133

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଶୁକ୍ରବାର ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଶିରିଡ଼ି ଓ ନାସିକ ପାଇଁ ତୀର୍ଥ ଯାତ୍ରା ଟ୍ରେନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ଆଧ୍ୟାତ୍ମିକ ଓ ଧାର୍ମିକ ଆକାଂକ୍ଷା ପୂରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରାଯାଇଛି।

ତେବେ ପ୍ରଥମ ପର୍ଯ୍ୟାୟରେ ଛଅଟି ଜିଲ୍ଲା ଯଥା- ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳର ୭୭୫ ଜଣ ବରିଷ୍ଠ ନାଗରିକ ମହାରାଷ୍ଟ୍ରର ପ୍ରସିଦ୍ଧ ତୀର୍ଥସ୍ଥଳୀ ସିରିଡି ଓ ନାସିକ ଦର୍ଶନ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ଚଳିତ ବର୍ଷ ରାଜ୍ୟର ୮ହଜାର ବରିଷ୍ଠ ନାଗରିକଙ୍କ ପାଇଁ ୧୦ଟି ପର୍ଯ୍ୟାୟରେ ସିରିଡି, ନାସିକ, ଦକ୍ଷିଣ କାଳୀ (କୋଲକାତା), କାମାକ୍ଷା, ଅଯୋଧ୍ୟା, ବାରାଣାସୀ ଆଦି ତୀର୍ଥସ୍ଥାନ ଭ୍ରମଣର ବ୍ୟବସ୍ଥା କରାଯାଇଛି। ରାଜ୍ୟର ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାୟଗଡା ଓ ବାଲେଶ୍ୱର ଷ୍ଟେସନରୁ ଦୁଇଟି ପର୍ଯ୍ୟାୟରେ ଏହି ତୀର୍ଥଯାତ୍ରା ଟ୍ରେନ ଛାଡ଼ିବ।

ସମସ୍ତ ତୀର୍ଥଯାତ୍ରୀ ମାନଙ୍କୁ ନିଜ ଗ୍ରାମଠାରୁ ସେମାନେ ଯାତ୍ରା ଆରମ୍ଭ କରୁଥିବା ରେଳ ଷ୍ଟେସନ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଯିବା ଆସିବା ସୁବିଧା ପ୍ରଦାନ କରାଯାଇଛି। ଯାତ୍ରା ସମୟରେ ସମସ୍ତ ତୀର୍ଥଯାତ୍ରୀ ମାନଙ୍କର ରହିବା, ରେଳ ଷ୍ଟେସନରୁ ତୀର୍ଥସ୍ଥାନ ପର୍ଯ୍ୟନ୍ତ ଯିବା ଆସିବା ଏବଂ ଖାଇବା, ପିଇବାର ବନ୍ଦୋବସ୍ତ ମଧ୍ୟ କରାଯାଇଛି । ରାଜ୍ୟର ନାଗରିକମାନଙ୍କ ଧାର୍ମିକ ତଥା ଆଧ୍ୟାତ୍ମିକ ଭାବନାକୁ ସମ୍ମାନ ଜଣାଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ବିଶ୍ୱ ପ୍ରସିଦ୍ଧ  ମହାକୁମ୍ଭ ମେଳା ପାଇଁ ୪ଟି ଅତ୍ୟାଧୁନିକ ବସ୍ ସେବାର ବ୍ୟବସ୍ଥା କରାଯାଇଛି । ଏହା ସହିତ ୭ଟି ସ୍ୱତନ୍ତ୍ର ଟ୍ରେନ ମଧ୍ୟ ମହାକୁମ୍ଭ ମେଳା ପାଇଁ ଓଡିଶାରୁ ଚଳାଚଳ କରୁଛି।

Spread the love