108

ସମୁଦ୍ରରେ ଭାରତୀୟ ତଟରକ୍ଷୀ ବାହିନୀ ଦେଖାଇଲା ବୀରତ୍ୱ, ୭ ଭାରତୀୟ ମତ୍ସ୍ୟଜୀବୀ

କର୍ତବ୍ୟ ନ୍ୟୁଜ ବ୍ୟୁରୋ: ସମୁଦ୍ରରେ ଭାରତୀୟ ତଟରକ୍ଷୀ ବାହିନୀ ଦେଖାଇଲା ବୀରତ୍ୱ। ପାକିସ୍ତାନ ସାମୁଦ୍ରିକ ବାହିନୀର ଘେରାବନ୍ଦୀରେ ଥିବା ୭ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ କୋଷ୍ଟଗାର୍ଡ। ଭାରତ-ପାକିସ୍ତାନ ସାମୁଦ୍ରିକ ସୀମାରୁ ସେମାନଙ୍କୁ ଉଦ୍ଧାର କରାଯାଇଛି। ରେସକ୍ୟୁ ଅପରେସନ ବେଳେ ପାକିସ୍ତାନ ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ତେବେ ଭାରତୀୟ ତଟରକ୍ଷୀ ବାହିନୀ ଜାହାଜ ଅଗ୍ରୀମ ଏବଂ ପାକିସ୍ତାନ ଜାହାଜ ନୁସରତ୍‌ର ୨ ଘଣ୍ଟା ଧରି ମୁକାବିଲା ହୋଇଥିଲା। ପରେ ମତ୍ସ୍ୟଜୀବୀଙ୍କ ଜାହାଜ କାଳଭୈରବରୁ ଉଦ୍ଧାର ହୋଇଥିଲେ ୭ ମତ୍ସ୍ୟଜୀବୀ।

ମଝି ସମୁଦ୍ରରେ ଭାରତୀୟ କୋଷ୍ଟଗାର୍ଡ-ପାକିସ୍ତାନୀ ଜାହାଜ ମୁହାଁମୁହିଁ ହୋଇଥିଲେ । ମତ୍ସ୍ୟଜୀବୀଙ୍କୁ ଧରି ପଳାଉଥିବା ପାକିସ୍ତାନୀ ଜାହାଜକୁ ଘେରିଥିଲା ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଅଗ୍ରୀମ। ପ୍ରାୟ ଦୁଇ ଘଣ୍ଟା ଧରି ପାକିସ୍ତାନୀ ଜାହାଜର ପିଛା ପରେ ଭାରୀତୀୟ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା। ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ପାଇଁ ପାକିସ୍ତାନୀ ଜାହାଜ ସୋମବାର ପାକିସ୍ତାନ-ଭାରତ ସାମୁଦ୍ରିକ ସୀମାରେ ପହଞ୍ଚିଥିଲା। ସେଠାର ନିୟୋଜିତ ହୋଇଥିବା ଇଣ୍ଡିଆନ କୋଷ୍ଟଗାର୍ଡର ଜାହାଜ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପାକିସ୍ତାନର ସାମୁଦ୍ରିକ ସୁରକ୍ଷା ଏଜେନ୍ସିର ଜାହାଜ ପିଏମଏସ ନୁସରତ ଭାରତୀୟ ସମୁଦ୍ର ସୀମାରେ ପ୍ରବେଶ କରି ‘କାଲ୍‌ ଭୈରବ’ ବୋଟର ୭ ମତ୍ସ୍ୟଜୀବୀଙ୍କୁ ଧରି ନେଇଯାଉଥିଲା । ଏହି ସୂଚନା ପାଇବା ପରେ ଆକ୍ସନ ମୋଡ଼କୁ ଆସିଥିଲା ଭାରତୀୟ ତଟରକ୍ଷୀ ବାହିନୀ । ଦୁଇ ଘଣ୍ଟା ଧରି ଗୋଡ଼ାଇବା ପରେ ୭ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ତେବେ ଏହି ଘଟଣାରେ ମତ୍ସଜୀବୀଙ୍କ ବୋଟ୍‌ ‘କାଲ୍‌ ଭୈରବ’ କ୍ଷତିଗ୍ରସ୍ତ ହେବା ସହ ପାଣିରେ ବୁଡ଼ି ଯାଇଥିଲା । ୧୭ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ଧରି ୧୮ ତାରିଖରେ ପହଞ୍ଚିଥିଲା କୋଷ୍ଟଗାର୍ଡ । କାହିଁକି ପାକିନ୍ତାନୀ ଜାହାଜ ଭାରତୀୟ ମତ୍ସ୍ୟଜୀବୀଙ୍କୁ ନେଇ ଯାଉଥିଲା, ଏହା ପଛରେ କଣ ରହିଛି ଉଦ୍ଦେଶ୍ୟ ସେନେଇ ପୋଲିସ, ଗୁଇନ୍ଦା ବିଭାଗ ଓ କୋଷ୍ଟଗାର୍ଡ ପକ୍ଷରୁ ମିଳିତ ତଦନ୍ତ ଆରମ୍ଭ ହୋଇଛି ।

Spread the love