କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ପାଣିପାଗକୁ ନେଇ ଆସିଲା ସାଙ୍ଘାତିକ ଖବର | ବଙ୍ଗୋପସାଗରରେ ମାଡ଼ି ଆସୁଛି ଆଉ ଏକ ଲଘୁଚାପ । ୨୩ ସୁଦ୍ଧା ଲଘୁଚାପ ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ । ୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । କ୍ରମେ ଏହା ଘନୀଭୂତ ହୋଇ ୨୩ ତାରିଖରେ ଲଘୁଚାପ ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ପରେ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଅବପାତ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ସବୁଠାରୁ ବଡ଼ କଥା ହେଲା ଲଘୁଚାପର ପ୍ରଭାବ କିଭଳି ରହିବ, ଏଯାଏଁ ଅସ୍ପଷ୍ଟ ରହିଛି ।
ଏପଟେ ବର୍ଷ ପରେ ବର୍ଷ ଉତ୍ତପ୍ତ ହେଉଛି ପୃଥିବୀ, ଭାଙ୍ଗୁଛି ଗୋଟିକ ପରେ ଗୋଟିଏ ରେକର୍ଡ । ପୁଣି ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ବିଶ୍ବ ପାଣିପାଗ ସଂଗଠନର ରିପୋର୍ଟ ପରେ ଜାତିସଂଘ ଉଦବେଗ ପ୍ରକାଶ କରିଛି। ମାନବଜାତି ନିଜେ ପୃଥିବୀରେ ନିଆଁ ଲଗାଉଛି ଏବଂ ନିଜେ ହିଁ ତାର ଫଳ ଭୋଗୁଛି ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟାରେସ୍ । ସୂଚନା ଅନୁସାରେ, ଚଳିତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ରେକର୍ଡ ହୋଇଥିବା ବିଶ୍ବର ହାରାହାରି ତାପମାତ୍ରାକୁ ଦେଖି ଆକଳନ କରାଯାଉଛି ଯେ, ୨୦୨୪ ମସିହା ତାତିରେ ସର୍ବକାଳୀନ ରେକର୍ଡ ଭାଙ୍ଗିବାକୁ ଯାଉଛି । କେବଳ ଏତିକି ନୁହେଁ, ପ୍ରି-ଇଣ୍ଡଷ୍ଟ୍ରିଆଲ୍ ବା ପ୍ରାକ୍-ଔଦ୍ୟୋଗିକ ବିଶ୍ବ ତାପମାତ୍ରା ସ୍ତର ଠାରୁ ପ୍ରଥମ ଥର ପାଇଁ ଦେଢ଼ ଡିଗ୍ରୀ ଉତ୍ତାପ ବୃଦ୍ଧି ପାଇଛି।