ଖୋର୍ଦ୍ଧା: ୧୮୨୭ ପାଇକବି ଦ୍ରୋହର କର୍ଣ୍ଣଧାର ତଥା ତାପଙ୍ଗଗଡ଼ର ଦଳବେହେରା ସାମନ୍ତ ମାଧବଚନ୍ଦ୍ର ରାଉତରାୟଙ୍କ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ତାପଙ୍ଗ ଗ୍ରାମର ଦଳବେହେରା ସାହିରେ ଥିବା ‘ଷଠିଘର’ ସମ୍ପ୍ରତି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିବାକୁ ବସିଛି । ପ୍ରାୟ ୭ ବଖରା ବିଶିଷ୍ଟ ଏହି ଗୃହର ଅଧିକାଂଶ ଭାଗ ଭୁଶୁଡ଼ିଯାଇ ମାଟିରେ ମିଶିଥିବାବେଳେ ଅବଶିଷ୍ଟ କିଛି ଅଂଶ ମାଟିରେ ମିଶିବାକୁ ଅପେକ୍ଷା କରିଛି । ତେବେ ଯଦି ଏହାର ସଂରକ୍ଷଣ କରା ନଯାଏ, ତେବେ ଏହା ଖୁବ୍ ଶୀଘ୍ର ମାଟିରେ ମିଶିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଫଳରେ ଏଥିନେଇ ମାଧବପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ୧୭୭୦ ମସିହା ପୂର୍ବରୁ ନିର୍ମିତ ଏହି ଷଠିଘରକୁ ଇତିମଧ୍ୟରେ ୨୫୫ ବର୍ଷ ବିତିଲାଣି । କଡ଼ିବରଗା ଛାତ ନିର୍ମିତ ଏହି ଘରର ପ୍ରାୟ ୩ଟି ଘର ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଗଲାଣି। ସେହିପରି ଏହାର ସିଡ଼ିଘର ଭାଙ୍ଗି ଯାଇଥିବାବେଳେ ଉକ୍ତ ଗୃହରେ ଥିବା ସାମନ୍ତ ମାଧବଙ୍କ ବ୍ୟବହୃତ ସାମଗ୍ରୀ ମଧ୍ୟ ଜରାଜୀର୍ଣ୍ଣ ସ୍ଥିତିରେ ପଡ଼ିରହିଛି। ୧୯୮୬ ମସିହାରେ
ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟର ତତ୍କାଳୀନ ଉପନିର୍ଦେଶକ ଡ଼.ଅର୍ଜୁନ ଯୋଶୀ ଏହି ଗୃହ ପରିଦର୍ଶନରେ ଆସିଥିବାବେଳେ ଏଠାକାର ଅବସ୍ଥା ଅନୁଧ୍ୟାନ କରିବା ସହ ତୁରନ୍ତ ଏହାର। ପୁନରୁଦ୍ଧାର କରାଯିବା ଲାଗି ପ୍ରସ୍ତାବ ରଖୁଥିଲେ।ସେହିପରି ଏହି ଗୃହରେ ଥିବା ସାମନ୍ତ ମାଧବଙ୍କ ବ୍ୟବହୃତ ପିଢ଼ା, ସିନ୍ଦୁକ, ସବାରୀ, ପାଲିଙ୍କି ଆଦି ମଧ୍ୟ ରାଜ୍ୟ ସଂଗ୍ରହାଳୟକୁ ନିଆଯାଇଥିଲା। ଏହାଛଡ଼ା ୨୦୧୭ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ଵରସ୍ଥିତ ରାଜଭବନରେ ସାମନ୍ତ ମାଧବଙ୍କ ବଂଶଧରଙ୍କୁ ସମ୍ମାନିତ କରିବାବେଳେ ସେମାନେ ଏହି ଷଠିଘରର ପୁନରୁଦ୍ଧାର ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଓ ତତ୍କାଳୀନ ମହାମହିମ ରାଜ୍ୟପାଳ ଏସ.ସି. ଜମିରଙ୍କୁ ନିବେଦନ କରିଥିଲେ । ଏଭଳି ସ୍ଥିତିରେ ସାମନ୍ତ ମାଧବ ଯେଉଁ ‘ଗଡ଼ ଚଉପାଢ଼ୀ’ରେ ବସି ଲୋକଙ୍କ ନ୍ୟାୟ ନିଷାପ କରୁଥିଲେ, ସେହି ଗୃହର ଅବସ୍ଥା ମଧ୍ୟ ଦିନକୁ ଦିନ ଶୋଚନୀୟ ହୋଇପଡ଼ିଛି। ଆଜବେଷ୍ଟସ୍ ଛାତ ବିଶିଷ୍ଟ ଏହି ଗୃହର କେତେକାଂଶ ନଷ୍ଟ ହୋଇ ଯାଇଥିବାରୁ ବର୍ଷାଦିନେ ସେଥୁରୁ ପାଣି ଗଳୁଥିବା ଲକ୍ଷ୍ୟ କରାଯାଇଛି। ଏହାଛଡ଼ା ଏଠାରେ ସାମନ୍ତ ମାଧବଙ୍କ ବୃବହୃତ ଏକ ‘ପାଲିଙ୍କି’ ଶୋଚନୀୟ ସ୍ଥିତିରେ ଓହଳି ରହିଥିବା ଦେଖିବାକୁ ମିଳିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପାଇକ ବିଦ୍ରୋହର କଣ୍ଠଧାର ସାଜି ସମଗ୍ର ଜାତି ପାଇଁ ନୂତନ ଦିଗନ୍ତ ସୃଷ୍ଟି କରିଥିବା ଏଭଳି ମହାପୁରୁଷଙ୍କ ଷଠିଘରର ଏଭଳି ଶୋଚନୀୟ ସ୍ଥିତି ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇଛି। ଅନ୍ୟପକ୍ଷରେ ୨୦୧୪ ମସିହା ପର୍ଯ୍ୟନ୍ତ ସାମନ୍ତ ମାଧବଙ୍କ ‘ଷଠିଘର’କୁ ତାପଙ୍ଗ ଗ୍ରାମବାସୀ ନିଜ ବସାଉଠା କାର୍ଯ୍ୟରେ ବ୍ୟବହାର କରିପାରୁଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସ୍ଥିତି ଦିନକୁ ଦିନ ଶୋଚନୀୟ ହୋଇପଡ଼ିଥିଲା। ତେବେ ଉଭୟ ‘ଷଠିଘର’ ଏବଂ ‘ଗଡ଼ ଚଉପାଢ଼ୀ’ର ଏହାର ଏଭଳି ସ୍ଥିତି ପାଇଁ ସରକାରୀ କଳ ଦାୟୀ ବୋଲି ତାଙ୍କ ଦାୟାଦ ସଂଗ୍ରାମକେଶରୀ ଜଗଦେବ ଅଭିଯୋଗ କରିଛନ୍ତି|ଗଡ଼ଖୋଦ୍ଧାସ୍ଥିତ ‘ପଞ୍ଚପାଇକ’ ପୀଠରେ ସାମନ୍ତ ମାଧବଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇ ସମଗ୍ର ଦେଶକୁ ତାଙ୍କ ବୀରତ୍ଵର କାହାଣୀ ସମ୍ପର୍କରେ ଅବଗତ କରାଯାଉଥିବାରୁ ତାଙ୍କ ‘ଷଠିଘର’ର ପୁନରୁଦ୍ଧାର ଅବିଳମ୍ବେ, କରାଯିବାକୁ ଐତିହ୍ୟପ୍ରେମୀଙ୍କ ପକ୍ଷରୁ ଦାବି କରାଯାଇଛି। ଏଥିନେଇ ସଂସ୍କୃତି ନିର୍ଦେଶକ ବିଜୟକେତନ ଉପାଧ୍ୟାୟଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ଏଥିନେଇ ଯତ୍ନବାନ ଅଛନ୍ତି ବୋଲି ଦର୍ଶାଇଛନ୍ତି।