କର୍ତବ୍ୟ ନ୍ୟୁଜ ବ୍ୟୁରୋ: ନୂଆ ବର୍ଷ,୨୦୨୫ ଜାନୁଆରୀ ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ମାସେ ବ୍ୟାପୀ ସଡ଼କ ସୁରକ୍ଷା ମାସ ପାଳନ କରାଯିବା ପରିପ୍ରେକ୍ଷୀରେ ମଙ୍ଗଳବାର ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଏ ବର୍ଷ ସଚେତନତା ଓ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ୟ୍ୟକ୍ରମକୁ ବ୍ୟାପକ କରିବାକୁ ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜ ପଥ ମନ୍ତ୍ରାଳୟ ସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ସଡ଼କସୁରକ୍ଷା ମାସ ପାଳନ କରାଯିବା ନିମନ୍ତେ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇଛି । ଅନୁଷ୍ଠିତ ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିବା ବେଳେ ଲୋକସେବା ଭବନରେ ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି. ଖୁରାନିଆଙ୍କ ସମେତ ପୁଲିସ୍ ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀ , ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ, ପରିବହନ କମିଶନର ତଥା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଅମିତାଭ ଠାକୁରଙ୍କ ସମେତ ପରିବହନ ବିଭାଗର ଅନ୍ୟ ପଦାଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ , ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ସଡକ ଦୁର୍ଘଟଣା କମାଇବା ସହିତ ଏବଂ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବାକୁ ଗୁରୁତ୍ୱ ଦିଆଯାଇଥିଲା ।
ଦେଖାଯାଇଛି ଯେ, ଗତ୧୦ବର୍ଷରେ ସଡ଼କ ଦୁର୍ଘଟଣାରେ ଓଡ଼ିଶାରେ ୪୭,୦୦୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି । ପ୍ରତିବର୍ଷ ପାଖାପାଖି ୫ ହଜାର ଜଣଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣହାନୀ ଘଟୁଛି । ପୃଥିବୀରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉ ଥିବା ସଂଖ୍ୟା ବିଭିନ୍ନ ପ୍ରାକୃତିକ ବିପର୍ୟ୍ୟୟରେ ମୃତ୍ୟୁ ସଂଖ୍ୟାଠାରୁ ଅଧିକ ବୋଲି ଏକ ସର୍ବେକ୍ଷଣରୁ ଜଣାଯାଇଛି । ଦୃତ ବେଗରେ ଗାଡ଼ି ଚଳାଇବା, ମାଦକଦ୍ରବ୍ୟସେବନ, ଭୁଲରାସ୍ତାରେଏବଂ ଟ୍ରାଫିକ ଟ୍ରାଫିକ୍ନିୟମନମାନି ଗାଡ଼ି ଚଳାଇବା ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ହେଉଛି ।
ରାଜ୍ୟ ସରକାରଙ୍କ ତରଫରୁ ବର୍ଷ ସାରା ସଡ଼କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଏହି ମାସରେ ସଚେତନତା କାର୍ୟ୍ୟକୁ ବ୍ୟାପକ କରାଯିବାକୁ ଆଲୋଚନା କରାଯାଇଛି । ‘ସଡ଼କ ସୁରକ୍ଷା, ପରିବାର ରକ୍ଷା’, ‘ସୁରକ୍ଷିତ ଭାବେ ଘରକୁ ଫେରିବା’ଚଳିତ ବର୍ଷ ସଡ଼କ ସୁରକ୍ଷା ମାସ ପାଳନର ପ୍ରମୁଖ ଅଭିଯାନ ହେବ । ସଡ଼କ ସୁରକ୍ଷା ପ୍ରସଙ୍ଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ସମସ୍ତ ଅଂଶୀଦାରମାନେ ଏହି ଅଭିଯାନରେ ସାମିଲ ହୋଇ ବିଭିନ୍ନ କାର୍ୟ୍ୟକ୍ରମରେ ସାମିଲ ହେବା ଉଦ୍ଦେଶ୍ୟ ରହିଛି।ଏଥିପାଇଁ ସମସ୍ତ ଆଂଚଳିକ ପରିବହନ ଅଧିକାରୀ ମାନଙ୍କୁ ସଡ଼କ ସୁରକ୍ଷା ସପ୍ତାହ ପାଳନପାଇଁ ପାଣ୍ଠି ଦିଆ ଯାଇଛି ।ଜିଲ୍ଲା ସଡ଼କସୁରକ୍ଷା ସମିତି ସହାୟତାରେ ସବୁ ଜିଲ୍ଲାରେ ସଡକ ସୁରକ୍ଷା ସଚେତନତା ରଥ ପରିକ୍ରମା କରିବ।ସେଥିରେ ଏଲଇଡି ବା ଟିଭି ମାଧ୍ୟମରେ ସଡ଼କ ସୁରକ୍ଷା ସଚେତନତା ସଂପର୍କିତ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହେବ। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ପାଇଁ ସଡ଼କ ସୁରକ୍ଷା ସଂପର୍କିତ ସ୍ଲୋଗାନ, ପେଣ୍ଟିଂ, କୁଇଜ୍ ଆଦି ପ୍ରତିଯୋଗିତା ଯଥା ଇତ୍ୟାଦି ଅନୁଷ୍ଠିତ ହେବ ।ବିଭିନ୍ନ ପିକନିକ୍ , ପର୍ୟ୍ୟଟନ ସ୍ଥଳ ଓ ଦର୍ଶନୀୟ ସ୍ଥାନରେ ସଡ଼କ ସୁରକ୍ଷା ବାର୍ତ୍ତା ଦର୍ଶାଉଥିବା ବ୍ୟାନର ଲଗାଯିବା ସହ ପ୍ରଚାର ପତ୍ର ବଣ୍ଟାଯିବ।
ଅନ୍ୟ ପକ୍ଷରେ ସଡ଼କ ସୁରକ୍ଷା ନିୟମ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ ହେବ।ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ପୁଲିସ ବିଭାଗ ସହଯୋଗରେ ମିଳିତ ଭାବେ ସ୍ୱତନ୍ତ୍ର ଅଭିଯାନରେ ଚଢ଼ଉ କରାଯିବ।ସମ୍ବେଦନଶୀଳ ସ୍ଥାନରେ ତଥା ଆବଶ୍ୟକ ରହୁଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ସଡ଼କ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ।ବେଆଇନ ଭାବେ ରାଜପଥରେ ପାର୍କିଂ କରିଥିବା ଗାଡିକୁ ତୁରନ୍ତ ହଟାଯିବ।ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ଗାଡ଼ି ଚାଳକ ମାନଙ୍କୁ ଛାତ୍ର ଟ୍ରାଫିକ୍ ସ୍ୱେଚ୍ଛାସେବୀ (ଷ୍ଟୁଡେଣ୍ଟ ଟ୍ରାଫିକ୍ ଭଲ୍ୟୁଣ୍ଟିୟର) ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ପରାମର୍ଶ ଦିଆଯିବ। ବିଶେଷ କରି ପିକ୍ନିକ୍ ସ୍ଥାନରେ ଓ ଦର୍ଶନୀୟ ସ୍ଥଳରେ ଏନ୍ଫୋର୍ସମେଣ୍ଟ ଦଳ ମୁତୟନ ରହିବେ।ଗୁରୁତ୍ୱପୂର୍ଣ୍ଣ ପିକ୍ନିକ୍ ସ୍ପଟ୍ ଗୁଡିକରେ ପ୍ରବେଶ ଓ ପ୍ରସ୍ଥାନ ପଥରେମଦୁଆ ଡ୍ରାଇଭର ମାନଙ୍କ ପ୍ରତି ନଜର ରଖିବାପାଇଁ ପୁଲିସ ମୁତୟନ ରହିବେ।