କର୍ତବ୍ୟ ନ୍ୟୁଜ ବ୍ୟୁରୋ: ଜେଲରୁ ବାହାରିଲେ ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନ । ଜାମିନ ପାଇ ଜେଲରୁ ବାହାରିବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଅଲୁ ଅର୍ଜୁନ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଅଭିନେତା ପ୍ରଥମେ ତାଙ୍କ ପ୍ରଶଂସକମାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଯେଉଁମାନେ ତାଙ୍କୁ ବିପଦ ସମୟରେ ସମର୍ଥନ କରିଥିଲେ ସେମାନଙ୍କୁ ମଧ୍ୟ କୃତଜ୍ଞନ୍ତା ଜଣାଇଛନ୍ତି ଅଲୁ | ଦଳାଚକଟାରେ ମହିଳାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି ପୁଷ୍ପା-୨ ନାୟକ । ଅଲୁ ଅର୍ଜୁନ ଜେଲରୁ ମୁକୁଳିବା ମାତ୍ରେ ସେ ଗୀତା ଆର୍ଟ ପ୍ରଡକ୍ସନ୍ ହାଉସରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ପିତା ଅରବିନ୍ଦ ଅଲୁ ତାଙ୍କ ସହ ନଜର ଆସିଥିଲେ । ଏହି ସମୟରେ ପ୍ରଶଂସକ ଏବଂ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଲୁ ଅର୍ଜୁନ ।
ଅଲୁ ଅର୍ଜୁନ କହିଥିଲେ ଭଲପାଇବା ଏବଂ ସମର୍ଥନ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ତେବେ ସେଦିନର ଘଟଣା ପାଇଁ ମୁଁ ଦୁଃଖିତ । ଅଲୁ ଅର୍ଜୁନ ଆହୁରି କହିଛନ୍ତି- ‘ଚିନ୍ତା କରିବାର କିଛି ନାହିଁ । ମୁଁ ଜଣେ ନାଗରିକ ଭାବେ ଆଇନ ପାଳନ କରିବି । ତଦନ୍ତରେ ସହଯୋଗ କରିବି । ମୁଁ ପୁଣି ଥରେ ସେ ପରିବାର ପ୍ରତି ସମବେଦନା ଜଣାଇବାକୁ ଚାହେଁ । ଏହା ଏକ ଦୁର୍ଭାଗ୍ୟଜନକ ଘଟଣା, ଆମେ ଦୁଃଖିତ । ତେବେ ଏହା ମୋ ନିୟନ୍ତ୍ରଣରେ ନଥିଲା । ମୁଁ ୨୦ ବର୍ଷ ଧରି ଫିଲ୍ମ ଦେଖିବାକୁ ଯାଉଛି । ମୁଁ ଚଳଚ୍ଚିତ୍ର ଦେଖିବା ପାଇଁ ଅତିକମରେ ୩୦ ଥର ସେଠାକୁ ଯାଇଛି କିନ୍ତୁ ଏହିପରି କିଛି ଘଟି ନଥିଲା । ଏହା ଏକ ଦୁର୍ଘଟଣା ଥିଲା ଏବଂ ମୁଁ ପରିବାରକୁ ସହାୟତା କରିଛି କରିବି ମଧ୍ୟ । ତେବେ ସେ ପରିବାରର ହୋଇଥିବା ଅପୂରଣୀୟ କ୍ଷତି ପାଇଁ କେହି କ୍ଷତିପୂରଣ ଦେଇପାରିବେ ନାହିଁ । କିନ୍ତୁ ମୁଁ ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବି । ମୁଁ ତାଙ୍କ ପରିବାରକୁ ପୂର୍ଣ୍ଣ ସମର୍ଥନ ଦେଇଛି ।