37

ସଫଳତାର ରହସ୍ୟ କହିଲେ ରୀତିକା!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: UPSC ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିବା ଭୁବନେଶ୍ୱର ଝିଅ ରିତିକା ରଥ ବଖାଣିଛନ୍ତି ତାଙ୍କ ସଂଘର୍ଷ ଓ ସଫଳତାର କଥା । ତାଙ୍କର ଏହି ଯାତ୍ରା ପଛରେ ଥିଲା ତାଙ୍କର ପରିଶ୍ରମ ଓ ଏକାଗ୍ରତା । IIM ଇନ୍ଦୋରରୁ ମ୍ୟାନେଜମେଣ୍ଟ କୋର୍ସ କରିବା ପରେ ସେ ବର୍ଷେ କର୍ପୋରେଟ୍ ସେକ୍ଟରରେ ଚାକିରି କରିଥିଲେ । କିନ୍ତୁ ସେ ଚାକିରି ଛାଡି ସିଭିଲ୍ ସର୍ଭିସ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ । ଏଥର ତୃତୀୟ ଚେଷ୍ଟାରେ ସେ ପାଇଛନ୍ତି ସଫଳତା ।

ପ୍ରଥମ ପରୀକ୍ଷା ସେଇମିତି ଦେଇ ଦେଇଥିଲେ, କେମିତି ପ୍ରଶ୍ନ ଆସୁଛି ଜାଣିବା ପାଇଁ । ତା ପରେ ସିରିୟସ୍ ହୋଇ ପ୍ରସ୍ତୁତି ଆରମ୍ଭ କରିଦେଲେ । ଭୁବନେଶ୍ୱରରେ କୋଚିଂ ନେଇଥିଲେ । ତାଙ୍କ ମତରେ, କୋଚିଂ ସେଣ୍ଟରରେ କେବଳ ବେସିକ୍ ନୋଟ୍ କରିବା ପାଇଁ ଭଲ । ଏହା ପରେ ନିଜକୁ ଅଧିକ ପ୍ରସ୍ତୁତ କରିବାକୁ ପଡ଼େ । ଏହି ପ୍ରସ୍ତୁତି ପାଇଁ ଅନଲାଇନରେ ସବୁ କିଛି ମିଳୁଛି । କୋଚିଂ ପାଇଁ ଭୁବନେଶ୍ୱର ଛାଡି ଦିଲ୍ଲୀ ଯିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ରିତିକା । ଭୁବନେଶ୍ୱରରେ ରହି ଭଲରେ ପ୍ରସ୍ତୁତି କରିହେବ ବୋଲି ସେ କହିଛନ୍ତି । କୋଚିଂ ଅପେକ୍ଷା ଜଣେ ଆଶାୟୀଙ୍କର ପରିଶ୍ରମ ଓ ନିଷ୍ଠା ଅଧିକ ଜରୁରୀ ବୋଲି ସେ କହିଛନ୍ତି । ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଟାଇମ୍ ମ୍ୟାନେଜମେଣ୍ଟ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ । କେତେବେଳେ କଣ ପଢ଼ିବେ ଓ କାହାକୁ ଅଗ୍ରାଧିକାର ଦେଇ ପଢ଼ିବେ, ତାହା ହେଉଛି ବଡ଼ କଥା । ରିତିକା ନିଜେ ରୁଟିନ୍ ଅନୁସାରେ ପଢ଼ୁଥିଲେ । ତେବେ ସେ ରାତିରେ ବେଶୀ ସମୟ ପଢୁନଥିଲେ । ସେ ଭୋରରୁ ଉଠି ସକାଳୁ ଅଧିକ ସମୟ ପଢ଼ୁଥିଲେ ।ପ୍ରସ୍ତୁତି ବେଳେ ସମୟ ଅନୁସାରେ ସବୁ କାମ ସେ କରୁଥିଲେ । ସୋସିଆଲ୍ ମିଡିଆ ବ୍ୟବହାର ଟିକିଏ କମାଇ ଦେଇଥିଲେ ରିତିକା । କିନ୍ତୁ ପରିବାର ଲୋକ ଓ ସାଙ୍ଗମାନଙ୍କ ସହ କନେକ୍ଟେଡ ଥିଲେ । ଟାଇମ ମ୍ୟାନେଜମେଣ୍ଟ ଥିଲା ତାଙ୍କ ସଫଳତାର ଚାବିକାଠି । ପ୍ରସ୍ତୁତି ସମୟରେ ତାଙ୍କ ପରିବାର ସଦସ୍ୟମାନଙ୍କର ବହୁତ ସହଯୋଗ ଥିଲା ବୋଲି ସେ କହିଛନ୍ତି । ଯଦି ଏଥର ସେ ସଫଳ ହୋଇନଥାନ୍ତେ, ଆହୁରି ପରୀକ୍ଷା ଦେଇଥାଆନ୍ତେ ବୋଲି ସେ କହିଛନ୍ତି । ସିଭିଲ୍ ସର୍ଭିସ ପରୀକ୍ଷା ସହ ସେ ଅନ୍ୟ ପରୀକ୍ଷା ମଧ୍ୟ ଦେଉଥିଲେ ।ରିତିକା ଈଶ୍ୱରବିଶ୍ୱାସୀ ଓ ବହୁତ ପରିଶ୍ରମ ମଧ୍ୟ କରନ୍ତି । ସେ ଏବେ ଚେନ୍ନାଇରେ ଅଛନ୍ତି ଓ ଓଡ଼ିଶା ଆସିଲେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି କହିଛନ୍ତି । ସେ ପଢ଼ାପଢି ଓ ଲେଖାଲେଖି କରିବାକୁ ଭଲ ପାଆନ୍ତି । ସେ ସ୍ପୋର୍ଟସରେ ମଧ୍ୟ ରୁଚି ରଖିଛନ୍ତି ।ରିତିକାଙ୍କ ସ୍କୁଲିଂ ଭୁବନେଶ୍ୱରେ ହୋଇଥିବା ବେଳେ ସେ ଦିଲ୍ଲୀରୁ ଦ୍ୱାଦଶ ପାସ୍ କରିଛନ୍ତି । ଏହାପରେ ସେ IIM ଇନ୍ଦୋରରୁ ମ୍ୟାନେଜମେଣ୍ଟ କୋର୍ସ କରିଛନ୍ତି । ତାଙ୍କର ପ୍ରଥମରୁ ଇଛା ଥିଲା ସେ IAS ହେବେ ବୋଲି । ତାଙ୍କ ସ୍ୱପ୍ନ ଏବେ ପୂରଣ ହୋଇଛି ।

 

Spread the love