78

ମାଗଣାରେ ମିଳିବ ମହାପ୍ରଭୁଙ୍କ ମହାପ୍ରସାଦ

ଭୁବନେଶ୍ୱର: ଦଶହରାରେ ଜଗନ୍ନାଥପ୍ରେମୀଙ୍କୁ ଖୁସି ଖବର ଦେଲେ ରାଜ୍ୟ ସରକାର | ଏଣିକି ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡ଼ୁଆ । ଦର୍ଶନ ପାଈଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ କୁଡ଼ୁଆ ଦିଆଯିବ। ଖୁବଶୀଘ୍ର ଏହି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର | ଏଥିପାଈଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହାସହ ମୁକ୍ତ ହସ୍ତରେ ଦାନ ପାଈଁ ଭକ୍ତଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ପୃଥ୍ୱୀରାଜ।

ମନ୍ତ୍ରୀ କହିଛନ୍ତି ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ୧୪ ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ଆମେ ଭକ୍ତ ସମାଜ ଭିତରେ ସମସ୍ତଙ୍କୁ ଅନୁରୋଧ କରିଛୁ । ଯେଉଁ ବଦାନ୍ୟ ଭକ୍ତମାନେ ଅଛନ୍ତି ସେମାନଙ୍କ ସହଯୋଗରେ ଏହା ହେବ। ସେମାନେ ମଧ୍ୟ ପୁଣ୍ୟ ଅର୍ଜନ କରିବେ । ଏହାରି ଭିତରେ ଅନେକ ଭକ୍ତ ଆସି ସହଯୋଗର ହାତ ବି ବଢ଼ାଇଛନ୍ତି । କାର୍ତ୍ତିକ ମାସ ପରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏପଟେ କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କର ଯେମିତି କୌଣସି ଅସୁବିଧା ହେବ ନାହିଁ, ସେନେଇ ବ୍ୟବସ୍ଥା କରାଯାଇଛି । ମୁଖ୍ୟ ପ୍ରଶାସକ, ଜିଲ୍ଲପାଳଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ଏନେଇ ଧ୍ୟାନ ଦେଉଛନ୍ତି । କାର୍ତ୍ତିକ ମାସ ପରେ, ଶୃଙ୍ଖଳିତ ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ । ହବିଷ୍ୟାଳି କିଭଳି ଭଲରେ ଭଲରେ ଦର୍ଶନ ସାରି ଘରକୁ ଫେରିବେ ତାହାର ଦାଇତ୍ୱ ସରକାର ନେବେ । କୌଣସି ସମସ୍ୟା ହେଲେ ତାର ସମାଧାନ ହେବ । ଏନେଇ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି ।
ଏବେ ମାର୍ଗଶିର ମାସରୁ ଶୃଙ୍ଖଳିତ ଦର୍ଶନ ଓ ଏହାର ଡିଜାଇନ ଆରମ୍ଭ ହୋଇଛି । ଭକ୍ତ ସାତ ପାହାଚଠୁ ସିଧା ଯାଇ ଘଣ୍ଟି ଦ୍ୱାର ପଟେ ବାହାରିବେ, ସେଭଳି ଏକ ବ୍ୟବସ୍ତା କରାଯାଉଛି । ଏହି ବ୍ୟବସ୍ଥା ହୋଇସାରିବା ପରେ ଭକ୍ତମାନଙ୍କ ଦର୍ଶନରେ କୌଣସି ଅସୁବିଧା ହେବ ନାହିଁ ଏବଂ ସମସ୍ତେ ଭଲ ଭାବରେ ପ୍ରଭୁଙ୍କ ଦର୍ଶନ ସାରି ମନ୍ଦିରରୁ ବାହାରିବେ । ଏହାକୁ ଆଖି ଆଗରେ ରଖି ଯୋଜନା ଆରମ୍ଭ କରାଯାଇଛି ।

Spread the love