23

ବାବାସାହେବଙ୍କୁ କଂଗ୍ରେସ ଦଳ ଏବଂ କଂଗ୍ରେସ ନେତୃବୃନ୍ଦ ଯେଉଁଭଳି ଭାବେ ବାରମ୍ବାର ଅପମାନିତ କରିଛନ୍ତି, ତାହା ଅକ୍ଷମଣୀୟ: ବିଜେପି!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ଭାରତରତ୍ନ ବାବାସାହେବ ଡା. ଭୀମରାଓ ଆମ୍ବେଦକରଙ୍କ ଆଜି ହେଉଛି ୧୩୫ତମ ଜନ୍ମ ଜୟନ୍ତୀ । ସମାଜକୁ ନୂଆ ଦିଗ୍ଦର୍ଶନ ଦେବାରେ ବାବାସାହେବ ଅନ୍ୟ ନେତାମାନଙ୍କ ଠାରୁ ଆଗରେ ଥିଲେ । ଦେଶର ସମ୍ବିଧାନ ପ୍ରଣୟନରେ ବାବାସାହେବଙ୍କ ଭୂମିକା ପାଇଁ ସାରା ଦେଶ ତାଙ୍କ ପାଖରେ ଋଣୀ । ବିଭିନ୍ନ ସାମାଜିକ ଓ ରାଜନୈତିକ ଦିଗ ଉପରେ ତାଙ୍କର ଦୃଷ୍ଟିକୋଣ ଆଜି ବି ଉପଯୋଗୀ । ଦଳିତ, ଶୋଷିତ, ଅବହେଳିତ, ଅତ୍ୟାଚାରିତ ଓ ଲାଂଛିତ ଲୋକମାନଙ୍କୁ ଆଗଧାଡିକୁ ଆଣିବା ପାଇଁ ଅହରଣ ଉଦ୍ୟମ କରିଥିଲେ ଡା. ଆମ୍ବେଦକର । ଡା. ଆମ୍ବେଦକରଙ୍କ ଆଧୁନିକ ଭାରତ ଗଠନରେ ଅବଦାନ ଏବଂ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ବାବାସାହେବ କେବଳ ସମାଜର ଅନ୍ତିମ ଧାଡିରେ ଥିବା ଲୋକଙ୍କ କଲ୍ୟାଣ ପାଇଁ ଯେ ଚିନ୍ତା କରୁଥିଲେ ତା’ନୁହେଁ, ବରଂ ସମାଜରେ ସମାନତା, ସାର୍ବଭୋମତ୍ୱ ଓ ମହିଳା ସଶକ୍ତିକରଣ ଭଳି ବହୁବିଧ ଓ ବହୁ ଆୟାମୀ ଜନକଲ୍ୟାଣକାରୀ ବ୍ୟବସ୍ଥା ସମ୍ବିଧାନରେ ଯୋଡି ଭାରତୀୟ ଗଣତନ୍ତ୍ରକୁ ସଶକ୍ତ ତଥା ବଳିଷ୍ଠ କରିଥିଲେ । ଭାରତରତ୍ନ ବାବାସାହେବଙ୍କ ଜୀବନ ଗରିବ, ବଂଚିତ, ନିଷ୍ପେସିତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ଉତ୍ଥାନ ଏବଂ ସଶକ୍ତିକରଣ କରିବାରେ ସମର୍ପିତ ରହିଥିଲା । ଭାରତରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କୁ ତାଙ୍କ ଜୀବନର ବିଭିନ୍ନ ପରିସ୍ଥିତିରେ କଂଗ୍ରେସ ଦଳ ଏବଂ କଂଗ୍ରେସ ନେତୃବୃନ୍ଦ ଯେଉଁଭଳି ଭାବେ ବାରମ୍ବାର ଅପମାନିତ କରିଛନ୍ତି, ତାହା ଅକ୍ଷମଣୀୟ । କଂଗ୍ରେସ ସମ୍ବିଧାନର ଦୂରୁପଯୋଗ ଏବଂ ଅସମ୍ମାନ କରିଥିବାବେଳେ ବିଜେପି ସମ୍ବିଧାନର ମର୍ଯ୍ୟାଦାକୁ ଅତୁଟ ରଖିଛି । ଲୋକଙ୍କ ଇଚ୍ଛାରେ ଆଜି ଜଣେ ଚାହା ବିକାଳୀ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ଆମେ ସମସ୍ତେ ଏକ ହୋଇ କାମ କରିବା । ଭାରତବର୍ଷ ତଥା ଓଡିଶାକୁ ସମୃଦ୍ଧ ଓ ବିକଶିତ କରି ଆମ୍ବେଦକରଜୀଙ୍କର ସ୍ୱପ୍ନକୁ ସାକାର କରିବା ବୋଲି ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟଠାରେ ୧୩୫ତମ ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ଏହି ଅବସରରେ ରାଜ୍ୟ ସଭାପତିଙ୍କ ସମେତ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର, ରାଜ୍ୟ ସହ-ପ୍ରଭାରୀ ଲତା ଉସେଣ୍ଡୀ, ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ସାଂସଦ ବିଭୁପ୍ରସାଦ ତରାଇ, ଯାଜପୁର ସାଂସଦ ରବିନାରାୟଣ ବେହେରା, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ, ବରିଷ୍ଠ ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ରଙ୍କ ସମେତ ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକର୍ତାମାନେ ବାବାସାହେବଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା ।

ଏହି ଅବସରରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି, ଦେଶର ସମ୍ବିଧାନ ପ୍ରଣୟନରେ ବାବାସାହେବ ଡା. ଭୀମରାଓ ଆମ୍ବେଦକର ଭାରତବର୍ଷର ଅମୂଲ୍ୟ ରନô ଥିଲେ । ଡା. ଭୀମରାଓ ସମସ୍ତ ଦେଶର ସମ୍ବିଧାନକୁ ଅନୁସନ୍ଧାନ କରି ଆମ ଦେଶ ପାଇଁ ଏକ ନୂତନ ସମ୍ବିଧାନ କରିଛନ୍ତି । କଂଗ୍ରେସ ଏହି ସମ୍ବିଧାନକୁ ନଷ୍ଟ କରିବା ପାଇଁ ବହୁ ଅପଚେଷ୍ଟା କରିଥିଲା, କିନ୍ତୁ ଏଥିରେ ସେ ସଫଳ ହୋଇପାରିଲାନାହିଁ । କଂଗ୍ରେସ ଆମ୍ବେଦକରଙ୍କୁ କେବଳ ଉପେକ୍ଷା କରିନାହିଁ ବରଂ ନିର୍ବାଚନରେ ତିନି ତିନି ଥର ବାଧା ସୃଷ୍ଟି କରି ନିର୍ବାଚନରେ ହରାଇଛି । ଭାରତ ସମ୍ବିଧାନର ପ୍ରଣେୟତା ବାବାସାହେବ ନିଷ୍ପେସିତ ଲୋକଙ୍କ ସ୍ୱର ସାଜି ଅବହେଳିତ, ବଂଚିତ ଓ ଶୋଷିତ ଲୋକଙ୍କୁ ଯେଉଁ ଉତ୍ଥାନ କରିଛନ୍ତି, ତାହା ଅକଳ୍ପନୀୟ ଓ ଅବିଶ୍ୱନୀୟ । ଗତ ୧୦ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାବାସାହେବ ଆମ୍ବେଦକରଙ୍କ ଜନ୍ମ ସ୍ଥାନଠୁ ଆରମ୍ଭ କରି କର୍ମସ୍ଥାନକୁ ପଂଚତୀର୍ଥର ଆଖ୍ୟା ଦେଇଛନ୍ତି । ପଂଚତୀର୍ଥକୁ ସମଗ୍ର ଦେଶବାସୀ ଯାଉଛନ୍ତି ଓ ପ୍ରେରଣା ନେଇକି ଆସୁଛନ୍ତି ।

ରାଜ୍ୟ ସହ-ପ୍ରଭାରୀ ଲତା ଉସେଣ୍ଡୀ କହିଛନ୍ତି, ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଅଖଣ୍ଡ ଭାରତର ସ୍ୱପ୍ନ ଦେଖିଥିଲେ । ମାତ୍ର କଂଗ୍ରେସ ଦଳ ସ୍ୱାଧୀନତା ପୂର୍ବ ଓ ପରବର୍ତୀ ସମୟରେ ବାବାସାହେବଙ୍କୁ ବାରମ୍ବାର ଅପମାନ କରିଥିଲା । ଆଜି ବି ଡ.ଭୀମରାଓଙ୍କ ପ୍ରତିମୂର୍ତୀ ସ୍ଥାପନା କରିବାକୁ ଆମକୁ ସଂଘର୍ଷ କରିବାକୁ ପଡୁଛି, ଯେତେବେଳେ କି ଏହା ସାରା ଦେଶରେ ସ୍ଥାପିତ ହେବା କଥା । ଡ. ଭୀମରାଓ ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ ଅଟନ୍ତି । ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ କହିଛନ୍ତି ଯେ, ଡ. ଭୀମରାଓଙ୍କ ପ୍ରଚେଷ୍ଟାରେ ସମ୍ବିଧାନ ପ୍ରସ୍ତୁତ ହେଲା ଅନୁସୂଚିତ ଜାତି ଜନଜାତିର ଲୋକ ନ୍ୟାୟ ପାଇଲେ । କିନ୍ତୁ ଆମ୍ବେଦକରଙ୍କୁ କଂଗ୍ରେସ ଦଳ ବାରମ୍ବାର ଅସମ୍ମାନିତ କରିଆସୁଥିଲା । ବାଜପେୟୀ ଏବଂ ଆଡଭାନୀଙ୍କ ପ୍ରଚେଷ୍ଟାରେ ଆମ୍ବେଦକରଙ୍କୁ ୧୯୯୦ ମସିହାରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ । ଆମ୍ବରଦକରଙ୍କୁ କେବଳ ମୋଦି ସରକାର ହିଁ ସମ୍ମାନ ଦେଇଛନ୍ତି । ଅନୁସୂଚିତ ଜାତି ଜନଜାତି ବର୍ଗର ଲୋକେ ନ୍ୟାୟ ପାଇବେ, ସେଥିପାଇଁ ଆଜି ଭାରତୀୟ ଜନତାପାର୍ଟି ସରକାର ସର୍ବଦା ଚେଷ୍ଟା କରୁଛି । ଆମ୍ବେଦକରଙ୍କ ସ୍ମୁତି ରକ୍ଷା କରିବା ପାଇଁ ନଭେମ୍ବର ୨୬ରେ “ସମ୍ବିଧାନ ଗୌରବ ଦିବସ” ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ଭୁବନେଶ୍ୱର ଏଜି ଛକ ସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତିରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟ ସଭାପତି  ମନମୋହଲ ସାମଲଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟ, ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଭାରତରତ୍ନ ବାବାସାହେବ ଡା. ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ରାଜ୍ୟ କାର୍ଯ୍ୟାଳୟ ସମେତ ପ୍ରତ୍ୟେକ ଜିଲ୍ଲା ଏବଂ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି ।

Spread the love