13

କଉଡ଼ି ଖେଳ ବେଳେ ଆସିଲା କାଳ, ବେଦୀ ଉପରେ ଟଳି ପଡିଲା ବର

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ବିଧାତାର ଖେଳ ବିଚିତ୍ର। ସଂସାର ଗଢ଼ିବା ପାଇଁ ହାତ ଧରିଥିଲେ, ହେଲେ ସଂସାର ରଥରେ ପାଦ ଥାପିବା ପୂର୍ବରୁ ଧୋଇଗଲା ନବ ବିବାହିତଙ୍କ ଭବିଷ୍ୟତ। ବେଦୀଉପରେ କଉଡ଼ିଖେଳ ବେଳେ ଘଟିଥିଲା ଅଘଟଣ। ବିଦ୍ୟୁତ୍ ଆଘାତରେ ବରର ମୃତ୍ୟୁ ପରେ ସାହିପଡ଼ିଶା, ବନ୍ଧୁବାନ୍ଧବ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। କଟକ ଜିଲା ମାହାଙ୍ଗା ଥାନା ନୃତ୍ତାଙ୍ଗ ଗ୍ରାମର ସନ୍ତୋଷ ସାହୁଙ୍କ ଏକମାତ୍ର ପୁତ୍ର ସତ୍ୟମନ୍ୟୁ (ଲିଟୁ)ଙ୍କର ବୁଧବାର ବିବାହ ହୋଇଥିଲା। ଆଜି ତୃତୀୟ ଦିବସରେ ବେଦୀରେ କଉଡ଼ି ଖେଳ ଚାଲିଥିଲା। ଖେଳ ଦେଖିବା ପାଇଁ ବନ୍ଧୁବାନ୍ଧବ, ସାହିପଡ଼ିଶା ଏକାଠି ହୋଇଥିଲେ। କିଏ କହୁଥିଲା ବର ହାରିବ ତ ଆଉ କିଏ କହୁଥିଲେ କନ୍ୟା ହାରିବ। ଏହି ସମୟରେ ଲିଟୁ ହଠାତ୍ ଚିତ୍କାର କରି ଚେତାଶୂନ୍ୟ ହୋଇ ବେଦୀ ପାଖରେ ଟଳି ପଡ଼ିଥିଲେ ।

ବେଦୀ କଡ଼ରେ ଯାଇଥିବା ବିଦ୍ୟୁତ୍ ତାରଟି ବର ଦେହରେ ଲାଗିଯିବା ହେତୁ ସେ ଅଚେତ ହୋଇ ତଳେ ପଡ଼ିଯାଇଥିବା ଜଣାପଡ଼ିଥିଲା । ବରର ଏଭଳି ଅବସ୍ଥା ଦେଖୁ ନବବଧୂ ମଧ୍ୟ ଚେତାଶୂନ୍ୟ ହୋଇ ପଡ଼ିଥିଲେ। କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ଗାଁ । ସଙ୍ଗେସଙ୍ଗେ ଲିଟୁଙ୍କୁ ମାହାଙ୍ଗା ମେଡ଼ିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକ ବିଶ୍ଵାସ ନକରି ତାଙ୍କୁ କଟକ ବଡ଼ ଡାକ୍ତରଖାନା ନେଇଥିଲେ। ସେଠାରେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |

Spread the love