26

ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଓଡ଼ିଶାବାସୀ । ଆସନ୍ତା ୨୩ ତାରିଖରେ ବାତ୍ୟା ସୃଷ୍ଟି ହୋଇ ୨୪ ତାରିଖ ସକାଳେ ଏହା ଓଡ଼ିଶା ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ରହିପାରେ । ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ହୋଇପଡ଼ିଛନ୍ତି ରାଜ୍ୟ ସରକାର । ତେବେ ଆଜି ଅପରାହ୍ନ ୪ଟାରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ ରାଜସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଏସଆରସି ।

ସେପଟେ ବାତ୍ୟା ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | ବାତ୍ୟାକୁ ନେଇ ଭୟଭୀତ ନ ହେବାକୁ ସେ କହିଛନ୍ତି । ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ‘ମୁଖ୍ୟ ସଚିବ, ଏସ୍‌ଆର୍‌ସି ସମୀକ୍ଷା କରିଛନ୍ତି । ମୁଁ ବି ସମୀକ୍ଷା କରିବି । କେବଳ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ନୁହେଁ, ପୂରା ୩୦ ଜିଲ୍ଲାରେ ପ୍ରସ୍ତୁତି ରହିବ। ୩୦ ଜିଲ୍ଲାରେ ଓଡ୍ରାଫ୍‌ ଟିମ୍‌ ମୁତୟନ ରହିବେ, ଏନ୍‌ଡିଆର୍‌ଏଫ୍‌କୁ ମଧ୍ୟ ଆଲର୍ଟ ରଖାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ କଡ଼ା ବାରଣ କରାଯାଇଛି । ଟ୍ରଲରମାଲିକ ଯଦି ଜୋର୍‌ କରି ପଠାନ୍ତି, ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ’ । ସେହିପରି ଲୋକଙ୍କୁ ସ୍ଥାନାନ୍ତରକୁ ନେଇ କହିଛନ୍ତି ଯେ, ‘ସମୟ ଯେତେ ପାଖେଇ ଆସିବ, ଆମେ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ କରିବୁ । ଆବଶ୍ୟକ ହେଲେ ଯଥେଷ୍ଟ ଆଗରୁ ମଧ୍ୟ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ, କେହି ଭୟଭୀତ ହୁଅନ୍ତୁନି’ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।

Spread the love