍ତି କୁନ୍ତଳା। ତାଙ୍କ ଅଙ୍ଗ ପ୍ରତିରୋପଣ ଦ୍ବାରା ୩ ଜଣଙ୍କୁ ନୂଆ ଜୀବନ ମିଳିଛି।

ସୂଚନା ଅନୁସାରେ ୪୯ ବର୍ଷ ବୟସ୍କା କୁନ୍ତଳାଙ୍କୁ ଗତ ମାସ ୨୯ ତାରିଖରେ ଏକ ବିଷଧର ସାପ କାମୁଡ଼ି ଥିଲା। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କୁ ‌ବ୍ରେନ୍ ଡେଡ୍ ବୋଲି ଡାକ୍ତରଙ୍କ ଦ୍ୱାରା ଘୋଷଣା କରାଯାଇଥିଲା। ପରିବାର ଲୋକେ ତାଙ୍କ ଅଙ୍ଗଦାନ କରିବାକୁ ସମ୍ମତି ଦେଇଥିଲେ। ବୁଧବାର କୁନ୍ତଳାଙ୍କର କିଡ୍‌ନୀ ଏବଂ ଯକୃତ ବାହାର କରାଯାଇଥିଲା । ଏହି ଅଙ୍ଗ ଶେଷ ପର୍ଯ୍ୟାୟରେ ରୋଗ ସହିତ ଯୁଝୁଥିବା ତିନି ଜଣଙ୍କୁ ଜୀବନ ଦେଇଥିଲା। ଆଜି ଗୁରୁବାର ନିଜ ଜନ୍ମମାଟିରେ କୁନ୍ତଳାଙ୍କର ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଜ୍ୟ ସମ୍ମାନ ସହିତ କରାଯିବ ବୋଲି ଏମ୍ସ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି।

ସମାଜ ପାଇଁ ଏଭଳି ମାନବିକତା ଏବଂ ନିଃସ୍ୱାର୍ଥପର ମନୋଭାବ ଥିବା ବ୍ୟକ୍ତିତ୍ୱଙ୍କର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେବା ସହ କୁନ୍ତଳାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ଉତ୍କଳ ହସ୍ପିଟାଲ ତରଫରୁ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଡ଼ଃ ନେଗୀ , ଆୟୁଷ ଏବଂ ତାଙ୍କ ଟିମ ଏମ୍ସ ତରଫରୁ ନେଫରୋଲୋଜିଷ୍ଟ ଡ଼ଃ ସନ୍ଦୀପ, ଡ଼ଃ ପ୍ରୀତି, ଗ୍ୟାଷ୍ଟ୍ରୋ ସର୍ଜରୀ ଡ଼ଃ ବ୍ରହ୍ମ ଦତ୍ତ, ୟୁରୋଲୋଜିଷ୍ଟ ଡ଼ଃ ପ୍ରଶାନ୍ତ, ଡ଼ଃ ସମ୍ବିତ, ଡ଼ଃ ବିବେକ, ଡ଼ଃ ମନୋଜ, ଡ଼ଃ ସ୍ୱର୍ନେନ୍ଦୁ, ଡ଼ଃ କାଳନ୍ଦୀ ଟ୍ରାନ୍ସପ୍ଲାଣ୍ଟ କୋର୍ଡିନେଟର ଜିନତ ଏବଂ ଦୀପକ, ସୋଟୋ (ଏସଓଟିଟିଓ) ଟିମ୍ ପକ୍ଷରୁ ସୁମନ ଏବଂ ସୁବ୍ରତଙ୍କ ତତ୍ୱାବଧାନରେ ଅଙ୍ଗ ପ୍ରତିରୋପଣ କରାଯାଇଥିଲା।

Spread the love