124

ଏବେବି ବଦଳେଇ ପାରିବେ ୨୦୦୦ ଟଙ୍କିଆ !

କର୍ତବ୍ୟ ନ୍ୟୁଜ ବ୍ୟୁରୋ: କଣ ଏବେବି ଆପଣଙ୍କ ପାଖରେ ରହିଛି ୨୦୦୦ ଟଙ୍କିଆ ନୋଟ ? କେମିତି ବଦଳ କରାଇବେ ୨୦୦୦ ଟଙ୍କିଆ କଣ ଆପଣ ବି ଅଛନ୍ତି ଚିନ୍ତାରେ ? ୨ହଜାର ଟଙ୍କିଆ ନୋଟ୍ କାରବାର ବନ୍ଦ କରାଯାଇଥିବା ବେଳେ କିଛି ଲୋକଙ୍କ ପାଖରେ ଏବେବି ରହିଛି ୨୦୦୦ ଟଙ୍କିଆ ନୋଟ । ସବୁ ବ୍ୟାଙ୍କରେ ଆଉ ନୋଟ୍ ବଦଳ ମଧ୍ୟ କରାଯାଉନି। ତେଣୁ ଟଙ୍କା କିପରି ବଦଳ କରିବେ ତାହା ଲୋକମାନେ ଜାଣିପାରୁ ନାହାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏବେବି ୨ ହଜାର ଟଙ୍କିଆ ନୋଟ୍ ବଦଳ ଚାଲିଛି ? ଆପଣ ବି ଚାହିଁଲେ ବଦଳାଇ ପାରିବେ ଟଙ୍କା ।

ତେବେ ଆସନ୍ତୁ ଜାଣିବା କିପରି ଓ କେଉଁଠି ବଦଳ କରିବେ ୨୦୦୦ ଟଙ୍କିଆ ନୋଟ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଶତ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କ ନିକଟକୁ ଫେରିନଥିବା ଉଲ୍ଲେଖ କରାଯାଇଛି। ଏଯାଏ ୯୮.୦୮ ପ୍ରତିଶତ ନୋଟ୍ ବ୍ୟାଙ୍କକୁ ଫେରିଥିବା ବେଳେ ଅବିଶିଷ୍ଟ ଟଙ୍କା ଏଯାଏ ବ୍ୟାଙ୍କରେ ଜମା ହୋଇନି। ଲୋକଙ୍କ ପାଖରେ ଏଯାଏ ୬୮୩୯ କୋଟିର ୨ହଜାର ଟଙ୍କିଆ ନୋଟ୍ ରହିଛି। ତେବେ ଏହାକୁ ଜମା କରିବାର ଅବଧି ସରିଯାଇଥିଲେ ସୁଦ୍ଧା କିଛି ବ୍ୟାଙ୍କରେ ୨ହଜାର ଟଙ୍କିଆ ନୋଟ୍ ବଦଳାଯାଇପାରୁଛି। ଗତ ବର୍ଷ ମେ ୧୯ରେ, ୨ହଜାର ଟଙ୍କିଆ ନୋଟକୁ ହଟାଇବାକୁ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ | ଆରବିଆଇ ବିବୃତ୍ତିରେ କହିଛି ଯେ ମୋଟ ୩.୫୬ ଲକ୍ଷ କୋଟିର ୨ହଜାର ଟଙ୍କିଆ ନୋଟ୍ ମାର୍କେଟ୍‌ରେ ଥିଲା। ୨୦୨୪ ନେଭେମ୍ୱର ସୁଦ୍ଧା ଏହା ୬୮୩୯ କୋଟିକୁ ହ୍ରାସ ପାଇଛି। ଅର୍ଥାତ ଆଉ ବଜାରରେ ମୋଟ୍ ୬୮୩୯ କୋଟିର ୨ହଜାର ଟଙ୍କିଆ ନୋଟ୍ ରହିଛି। ଯାହା ବ୍ୟାଙ୍କରେ ଏଯାଏ ଜମା କରାଯାଇନାହିଁ। ଟଙ୍କା ଜମା କିମ୍ବା ବଦଳ କରିବାର ସୁବିଧା ଦେଶର ସମସ୍ତ ବ୍ୟାଙ୍କ ଶାଖାରେ ୭ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଉପଲବ୍ଧ ଥିଲା। ତଥାପି, ଏହି ନୋଟ୍ ବଦଳାଇବାର ସୁବିଧା ରିଜର୍ଭ ବ୍ୟାଙ୍କର ୧୯ ଟି ଇସୁ କାର୍ଯ୍ୟାଳୟରେ ଉପଲବ୍ଧ ଅଛି।

ଏହା ବ୍ୟତୀତ ଲୋକମାନେ ଇଣ୍ଡିଆନ୍ ପୋଷ୍ଟ ମାଧ୍ୟମରେ RBI ର ଯେକୌଣସି ଇସୁ କାର୍ଯ୍ୟାଳୟକୁ ୨ହଜାର ଟଙ୍କିଆ ନୋଟ୍ ପଠାଇ ପାରିବେ। ଏହା ସହ ଆବଶ୍ୟକ ଡକ୍ୟୁମେଣ୍ଟ ଯେପରି Aadhaar card, PAN card ପଠାଇବାକୁ ହେବ। ଏହାପରେ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ। ଅହମ୍ମଦାବାଦ, ବେଙ୍ଗାଲୁରୁ, ବେଲାପୁର, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଗୁଆହାଟୀ, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା ଏବଂ ଥିରୁବନନ୍ତପୁରରେ ବ୍ୟାଙ୍କ ନୋଟ ଜମା / ବଦଳ ପାଇଁ ଆରବିଆଇ ଇସ୍ୟୁ କାର୍ଯ୍ୟାଳୟ ରହିଛି । ତେବେ ନଭେମ୍ବର ୨୦୧୬ରେ ୧ହଜାର ଓ ୫୦୦ ଟଙ୍କିଆ ନୋଟ୍ ବଜାରରୁ ହଟାଯିବା ପରେ ୨ହଜାର ଟଙ୍କିଆ ନୋଟ୍ ଜାରି କରାଯାଇଥିଲା।

Spread the love