97

ନିରାଡମ୍ବର ଭାବେ ନୂଆ ବର୍ଷ ପାଳନ କଲେ ମୁଖ୍ୟମନ୍ତ୍ରୀ!

କର୍ତବ୍ୟ ନ୍ୟୁଜ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସାମୁହିକ ଦାୟିତ୍ୱ ସହ କାମ କରି ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକ ସଫଳ କରିବାକୁ ପରାମର୍ଶ ଦେଇଛନ୍ତି ।

ସୂଚନା ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ପରଲୋକ ଯୋଗୁଁ ରାଷ୍ଟ୍ରୀୟ ଶୋକ ପାଳନ ତଥା ଚାଷୀ ମାନଙ୍କ ଅଦିନିଆ ବର୍ଷା ଜନିତ ଫସଲ ହାନୀ ପାଇଁ ମୁଖ୍ୟମନ୍ତ୍ରୀ ନୂଆ ବର୍ଷକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ନୂଆ ବର୍ଷରେ ଅଧିକାରୀ ଓ କର୍ମଚାରୀ ମାନେ ବିନା ଫୁଲରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଛଅ, ସାତ ମାସ ମଧ୍ୟରେ ଆମ ସରକାର ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପ୍ରାୟତଃ ପୂରଣ ହୋଇଛି । ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପ୍ରମୁଖ ସଚିବ ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଧିକାରୀ ମାନଙ୍କ ସହଯୋଗରେ ବିଭିନ୍ନ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ସଫଳତାର ସହ କରାଯାଇଛି । ତେଣୁ, ଓଡିଶା ଅନ୍ୟ ରାଜ୍ୟ ଠାରୁ ଯେପରି ଭଲ ପ୍ରଦର୍ଶନ କରିବ ସେ ଦିଗରେ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସେ କହିଥିଲେ ଯେ, ଆମ ପାଖରେ ଅନେକ ଆହ୍ୱାନ ରହିଛି ଓ ସୁଯୋଗ ମଧ୍ୟ ରହିଛି । ସାମୁହିକ ଦାୟିତ୍ୱ ନେଇ ସବୁ ଆହ୍ୱାନର ମୁକାବିଲା କରିପାରିଲେ ସମସ୍ତ କାର୍ଯ୍ୟ ସଫଳତାର ସହ କରାଯାଇ ପାରିବ । ଓଡିଶାରେ Navy Day, DGP Conference ଆଦି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ସଫଳତାର ସହ ପାଳନ କରାଯାଇଛି । ପ୍ରବାସୀ ଭାରତୀୟ ଦିବସ ପାଳନ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରି ଅନ୍ତର୍ଜାତୀୟ ସ୍ତରରେ ଓଡିଶାର ମର୍ଯ୍ୟାଦାକୁ ପ୍ରତିଷ୍ଠିତ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଓଡିଶାର ବିକାଶ ପ୍ରତି ସ୍ୱତନ୍ତ୍ର ଫୋକସ ରହିଛି । ଗତ ଛଅ ମାସ ମଧ୍ୟରେ ତିନି ଥର ଆସିବା ସହିତ ଜାନୁଆରୀ ମାସରେ ଦୁଇ ଥର ଆସିବାର କାର୍ଯ୍ୟକ୍ରମ ରହିଛି । ଓଡିଶାକୁ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରର ସହଯୋଗ ଜାରି ରହିଛି । ତେଣୁ, ଏହି ସୁଯୋଗର ମଧ୍ୟ ସଦବ୍ୟବହାର କରି ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ଦିଗରେ ଆଗେଇବାକୁ ସେ ପରାମର୍ଶ ଦେଇଥିଲେ ।

ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଥିଲେ ଯେ, ଚଳିତ ବର୍ଷ ଓଡିଶା ପାଇଁ ଏକ ପ୍ରଗତିର ବର୍ଷ ହେବ। ୨୦୩୬ ଓ ୨୦୪୭ ପାଇଁ ଆମର ଯେଉଁ ସଂକଳ୍ପ ଅଛି, ସେ ଦିଗରେ ସମସ୍ତେ ମିଳିମିଶି କାମ କରିବାକୁ ସେମାନେ ପରାମର୍ଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ, ରାଜ୍ୟର ଅଧିକାରୀ ମାନେ ଦକ୍ଷ ।  ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସରକାରଙ୍କ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛନ୍ତି ବୋଲି ସେ କହିଥିଲେ ।

ଏହି ଆଲୋଚନାରେ ମୁଖ୍ୟ ଶାସନ ସଚିବଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ମାନେ ଉପସ୍ଥିତ ଥିଲେ ।

Spread the love