96

ଭୁତ ନିର୍ମାଣ କରୁଛି କୋଠା

ନବରଙ୍ଗପୁର: କୌଣସି ସରକାରୀ କୋଠା ଯଦି ନିର୍ମାଣ ହୁଏ ତେବେ ସେହି କାର୍ଯ୍ୟ କୁ ଏକ ନିର୍ଦ୍ଧିଷ୍ଟ ବିଭାଗ ଦ୍ୱାରା କରାଯାଇଥାଏ | ସେହି ନିର୍ମାଣ କାର୍ଯ୍ୟ ରେ ଠିକାଦାରଙ୍କୁ ଟେଣ୍ଡେର ଦେବା ସହ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ ତଦାରଖ କରିଥାନ୍ତି | କିନ୍ତୁ ଏଭଳି ଏକ ସରକାରୀ କୋଠା ନିର୍ମାଣ ବିଷୟରେ ଆମେ ଆପଣଙ୍କୁ କହୁଚୁ ଯାହାକୁ ଭୁତ ନିର୍ମାଣ କରୁଛି | ଆଜ୍ଞା ହଁ କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି କିଛି ସେହିପରି | ଉକ୍ତ କୋଠା ନିର୍ମାଣ କେଉଁ ବିଭାଗ ଦ୍ୱାରା, କେଉଁ ଯନ୍ତ୍ରୀ ତଦାରଖ କରୁଛନ୍ତି କି କେଉଁ ଠିକାଦାର କାମ ନେଇଛନ୍ତି ଏପର୍ଯ୍ୟନ୍ତ କାହାରିକୁ ଜଣା ନାହିଁ | ଉକ୍ତ କାର୍ଯ୍ୟ ରେ ଶିଶୁ ଶ୍ରମିକ, ମିସ୍ତ୍ରୀ କାମ କରୁଛନ୍ତି ସତ କିନ୍ତୁ ସେ କାମର ଅଟକଳ ମୂଲ୍ୟ କେତେ?, ସେଠାରେ କୌଣସି ଫଳକ ଲଗାଯାଇନାହିଁ | ଜଣେ ଯୁବକ ସେହି କାମକୁ ତଦାରଖ କରୁଛନ୍ତି କିନ୍ତୁ ସେମଧ୍ୟ ଜାଣିନାହାନ୍ତି ଯେ କାମ କରୁଛି କିଏ ସେ କିଛି ଉତ୍ତର ଦେଇପାରୁନାହାନ୍ତି | ଯୁବକ ଙ୍କ କହିବାନୁଯାଇ ବୈପାରୀଗୁଡା ରେ ତାଙ୍କ ଅଫିସର ରହୁଛନ୍ତି ତାଙ୍କ ନାମ ହେଲା ନିବାସ ମହାନ୍ତି | ଏଭଳି ଏକ ଭୁତ ନିର୍ମାଣ କରୁଥିବା କୋଠା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅଧୀନରେ ଥିବା ଭୀମାଗୁଡା ଗ୍ରାମର ପ୍ରାଣୀ ଚିକିତ୍ସାଳୟ ପରିସରରେ | ଉକ୍ତ କୋଠା ନିର୍ମାଣ ନିମ୍ନମାନର ହୋଇଥିବା ଦେଖିବାକୁ ମିଳିଛି | ଫାଉଣ୍ଡେସନରେ ଗାତ ନ କରି ମାଟି ଉପରେ ଖାଲି ସିମେଣ୍ଟ ଢାଳି ଦିଆଯାଇଛି ଏବଂ ତା ଉପରେ ପିଲର ଉଠେଇ ଦିଆଯାଇଛି | ଉକ୍ତ କୋଠା କାମରେ ଛୋଟ ଛୋଟ ଝିଅ ମାନଙ୍କୁ ନିୟୋଜିତ କରିଥିବା ଦେଖିବାକୁ ମିଳିଛି | ନିବାସ ମହାନ୍ତିଙ୍କ କହିବା ଅନୁସାରେ ଉକ୍ତ କୋଠା କାମ କେନ୍ଦ୍ର ସରକାରଙ୍କ ଅଧୀନରେ ଅଛି କିନ୍ତୁ କେଉଁ ବିଭାଗ କରୁଛି କିଏ ଠିକାଦାର ତାହା କିଛି ସ୍ପଷ୍ଟ କରୁନାହାନ୍ତି | ଏଥିରୁ ଜଣାପଡୁଛି ଉକ୍ତ କାର୍ଯ୍ୟ ବିଷୟରେ କୌଣସି ପ୍ରତିକ୍ରିୟା ନେବାକୁ ହେଲେ କେନ୍ଦ୍ରର ଅଧିକାରୀଙ୍କ ପାଖକୁ ଯିବାକୁ ପଡିବ | ଏ ବିଷୟରେ ଝରୀଗାଁ ବିଧାୟକ ନରସିଂ ଭତରା ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ |

Spread the love