116

ମିଥୁନ ପାଇବେ ଦାଦା ସାହେବ ଫାଲକେ ସମ୍ମାନ

ଭୁବନେଶ୍ବର: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର । ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ମିଳିବ ସମ୍ମାନ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ହେଉଛି ଦାଦା ସାହେବ ଫାଲକେ । ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମିଳିବ ଏହି ସମ୍ମାନ। ୪୮ ବର୍ଷର କ୍ୟାରିୟର୍‌ରେ ୩୫୦ରୁ ଅଧିକ ଫିଲ୍ମରେ ମିଥୁନ୍‌ ଅଭିନୟ କରିଛନ୍ତି  । ହିନ୍ଦୀ, ବଙ୍ଗାଳୀ, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ଅଭିନେତା ମିଥୁନ । ୪୮ ବର୍ଷର ସଫଳ କ୍ୟାରିଅରରେ ୭୪ ବର୍ଷିୟ ମିଥୁନ ଚକ୍ରବର୍ତ୍ତୀଙ୍କର ହିନ୍ଦୀ ସିନେମା ଜଗତକୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ସେ ଏବେବି ଚଳଚ୍ଚିତ୍ରରେ ସକ୍ରିୟ ଅଛନ୍ତି। କୋଲକାତାର ଗଳିକନ୍ଦିରୁ ବଳିଉଡର ଡିସ୍କୋ ଡ୍ୟାନ୍ସର ହେବା ଯାଏଁ ଯାତ୍ରା ମିଥୁନଙ୍କ ପାଇଁ ଆଦୌ ସହଜ ନଥିଲା। ସିନେମାର ଉଚ୍ଚତାରେ ପହଞ୍ଚିବା ପାଇଁ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ମିଥୁନ ୧୯୭୬ରେ ଏକ ଫିଲ୍ମରେ ଛୋଟ ଭୂମିକାରୁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରଟି ଥିଲା ‘ଦୋ ଅନଞ୍ଜାନେ’। ତା’ପରେ ସେ ୧୯୭୭ରେ ଫିଲ୍ମରେ ଲିଡ୍ ଅଭିନୟ କରିବାରେ ସୁଯୋଗ ପାଇଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ମୃଗୟା’। ଏହି ଫିଲ୍ମ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୮୨ ମସିହାରେ ତାଙ୍କର ଚଳଚ୍ଚିତ୍ର ‘ଡିସ୍କୋ ଡାନ୍ସର୍’ ମୁକ୍ତିଲାଭ କରିଥିଲା, ଯାହା ପରେ ସେ ଲାଇମ୍ ଲାଇଟ୍‌କୁ ଆସିଥିଲେ। ଏହି ଫିଲ୍ମଟି ବଲିଉଡରେ ବ୍ଲକବଷ୍ଟର ହିଟ୍‌ ହୋଇଥିଲା। ଏହି ଫିଲ୍ମଟି କେବଳ ଭାରତ ନୁହେଁ ଏସିଆ, ସୋଭିଏତ୍ ୟୁନିଅନ୍, ପୂର୍ବ ୟୁରୋପ, ମଧ୍ୟ ପୂର୍ବ, ତୁର୍କୀ ଏବଂ ଆଫ୍ରିକାରେ ଜବରଦସ୍ତ ବ୍ୟବସାୟ କରିଥିଲା। ​​

 

Spread the love