352

୪ ଦିନ ପ୍ରବଳ ବର୍ଷିବ! ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ଏହା ପ୍ରଭାବରେ ବର୍ଷା ହେବାର ରହିଛି ସମ୍ଭାବନା | ତେଣୁ ଏନେଇ ସତର୍କତା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା । ଘୂର୍ଣ୍ଣିବଳୟ ସକ୍ରିୟ ହେବା ଫଳରେ ଆସନ୍ତା ୧୯ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବର୍ଷା ହେବା ନେଇ ୬ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହିସବୁ ଜିଲ୍ଲା ଗୁଡ଼ିକରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହୋଇପାରେ।

ସେପଟେ ୧୭ ଦିନ ପରେ ପୁଣି ସକ୍ରିୟ ହେବ ମୌସୁମୀ । ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତନଠାରୁ ବାୟୁମଣ୍ଡଳର ୩.୧ କି.ମି.ରୁ ୭.୬ କି.ମି. ମଧ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆହୁରି କିଛି ଅଞ୍ଚଳକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ସୋମବାର ସମ୍ବଲପୁର, ଦେବଗଡ, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଗଜପତି, ରାୟଗଡା, କୋରାପୁଟ, କଳାହାଣ୍ଡି, ନୂଆପଡା ଓ ବଲାଙ୍ଗୀରରେ ଅଧିକ ବର୍ଷା ହୋଇପାରେ । ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ଓ ସମ୍ବଲପୁରରେ ବର୍ଷା ହେବାର ସମ୍ଭାବନା ରହିଛି ।

Spread the love