ନବରଙ୍ଗପୁର: ନବରଙ୍ଗପୁର ସହର ମଧ୍ୟରେ ଗତକାଲି ରାତି ମାଆ ଦୁର୍ଗାଙ୍କ ଭଷାଣି ସମୟରେ ଛୁରୀ ମାଡ଼ ଘଟଣା ପରେ ମୃତକଙ୍କ ପରିବାର ତରଫରୁ ନବରଙ୍ଗପୁର ଥାନାରେ ଏତଲା ଦାୟର କରାଯାଇଛି । ଏତଲା ଦାୟର କରିବା ପରେ 103(1)/3(5)ବିଏନଏସ 2024 ଅନୁସାରେ ଧାରା ଲଗାଇଚି ପୋଲିସ | ତିନି ଜଣ ଙ୍କୁ ଅଟକ ରଖି ପଚରା ଉଚରା କରାଯିବା ସହିତ ଅନ୍ୟ ତିନି ଜଣଙ୍କୁ ଖୋଜୁଥିବା ନେଇ ମଧ୍ୟ ପୋଲିସ ସୂଚନା ଦେଇଛି ।
ଅପରପକ୍ଷରେ ମୃତକ ଙ୍କ ପରିବାର କୁ ନ୍ୟାୟ ଦାବି ସହ ଅଭିଯୁକ୍ତ ଙ୍କୁ ଶୀଘ୍ର ଗିରଫ ଦାବିରେ ଶତାଧିକ ମହିଳା ଥାନା ସମ୍ମୁଖରେ ଘେରାଉ କରିବା ପାଇଁ ଆସିଥିଲେ । କିନ୍ତୁ ଦୋଷୀ ଙ୍କୁ ଗିରଫ କରିବା ପାଇଁ ପୋଲିସର କାର୍ଯ୍ୟାନୁଷ୍ଠାନ ଓ ତତ୍ପରତାରେ ସନ୍ତୁଷ୍ଟ ହୋଇ ମହିଳା ମାନେ ଘରକୁ ଫେରିଥିଲେ । ସୂଚନା ଅନୁସାରେ ଗତକାଲି ରାତି ନବରଙ୍ଗପୁର ସହରର 8 ଟି ଦୁର୍ଗା ପୂଜା କମିଟିର ଏକକାଳୀନ ମାଆ ଦୁର୍ଗାଙ୍କ ଭଷାଣି ଉତ୍ସବ ଚାଲିଥିଲା | ଭଷାଣି ଯାତ୍ରା ସହର ଅତିକ୍ରମ କରିବା ପରେ ନବରଙ୍ଗପୁର ସହର ସ୍ଥିତ ପୌରପାଳିକା ନିକଟରେ ଦୁଇଗୋଷ୍ଠୀ ମଧ୍ୟରେ ପ୍ରଥମେ କୌଣସି ଏକ ଘଟଣାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇ ଏହା ହତ୍ୟାକାଣ୍ଡର ରୂପ ନେଇଥିଲା l ଗୋଟିଏ ଗୋଷ୍ଠୀର ଛୁରୀ ମାଡ଼ରେ ନବରଙ୍ଗପୁର ଦଣ୍ଡାସୀ ସାହିର କିରନ ଗାଦବା ନାମକ ନାବାଳକର ମୃତ୍ୟୁ ଘଟିଥିବାବେଳେ, ତେଯାବ ହରିଜନ ନାମକ ନାବାଳକ ଗୁରୁତର ହୋଇଥିଲା,ଏହାପରେ ଦୁଇଜଣ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରେ ଉପସ୍ଥିତ ଲୋକ ନବରଙ୍ଗପୁର ମେଡିକାଲ ରେ ଭର୍ତି କରିଥିଲେ | କିରନ ଗାଦବାର ମୃତ୍ୟୁ ହୋଇଯାଇଥିବା ନେଇ ଡାକ୍ତର କହିଥିବାବେଳେ | ଗୁରୁତର ତେଯାବ ହରିଜନ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛି | ଏହି ଘଟଣାକୁ କେନ୍ଦ୍ରକରି ଦଣ୍ଡାସୀ ସାହିର ଶତାଧିକ ମହିଳା ଓ ପୁରୁଷ ମେଡିକାଲରେ ଏକତ୍ରିତ ହୋଇ ମୃତକଙ୍କ ପରିବାରରକୁ ନ୍ୟାୟ ପ୍ରଦାନ ପାଇଁ ଅଡ଼ି ବସିଥିଲେ l ଏହି ଘଟଣାରେ ପୋଲିସ 3 ଜଣଙ୍କୁ ଗତକାଲି ରାତିରୁ ଅଟକ ରଖିଥିବାବେଳେ ଏହି ଘଟଣାରେ ସମ୍ପୃକ୍ତ ଆଉ ୩ ଜଣଙ୍କୁ ଖୋଜିବାରେ ଲାଗିଛି l ଆଜି ସକାଳ ଠାରୁ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ କାରଣରୁ ସ୍ଥିତି ସାମାନ୍ୟ ହୋଇଛି l