130

ଭଗବତୀଙ୍କ ପୀଠରେ ପୂଜାର୍ଚନା କଲେ ଏସପି ସାଗରିକା

ଖୋର୍ଦ୍ଧା: ଆଜି ଖୋର୍ଦ୍ଧାର ନୂତନ ଏସପି ସାଗରିକା ନାଥ ବାଣପୁର ଥାନା ଗସ୍ତରେ ଆସି ପ୍ରଥମେ ମା’ ଭଗବତୀ ମନ୍ଦିର ଦର୍ଶନ କରିଥିଲେ | ମା’ଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ପୂଜାର୍ଚନା କରିଥିଲେ ନୂତନ ଏସପି | ବେଢାରେ କିଛି ସମୟ ଅତିବାହିତ କରିବା ସହ ମନ୍ଦିରର ସୁରକ୍ଷା ବିଷୟରେ ତଦାରଖ କରିଥିଲେ ଏସପି | ଶାରଦୀୟ ପୂଜା ଉପଲକ୍ଷେ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବାକୁ ଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦେବା ସହ ଏଦିଗରେ ନିଆଯାଇଥିବା ପଦକ୍ଷେପ ବିଷୟରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ ଏସପି | ଏହାପରେ ଏସପି ବାଣପୁର ଥାନାକୁ ଯାଇ ବିଭିନ୍ନ ବ୍ୟବସ୍ଥା ପରଖିଥିଲେ | ଏହି ଅବସରରେ ଥାନାର ସମସ୍ତ ପୋଲିସ କର୍ମଚାରୀମାନେ ନୂତନ ଏସପିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ | ବାଣପୁର ଥାନାର ଆଇନ ଶୃଙ୍ଖଳା ସ୍ଥିତି ଉପରେ ଏକ ଛୋଟ ବୈଠକ ନେଇଥିଲେ ଏସପି l ତତସହିତ ଥାନାକୁ ଆସୁଥିବା ନାଗରିକମାନଙ୍କ ଅଭିଯୋଗର ତ୍ୱରିତ ପଞ୍ଜିକରଣ, ଉତ୍ତମ ବ୍ୟବହାର, ବୟସ୍କ ଓ ମହିଳା ନାଗରିକଙ୍କୁ ତ୍ୱରିତ ସେବା ପ୍ରଦାନ କରିବା ଆଦି ବିଷୟ ଉପରେ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ନୂତନ ଏସପି | ଏସପି ଙ୍କ ଗସ୍ତ ବେଳେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଆଇଆଇସି ରମେଶ କୁମାର ଦେବତା ଏବଂ ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ଉପସ୍ଥିତ ଥିଲେ |

Spread the love